Odisha news

ବିଜୟା ଦଶମୀ

0

ଡ଼ ପ୍ରତିଭା ମହାରଥୀ : କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଏକ ଜାତୀୟ ପର୍ବ ଭାବରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଅଛି । କଳିଯୁଗରେ ଦୁର୍ଗାପୂଜାକୁ ଅଶ୍ୱମେଧ ଯଜ୍ଞର ବିକଳ୍ପ ରୂପେ ଗ୍ରହଣ କରାଯାଇଥାଏ । ଆଶ୍ୱିନ ଶୁକ୍ଳଦଶମୀ ତିଥିରେ ଦେବୀ ମାଆ ଦୁର୍ଗାଙ୍କୁ ପୂଜନ କଲେ ମାନବ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି, ଏହି ପୁଣ୍ୟତିଥିକୁ “ଦଶହରା” କୁହାଯାଏ । ଏତଦ୍ଭିନ୍ନ ଏହି ତିଥିରେ ମାଆ ଦୁର୍ଗାଙ୍କ ପୂଜା ନିଷ୍ଠାର ସହ ପାଳନ କଲେ ଦଶ-ବାଧାବିଘ୍ନ ଦୂର ହେଉଥିବାରୁ ଦୁର୍ଗାପୂଜାର ନାମ ଦଶହରା ।

ପୁନଶ୍ଚ ମାଆ ଦଶଭୁଜା ଦୁର୍ଗା ଦଶହସ୍ତର ଦଶ ପ୍ରହରଣରେ ଏ ଜାତିର ବାଧାବନ୍ଧନକୁ ଦୂର କରିଥିବାରୁ ଏହି ସାର୍ବଜନୀନ ପୂଜା “ଦେବୀ ଦଶହରା” ନାମରେ ସର୍ବଜନାଦୃତ । ବର୍ଷକ ମଧ୍ୟରେ ଦୁର୍ଗାପୂଜା ଦୁଇ ଥର ପାଳିତ ହୋଇଥାଏ । ବସନ୍ତ ଋତୁର ଚୈତ୍ର ଶୁକ୍ଳପକ୍ଷର ପୂଜାକୁ ବାସନ୍ତୀ ପୂଜା ଓ ଶରତ ଋତୁର ଆଶ୍ୱିନ ଶୁକ୍ଳପକ୍ଷର ପୂଜାକୁ ଶାରଦୀୟ ଦୁର୍ଗାପୂଜା ବୋଲି ଅଭିହିତ କରାଯାଏ । ଅଳ୍ପ କେତେକ ଦେବୀପୀଠରେ ଦୁର୍ଗାଙ୍କର ମଧୁପାର୍ବଣ ବାସନ୍ତୀପୂଜା ପାଳନ ହେଉଥିବା ବେଳେ ଶାରଦୀୟ ପୂଜାପାର୍ବଣ ଅଧିକ ଜନାଦୃତ ।

ଓଡ଼ିଆ ସଂସ୍କୃତିର ମୂଳ ଉତ୍ସ, ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବିଜୟାଦଶମୀ ପାଳନ ହୋଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ପ୍ରତିଟି କ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ଦୁର୍ଗାଙ୍କର ଉପସ୍ଥିତି କାମନା କରାଯାଏ । ସର୍ବତ୍ର ବିରାଜମାନ କରେ ସେହି ମାତୃଶକ୍ତି । ତାଙ୍କର ରୂପ ନାହିଁ, ସେ ଅରୂପା, ସେ ପୁଣି ଅପର୍ଣ୍ଣା, ଯୋଗାମାୟା, ଚିନ୍ମୟୀ । ସେ ଶାରଦା, ବରଦା, ମୋକ୍ଷଦା, ପ୍ରମୋଦା ଅଟନ୍ତି । ସେ ନିଜେ ନିଜର ନିର୍ମାଣକର୍ତ୍ତ୍ରୀ । ପ୍ରାଚୀନ ଉକ୍ରଳରେ ଶକ୍ତି ଉପାସନା ଚତୁର୍ଥ, ପଞ୍ଚମ ଶତାବ୍ଦୀଠାରୁ ହୋଇଆସୁଅଛି ବୋଲି ପ୍ରମାଣ ରହିଛି । ଏହା ସହିତ ପ୍ରାଗ୍ ମଧ୍ୟଯୁଗର ସମୟ ତଥା ଷଷ୍ଠ ଶତାବ୍ଦୀରେ ଓଡ଼ିଶା ଶାସନରେ ଶକ୍ତି (ଅମ୍ବିକା)ଙ୍କ ଉପାସନା ସ୍ଥାନ ପାଇଛି ।

