ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୂସୁଦନପୁର ପଂଚାୟତ ଦଳେଇ ସାହିର ୨ ନମ୍ବର ୱାର୍ଡରେ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି ଏକ ଅସହାୟ ପରିବାର । ଏଠାରେ ରହୁଥିବା ଗୋଟିଏ ପରିବାରର ୪ଜଣ ରୋଗରେ ପୀଡିତ । ପରିବାରର ୨ ଭେଣ୍ଡିଆ ପୁଅ ପ୍ରକାଶ ଦଳେଇ (୪୦), ଶିବା ଦଳେଇ(୩୮) ଓ ଝିଅ ମଞ୍ଜୁ ଦଳେଇ (୪୨) ଜନ୍ମରୁ ମାନସିକ ବିକାରଗସ୍ତ ହୋଇଥିବା ବେଳେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବାପା ନୁର ଦଳେଇ ଗତ ୫ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକି ଚାଲିଯାଇଛନ୍ତି । ବାପା ମରିବା ପରେ ଏମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି ।
ବାପା ମଲା ପରେ ମା ବେଙ୍ଗ ଦଳେଇ (୬୫) ଅନ୍ୟ ଘରେ କାମ କରିି ପରିବାର ଚଳାଇ ଆସୁଥିଲେ । ହେଲେ ଗତ ୪ ମାସ ହେବ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାସାୟୀ ହୋଇପଡିଛନ୍ତି । ତେବେ ଏହି ପରିବାରର ସମସ୍ୟା ସଂପର୍କରେ ଖବର ପାଇ ଆଜି ଧର୍ମଶାଳା ବ୍ଲକର ପୁର୍ବତନ ଅଧ୍ୟକ୍ଷ ତଥା ପିସିସି ରାଜ୍ୟ ସାଧାରଣ ସଂପାଦକ କିଶାନ ପଣ୍ଡା ସେଠାରେ ପହଁଚି ପରିବାର ଲୋକଙ୍କୁ ଭେଟିବା ସହିତ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ସ୍ଥାନୀୟ ୱାର୍ଡ ସଭ୍ୟ ରବିନ୍ଦ୍ର ଦାସ ଓ ପଡୋଶୀ ପୁରୋସ୍ତମ ଦଳେଇ ଠାରୁ ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ସେମାନଙ୍କ ପାଇଁ ତୁରନ୍ତ ଏକ ପକ୍କାଘର ଯୋଗାଇଦେବାକୁ ସରକାରୀ ସ୍ତରରେ ଉଦ୍ୟମ କରିବା ସହିତ ସେମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଅର୍ଥ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଶ୍ରୀ ପଣ୍ଡା ସହ କୃଷକ ନେତା ବସନ୍ତ କୁମାର ପରିଡା, ପବନ ବେହେରା, କାହ୍ନୁ ଚରଣ ନାୟକ ଓ ଦେବାଶିଷ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।