ବାଦଲ ଭୂୟା : ସାଧାରଣତଃ ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ । ଏ ସଂସାରରେ ଜଣେ ମୁର୍ମୁଷୁକୁ ପୁନର୍ଜୀବନ ଦେଇପାରୁଥିବା ଜଣେ ଡାକ୍ତର ନିଶ୍ଚିନ୍ତ ଭାବରେ ଭଗବାନଙ୍କ ଅନ୍ୟ ରୂପ ବୋଲି କୁହାଯାଇଥାଏ । ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଯାହା ଏଠି ଅନେକ କ୍ଷେତ୍ରରେ ଉଦାସୀନତା ଓ ଅବହେଳା ଦେଖାଯାଇଥାଏ । ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଅନେକ ସ୍ୱାସ୍ଥ୍ୟ ଭିତ୍ତିକ ଲୋକପ୍ରିୟ ଯୋଜନା ହାତକୁ ନେଉଛନ୍ତି । ଆମ ଗହଣରେ ଅନେକ ଏପରି ନିଃସ୍ୱାର୍ଥପର ଡାକ୍ତର ରହିଛନ୍ତି ଯେଉଁମାନେ ନିଜ ଘର ପରିବାର ଓ ପ୍ରଚୁର ଆୟ କ୍ଷେତ୍ରକୁ ପଛରେ ପକାଇ ନିଜ ବୃତ୍ତିକୁ ଲୋକମାନଙ୍କ ସେବା ପାଇଁ ବିନିଯୋଗ କରୁଛନ୍ତି । ବୁର୍ଲାର ଚର୍ଚ୍ଚିତ ଯୁବ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ପ୍ରଶଂସାରେ ପୋତିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାନବତା ପାଇଁ ସେ କରୁଥିବା ମହାନ କାର୍ଯ୍ୟ ସବୁ ପ୍ରଶଂସାର ହକ୍ଦାର । ବ୍ୟକ୍ତିଗତ ପ୍ରୟାସରେ କିଭଳି ଭିନ୍ନ ଭିଛି କରି ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣି ହୁଏ ତା ରାମଚନ୍ଦାନୀଙ୍କ ୧ ଟଙ୍କିଆ କ୍ଳିନିକ୍ ତାର ଶ୍ରେଷ୍ଠ ଉଦାହରଣ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି । ଜାତୀୟ ଇଂରାଜୀ ଦୈନିକ ଟାଇମସ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରେ ଦେଶର ସେଭଳି ପାଞ୍ଚ ଜଣ ଡାକ୍ତରଙ୍କ ବିଷୟରେ ପ୍ରକାଶ ପାଇଛି ଯେଉଁମାନେ ଏକ କପ ଚାର ମୂଲ୍ୟଠୁ କମ୍ ଦାମରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଏଥିରେ ବିଭିନ୍ନ ପ୍ରଦେଶର ଅନ୍ୟ ଚାରି ଜଣ ଡାକ୍ତରଙ୍କ ସହ ସ୍ଥାନ ପାଇଛନ୍ତି ଭୀମସାର, ବୁର୍ଲାର ଆସିଷ୍ଟାଣ୍ଟ ପ୍ରଫେସର ଡା.ରାମଚନ୍ଦାନୀ । ମେଡ଼ିକାଲ କଲେଜରେ ନିଜ ପୂର୍ଣ୍ଣ ସମୟ ଚାକିରି ପରେ ସମୟ ବାହାର କରି ସେ ସକାଳେ ଓ ସଂଧ୍ୟାରେ ୧ ଟଙ୍କା ଫି ନେଇ ରୋଗୀ ସେବା କରୁଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି ।