ଏହାବ୍ୟତୀତ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ କଳିଙ୍ଗର ମହାମେଘବାହନ ଐର ଖାରବେଳଙ୍କ ପୂର୍ବଜ ଚୈତ୍ର ବଂଶର ରାଜା ‘ସୁରଥ’ ଯେତେବେଳେ ରାଜ୍ୟ ଭ୍ରଷ୍ଟ ହୋଇଥିଲେ ଏବଂ ‘ସମାଧି’ ନାମକ ଏକ ବୈଶ୍ୟ ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇଥିଲେ, ସେତିକିବେଳେ ଦୁହେଁ ଅତି କଷ୍ଟରେ କାଳାତିପାତ କରୁଥିଲେ । ଉଭୟେ ଜଙ୍ଗଲକୁ ପଳାଇଯାଇ ‘ମେଧସ୍’ ଋଷିଙ୍କଠାରୁ ଦୁର୍ଗାପୂଜାର ମାହାତ୍ମ୍ୟ ଶ୍ରବଣ କରି, ନଈ କୂଳରେ ପ୍ରଥମ “ମୃଣ୍ମୟ ଦେବୀ ଦୁର୍ଗା”ଙ୍କ ପୂଜା କରି ପୁନର୍ବାର ରାଜ୍ୟ ଓ ବ୍ୟବସାୟ ଫେରି ପାଇଥିଲେ । ଏହା ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ରଚିତ “ମାର୍କଣ୍ଡେୟ ପୁରାଣ” ଅନ୍ତର୍ଗତ “ସପ୍ତସତୀ ଶ୍ରୀଚଣ୍ଡୀ”ର କଥାବସ୍ତୁ ।

ଏହାର ବହୁ ପୂର୍ବରୁ ଅର୍ଥାତ୍ ତ୍ରେତୟା ଯୁଗରେ ରାମାୟଣ କଥାବସ୍ତୁ ଅନୁଯାୟୀ ରାବଣର ନିଧନ ପାଇଁ ରାମଚନ୍ଦ୍ର ମାତୃପଦାଶ୍ରୟୀ ହେଲାପରେ ଶୁଦ୍ଧାଶୁଦ୍ଧ କାଳ ନ ମାନି ଶରତ ଋତୁରେ (ଅକାଳରେ) ନବରାତ୍ରୀ ପୂଜା କରିଥିଲେ ଓ ଅଭିଳଷିତ ଫଳ ପ୍ରାପ୍ତ ହୋଇଥିଲେ । ମା’ଙ୍କଠାରୁ ବରପ୍ରାପ୍ତ ହୋଇ ନବମୀ ଦିନ ରାବଣକୁ ମାରି ଦଶମୀ ଦିନ ବିଜୟ ଉତ୍ସବ ପାଳନ କରିଥିଲେ । ସେହିଦିନଠାରୁ ଏହି ଦିନର ନାମ “ବିଜୟା ଦଶମୀ” ରୂପେ ନାମିତ କରାଯାଇଛି । ଏହାକୁ “ଅକାଳବୋଧନ” କୁହାଯିବାର ଅର୍ଥ ମା’ ରାଧାଷ୍ଟମୀଠାରୁ ଶୟନ କରିଥାନ୍ତି । ଭକ୍ତ ତା’ର ଅଭିଳଷିତ ଫଳପ୍ରାପ୍ତି ପାଇଁ ଅସମୟରେ ପୂଜା, ଉପାସନା କରି ତାଙ୍କୁ ନିଦରୁ ଉଠାଇ ଥିବାରୁ ଏହାର ଏପରି ନାମକରଣ ହୋଇଛି ।

