ଭଦ୍ରକ :ଗତକାଲି ରାତିରେ ଭଦ୍ରକ ୧୩ ନଂ ଓ୍ୱାର୍ଡର ମୀରସାହି ଅଞ୍ଚଳରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିବା କାରଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଗଣ୍ଡଗୋଳ ଯେପରି ଆଗକୁ ନ ବଢେ ଶାନ୍ତି ବଜାୟ ରହେ, ସେ ନେଇ ଆଜି ୨ଗୋଷ୍ଠୀ ମଧ୍ୟରେ ଶାନ୍ତି ସଦ୍ଭାବନା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨ଗୋଷ୍ଠୀଙ୍କର ସାହି ମୁରବୀଙ୍କୁ ନେଇ ଏହାର ସମାଧାନ କରଯିବା ସହିତ ଭାଇଚାରା ବଜାୟ ରଖିବାକୁ ବୈଠକରେ କୁହାଯାଇଛି । ଅନ୍ୟପକ୍ଷରେ ୧୩ ନମ୍ବର ଓ୍ୱାର୍ଡର ଅପର୍ତ୍ତିବନ୍ଧା ଏଲଖା ଓ ମୀରସାହି ଅଞ୍ଚଳରେ ଆସନ୍ତା ୧୬ ତାରିଖ ରାତି ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ବୋଲି ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଥିଲେ ।
ଏହି ସମୟ ମଧ୍ୟରେ କୌଣସି ଧର୍ମାନୁଷ୍ଠାନ, ସଭା ସମିତି ହୋଇ ପାରିବ ନାହିଁ କିମ୍ବା କୌଣସି ସ୍ଥାନରେ ୨ଜଣରୁ ଅଧିକ ଲୋକ ଏକତ୍ର ହୋଇ ପାରିବେ ନାହିଁ । ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିବ । ପୁଲିସକୁ ଛାଡି କୌଣସି ବ୍ୟକ୍ତି ହାତରେ ମାରଣାସ୍ତ୍ର, ଲାଠି ଇତ୍ୟାଦି ଧରି ଯାଇ ପାରିବେ ନାହିଁ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ଏହାର ସଠିକ ପରିଚାଳନା ପାଇଁ ଏସପି ରାଜେଶ ପଣ୍ଡିତ ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇଙ୍କୁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା କହିଥିଲେ । ଏହି ବୈଠକରେ ବିଦ୍ୟାଧର ସାହୁ, ରାୟ ରାମାନନ୍ଦ ମହାପାତ୍ର, ହାଜି ମହମ୍ମଦ ଅବଦୁଲ ବାରୀ, ଏଏସପି କୈଳାସ ପରିଡା, ଡିଆଇବି ଇନ୍ସପେକଫର କମଳଲୋଚନ ଭୁୟାଁଙ୍କ ସମେତ ଚଉଦମହଲା କମିଟିର ସଦସ୍ୟ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