ଦେଶ ବିଦେଶର ବହୁ ଗଣମାଧ୍ୟମ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସା ଭାଜନ ହୋଇ ଆସିଛନ୍ତି ରାମଚନ୍ଦାନୀ । କିଛି ଦିନ ହେଲା ସେ ଖୋଲିଥିବା ଟଙ୍କିକିଆ କ୍ଲିନିକ୍ ବିଭିନ୍ନ ଖବର କାଗଜର ଶିରୋନାମା ମଣ୍ଡନ କରୁଥିବା ବେଳେ ତାଙ୍କ କାର୍ଯ୍ୟର ତାଲିକା କିନ୍ତୁ ଏତିକିରେ ସୀମିତ ନୁହେଁ । ୨୦୧୬ ମସିହାର କଥା । ତାଙ୍କ ନେତୃତ୍ୱରେ ଭୀମସାରରେ ଆରମ୍ଭ ହୋଇଥିଲା ଡାକ୍ତରୀ ଛାତ୍ରଙ୍କ ଆନେ୍ଦାଳନ । ଏହି ଆନେ୍ଦାଳନ ଏମିତି ଥିଲା ଯେ ରୋଗୀ, ଡାକ୍ତର, ଅନୁଷ୍ଠାନ କର୍ତ୍ତୃପକ୍ଷ, ସହର ଓ ରାଜ୍ୟବାସୀଙ୍କ ସମେତ ଖୋଦ ରାଜ୍ୟ ସରକାର ବି ଏହାର ପ୍ରଶଂସା କରିଥିଲେ । ଗୋଟିଗୋଟି କରି ଡାକ୍ତରୀ ଛାତ୍ରଙ୍କ ପ୍ରାୟ ସବୁ ଦାବି ପୂରଣ ହୋଇଥିଲା । କାରଣ ସେମାନେ ନିଜ ପାଇଁ କିଛି ଦାବି କରିନଥିଲେ । ତାଙ୍କ ଦାବି ଥିଲା ଗରିମ ରୋଗୀଙ୍କ ହିତ ପାଇଁ । ବୁର୍ଲାରେ ଏମ୍ଆରଆଇ ମେସିନ ସ୍ଥାପନ ତାଙ୍କର ପ୍ରଥମ ଦାବି ଥିଲା ଯାହା ତିନି ମାସ ମଧ୍ୟରେ ପୂରଣ ହୋଇଥିଲା । କନିଷ୍ଠ ଡାକ୍ତର ସଂଘ ଜେଡ଼ିଏର ସଭାପତି ଭାବେ ଏହି ଆନେ୍ଦାଳନର ନେତୃତ୍ୱ ନେଇଥିବା ଡା.ରାମଚନ୍ଦାନୀ ସେହି ଦିନଠୁ କେବଳ ବୁର୍ଲା କି ସମ୍ବଲପୁର ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ଚିହ୍ନାମୁହଁ ପାଲଟି ଯାଇଥିଲେ । ବୁର୍ଲାରେ ଏମ୍ବିବିଏସ୍ ଓ ପିଜି ପାଠ ପଢ଼ିବା, ଏସ୍ଆର ଭାବେ କାର୍ଯ୍ୟ କରିବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଛନ୍ତି ରାମଚନ୍ଦାନୀ ।
କେବେ ରାସ୍ତାରେ ପଡ଼ିଥିବା ଅସହାୟ ରୋଗୀଙ୍କୁ ଉଠାଇ ଆଣି ଚିକିତ୍ସା କରିବା ତ କେବେ ଡାକ୍ତରଖାନାରୁ ଯିବାକୁ ଟଙ୍କା ନଥିବା ରୋଗୀଙ୍କୁ ନେଇ ଘରେ ଛାଡ଼ିବା । କେତେବେଳେ ରାସ୍ତା ପାରି ହୋଇପାରୁନଥିବା ବୃଦ୍ଧ କୁଷ୍ଠରୋଗୀଙ୍କୁ ବୋହି ନେଇ ଆର କଡ଼େ ପହଞ୍ଚାଇବା ତ କେବେ କରୋନା ରୋଗୀଙ୍କୁ ନିଜ ଗାଡ଼ିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିବା । ଡା.ରାମଚନ୍ଦାନୀଙ୍କ ସେବା କାର୍ଯ୍ୟର ତାଲିକା ବହୁତ ଲମ୍ବା । ରୁପାଲି ହେଉ କି ରୋହନ ଅନେକ ଗରିବ ଅସହାୟ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ରାମଚନ୍ଦାନୀ । ଏହି ଡାକ୍ତରଙ୍କ କୃତୀତ୍ୱପୂର୍ଣ୍ଣ ସେବା ମନୋଭାବ ଆଜି ଆମ ସମସ୍ତଙ୍କ ପାଇଁ ପ୍ରେରଣା ନିଶ୍ଚୟ । ତାଙ୍କପରି ଉତ୍ସର୍ଗୀକୃତ ଯୁବ ଡାକ୍ତରଙ୍କ ସେବା ଦାୟିତ୍ୱ ସମ୍ପନ୍ନ ଏ ସମାଜକୁ ଲୋକମାନଙ୍କ ଭିତରେ ସେବା କାମ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ । ଡାକ୍ତର ରାମଚନ୍ଦାନୀଙ୍କୁ କୋଟି କୋଟି ଓଡ଼ିଆଙ୍କ ପକ୍ଷରୁ ତାଙ୍କୁ ଧନ୍ୟବାଦ ଜଣାଇ ଏ ରାଜ୍ୟ ପାଇଁ ତାଙ୍କ ସମର୍ପିତ ଓ ଉତ୍ସାହ ମନୋଭାବ ସମ୍ପନ୍ନ ସେବା ଦାୟିତ୍ୱ ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।