ଦେବୀ ପୂଜା ପ୍ରସଙ୍ଗରେ ଆଉ ଏକ କାହାଣୀର ବର୍ଣ୍ଣନା ମଧ୍ୟ ଦିଆଯାଇପାରେ । ଦାନବମାନଙ୍କ ଅତ୍ୟାଚାର ସୀମା ଅତିକ୍ରମ କରିବାରୁ ଦେବଗଣ ତାଙ୍କ ମୃତୁ୍ୟ ଉପାୟ ଚିନ୍ତା କଲେ । ବ୍ରହ୍ମା ବରରେ ବଳୀୟାନ ମହିଷାସୁରର ମୃତୁ୍ୟ ଜଣେ ନାରୀ ହାତରେ ହେବ ବୋଲି ସ୍ୱୟଂ ବ୍ରହ୍ମା ଅସହାୟ ହୋଇ ଜଣାଇବାରୁ ସର୍ବ ଦେବଦେବୀଙ୍କ ଆବାହନ କ୍ରମେ ଦେବୀ ଯଜ୍ଞରୁ ଆବିର୍ଭୁତା ହୋଇ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ନେଇ ଯୁଦ୍ଧ ପାଇଁ ଆଗଭର ହେଲେ । ଏହାପରେ ମହିଷାସୁର ସହିତ ଭୟଙ୍କର ଯୁଦ୍ଧ କରିଥିଲେ ।

ଅବଶେଷରେ ବସନ ଭୂଷଣ ତ୍ୟାଗ କରି ମହିଷାସୁରକୁ ଶୂଳବିଦ୍ଧ କଲେ । ଅନ୍ୟାୟ, ଅତ୍ୟାଚାର, ଅଧର୍ମ, ଅସତ୍ୟର ବୋଝରୁ ଧରା ମୁକ୍ତ ହେଲା । ସେହିଦିନରୁ ବିଜୟା ଦଶମୀ ପର୍ବ ପାଳିତ ହୋଇଆସୁଛି ବୋଲି କେହି କେହି ମତ ପ୍ରଦାନ କରିଥାଆନ୍ତି । କେହି କେହି ମତ ଦିଅନ୍ତି ଯେ ପ୍ରତାପୀ ଜଳନ୍ଧରକୁ ଏହି ଦଶହରା ଦିନ ବଧ କରାଯାଇଥିଲା ।

ଦେବୀ ଦୁର୍ଗମ ରାକ୍ଷସକୁ ବଧ କରି ଧରଣୀର ଭାର ହ୍ରାସ କରି ଦୁର୍ଗା ନାମ ଧାରଣ କରିଥିବାରୁ କେହି କେହି ଏହାକୁ “ଦୁର୍ଗାପୂଜା’ ବୋଲି ନାମିତ କରିଛନ୍ତି ।

