ଗୋପ : ଗୋପ ବ୍ଲକରେ କିରୋସିନ୍ ଘୋଟାଲା ଚରମ ସୀମାରେ ପଂହଚିଥିବା ବେଳେ ଡିଲର ମାନେ ଖୁଲମଖୁଲା କିରୋସିନ୍ କୁ ସରକାରୀ ଧାର୍ଯ୍ୟ ଦର ଠାରୁ ୨୫ ଟଙ୍କା ଅଧିକ ଦରରେ ବିକ୍ରୀ କରି ହିତାଧିକାରୀଙ୍କୁ ଏହି କରୋନା ମହାମାରୀ ସମୟରେ ଶୋଷଣ କରିଚାଲିଛନ୍ତି । ଏ ସମ୍ପର୍କରେ ପ୍ରମେୟରେ ଖବର ପ୍ରକାସ ପାଇବା ପରେ ଆଜି ଜିଲ୍ଲାସ୍ତରୀୟ ଏକ ସ୍କ୍ୱାର୍ଡ ସଂପୃକ୍ତ ଡିଲରଙ୍କ କେନ୍ଦ୍ରରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ସରକାର କରୋନା ବିପତି ସମୟରେ ତିନି ମାସର ରାସନ୍ ସମେତ କିରୋସିନ୍ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଲକଡାଉନ୍ ସମୟରେ ଘରୁ ଲୋକ ବାହାରିବା ନିମନ୍ତେ ବାରଣ ଥିବାରୁ ଏହାକୁ ଏକ ସୁବର୍ଣ ସୁଯୋଗ ଭାବେ ଭାବିନେଇ ଏହି ଡିଲର ମାନେ କିରୋସିନ୍ ୧୫ ଟଙ୍କା ସ୍ଥାନରେ ୪୦ ଟଙ୍କା ବିକ୍ରୀ କରି ହିତାଧିକାରୀଙ୍କୁ ଶୋଷଣ କରିଚାଲିଛନ୍ତି ।
ଏ ସମ୍ପର୍କରେ ପ୍ରମେୟରେ ବିଧିବଦ୍ଧ ଭାବେ ବନ୍ତଳୀଗ୍ରାମ ପଂଚାୟତର ଏକ ନିର୍ଦ୍ଦିଷ୍ଟ ଡିଲର ବାବଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଯୋଗାଣ ବିଭାଗର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଥିଲା । ଗତ ସୋମବାର ଜିଲ୍ଲା ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓଙ୍କ ନିଦେ୍ର୍ଦଶ କ୍ରମେ ଗୋପ ବ୍ଲକ ଯୋଗାଣ ନୀରିକ୍ଷିକା ସସ୍ମିତା ସାହୁ ସଂପୃକ୍ତ ଗ୍ରାମ ଓ ଅଭିଯୋଗ କରିଥିବା ହିତାଧିକାରୀଙ୍କୁ ଭେଟି ଅଭିଯୋଗ ଶୁଣିଥିଲା ବେଳେ ଆଜି ଜିଲ୍ଲା ସ୍ତରରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ଏହି ଡିଲର କେନ୍ଦ୍ର ଉପରେ ଚଢଉ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ରେ ଗୋପ ବ୍ଲକର ପୂର୍ବତନ ଯୋଗାଣ ନୀରିକ୍ଷକ ମଧ୍ୟ ତଦନ୍ତରେ ସାମିଲ ଥିବାରୁ ତଦନ୍ତର ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବାବୁ ଜଣକ ଗୋପ ବ୍ଲକରେ ଥିବା ସମୟରେ ରାସନ୍ ଦୁର୍ନୀତି ଉଠିଥିଲା ଏବଂ ସେ ସମୟରେ ଜିଲ୍ଲା ଠାରୁ ଆରମ୍ଭ କରି ଗୋପ ବ୍ଲକ ରାସନ୍ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ଥିଲା । ବାରମ୍ବାର ଖବର ପ୍ରକାଶ ପାଇବା ପରେ ଅନନ୍ୟୋପାୟ ହୋଇ ଏହି ଯୋଗାଣ ନୀରିକ୍ଷକ ଜଣକ ଦୁଇ ଜଣ ଡିଲରଙ୍କୁ ନିଲମ୍ବିତ କରିବା ନିମନ୍ତେ ଜିଲ୍ଲାପାଳକୁ ସୁପାରିସ କରିଥିଲେ ।
ଦୁଇ ଜଣ ଡିଲରଙ୍କୁ ନିଲମ୍ବିତ କରିବା ପରେ ଏହି ବାବୁ ଜଣକ ଏବେ ଜିଲ୍ଲା ଯୋଗାଣ ବିଭାଗରେ ଅଧିକାରୀ ପଦବୀରେ ବସିବା ଏବଂ ଆଜି ରାସନ୍ ହଡପ ସମ୍ପର୍କୀତ ଖବର ଉପରେ ତଦନ୍ତ କରିବା ତାହା କେବଳ ଧର୍ମକୁ ଆଖିଠାର ପରି । ଗୋପ ବ୍ଲକରେ ବାରମ୍ବାର କିରୋସିନ୍ ଏବଂ ରାସନ୍ ସାମଗ୍ରୀ ହଡପ ଘଟଣା ବାହାରିବା ପରେ ପ୍ରଥମେ ଗୋପ ବ୍ଲକର ଗଡଭିଙ୍ଗୁରା ପଂଚାୟତରେ ଜନୈକ ଡିଲର ଏହି କିରୋସିନ୍ ଘୋଟାଲା କରିଥିବା ସମ୍ବଳିତ ଏକ ଭିଡିଓ ଭାଇରାଲ ହୋଇଥିଲା ।
ରାଜନୈତିକ ଚାପରେ ଚେପା ଜିଲ୍ଲା ପ୍ରଶାସନ ଏହାକୁ ରାଜନୈତିକ ରଙ୍ଗ ଦେଇ ଏହି ଘଟଣାକୁ ଚାପି ଦେଇଥିଲା । ଆଜି ଏହି ଘଟଣାର ପୁନର୍ବାର ଲୋକଦେଖାଣିଆ ତଦନ୍ତ ହୋଇଛି ଏବଂ ଏହି ଡିଲରଙ୍କୁ କିପରି ଦୋଷମୁକ୍ତ କରାଯାଇପାରିବ ତାହାକୁ ନେଇ କସରତ ଚାଲିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । କରୋନା ମହାବିପତି ସମୟରେ ଗରୀବ ହିତାଧିକାରୀଙ୍କ ର ରାସନ୍ ସାମଗ୍ରୀ ଯେଉଁ ଡିଲର ହଡପ କରୁଛନ୍ତି ଓ ଯେଉଁ ଅଧିକାରୀ ମାନେ ଉକ୍ତ ଭ୍ରଷ୍ଟ ଡିଲର ମାନଙ୍କୁ ଘଂଟ ଘୋଡାଉଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ସହିତ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପଂଚାୟତର ହିତାଧିକାରୀମାନେ । ଏ ସମ୍ପର୍କରେ ଗୋପ ବିଡିଓ ଦିପ୍ତିରାଣୀ ଦାସ ଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ, ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ସେମାନଙ୍କ ଉପରେ ନିଶ୍ଚିତ ଭାବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।