ଦ୍ୱାପର ଯୁଗରେ ପାଣ୍ଡବ ପାଞ୍ଚଭାଇ ଶକୁନି ଓ ଦୁର୍ଯେ୍ୟାଧନଙ୍କ ଚକ୍ରାନ୍ତର ଶିକାର ହୋଇ ପଶାଖେଳରେ ହାରି ବାରବର୍ଷ ବନବାସରେ ରହିଥିଲେ । ସର୍ତ୍ତ ଅନୁଯାୟୀ ଏହି ବାରବର୍ଷ ଭିତରୁ ଗୋଟିଏ ବର୍ଷ ଥିଲା ଅଜ୍ଞାତବାସ । ଅଜ୍ଞାତବାସ ସମୟରେ ସେମାନେ ଏକ ଶମୀ ବୃକ୍ଷରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଲୁଚାଇ ବିରାଟ ରାଜାଙ୍କ ରାଜ୍ୟରେ ପ୍ରବେଶ କରି ଅଜ୍ଞାତବାସର ସର୍ତ୍ତ ପୂରଣ କରିଥିଲେ । ଆଶ୍ୱିନ ଶୁକ୍ଳପକ୍ଷ ବିଜୟା ଦଶମୀରେ ସେମାନଙ୍କର ଅଜ୍ଞାତବାସ ସମ୍ପୂର୍ଣ୍ଣ ହୋଇଥିଲା । କେହିକେହି ମତ ଦିଅନ୍ତି, ସେହି ଦିନକୁ ମନେ ପକାଇ ମର୍ତ୍ତ୍ୟବାସୀ ପାଳନ କରିଆସୁଅଛନ୍ତି ଶାରଦୀୟ ଦୁର୍ଗାପୂଜା । ରାଜ୍ୟ ଭ୍ରଷ୍ଟ ଯୁଧିଷ୍ଠିର ବିପଦରୁ ମୁକ୍ତ ହେବା ପାଇଁ ଦେବୀଙ୍କୁ ସ୍ତୁତି କରିଥିଲେ ଯାହା ‘ବିରାଟ ପର୍ବ’ରେ ବର୍ଣ୍ଣିତ । ଏହି ସ୍ତୋତ୍ରରେ ଦେବୀଙ୍କୁ ଚତୁର୍ଭୁଜା ରୂପେ ବର୍ଣ୍ଣନା କରାଯାଇଛି । ସେହିପରି ଅର୍ଜୁନ ମଧ୍ୟ ଯୁଦ୍ଧଯାତ୍ରା ପୂର୍ବରୁ ବିନ୍ଧ୍ୟବାସିନୀ ଦୁର୍ଗାଙ୍କୁ ସ୍ତୁତି କରିଥିଲେ । ଋଗ୍ବେଦର ଦେବୀସୂକ୍ତରେ ଦେବୀକୁ ରାଷ୍ଟ୍ରର ‘ଅଧିଶ୍ୱରୀ’ ବର୍ଣ୍ଣନା କରାଯାଇଛି ।

ପ୍ରକୃତରେ ଦୁର୍ଗା ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ, ଯାହାଙ୍କୁ ସହଜରେ ପାଇହୁଏ ନାହିଁ । ସେ ହେଉଛନ୍ତି ଶକ୍ତି ସ୍ୱରୂପିଣୀ, ସଂସାରର ସମସ୍ତ ଜ୍ଞାନ, ଅଜ୍ଞାନ ତାଙ୍କ ଭିତରେ ସମାହିତ ହୋଇ ରହିଛି । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର ବି କରନ୍ତି । ସେ ଆଦ୍ୟା ମହାଶକ୍ତି, ତାଙ୍କର ସ୍ୱରୂପ ବିବିଧ । ସେହିପରି ‘ଦୁର୍ଗା’ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ‘ଦୁର୍ଗତିନାଶିନୀ’, ଅର୍ଥାତ୍ ଯିଏ ସମସ୍ତ ପ୍ରକାର ବିପଦରୁ ଭକ୍ତଗଣଙ୍କୁ ଉଦ୍ଧାର କରିଥାନ୍ତି । ଅଧର୍ମ, ଅସତ୍ୟ, ଅନ୍ୟାୟ, ଅନ୍ଧାର ଉପରେ ଧର୍ମ, ସତ୍ୟ, ନ୍ୟାୟ ଓ ଆଲୋକର ବିଜୟ ପାଇଁ, ମା’ଙ୍କୁ ଆରାଧନା କରାଯାଇଥାଏ । ଯଦିଓ ସେ ଏକ ଓ ଅଭିନ୍ନ, ତେବେ ଶକ୍ତି ସ୍ୱରୂପିଣୀ ମା’ଙ୍କୁ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ଆଦି ବିଭିନ୍ନ ରୂପରେ ପୂଜା କରାଯାଏ । ଭକ୍ତି ଓ ଶ୍ରଦ୍ଧାର ସହ ଏହି ପୂଜା କରୁଥିବା ବ୍ୟକ୍ତି, ଶକ୍ତି ଓ ସାମର୍ଥ୍ୟ ଲାଭ କରିବା ସହିତ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

 

Leave A Reply