Odisha news

ଗୋସାଇଁ ନୂଆଗାଁ ଥାନା ନୂତନ କୋଠା ଉଦ୍‌ଘାଟନ କଲେ ପୁଲିସ ଡିଜି

ବ୍ରହ୍ମପୁର  : ଓଡ଼ିଶା ପୁଲିସ ଡିଜି ଅଭୟ ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ସେ ପ୍ରଥମେ ଗୋପାଳପୁର ଥାନା ଅଧୀନରେ ଥିବା ଭଞ୍ଜବିହାର ଫାଣ୍ଡିର ନୂତନ କୋଠାକୁ ଉଦଘାଟନ କରିଥିଲେ। ପରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ସେ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ  ଗୋସାଇଁ ନୂଆଗାଁ ଥାନାର ନୂତନ କୋଠାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ଵ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗ ଦେଇଥିଲେ। ଡିଜି ଅଭୟ ଓ ଅତିଥିମାନେ ନୂତନ ଥାନା କୋଠା ପରିଦର୍ଶନ କରିଥିଲେ। ଦୁଇ ମହଲା ବିଶିଷ୍ଟ ଏହି ଥାନାର ଉପର ମହଲାରେ ବାରାକ୍‌ ରହିଛି। ସେହିପରି ତଳ ମହଲ‌ାରେ ଥାନା କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି ନିକଟରେ ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଦ୍ବାରା ଏକ ବଡ଼ଧରଣର ଲୁଟ୍‌ ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯାଇଛି।

ସେହିପରି ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ରୁ ଲୁଟ୍‌ ହୋଇଥିବା ୯୦ପ୍ରତିଶତରୁ ଅଧିକ ଟଙ୍କା ମଧ୍ୟ ଜବତ କରାଯାଇଛି। ମାତ୍ର ୩ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରାଯାଇଛି। ଏଥିପାଇଁ ବ୍ରହ୍ମପୁର ଏସ୍‌.ପି. ବଡବ୍ଜ଼ାର ଥାନାଧିକାରୀ ଓ ତାଙ୍କ ଟିମ୍‌କୁ ଡିଜି ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ମାଓବାଦୀ ଗତିବିଧି ବିଶେଷମାତ୍ରାରେ ହ୍ରାସ ପାଇଛି। ଯେଉଁମାନେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି ସେମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମଲ ହୁଅନ୍ତୁ। ସେମା‌ନଙ୍କୁ ସରକାରୀ ଯୋଜନାରେ ଅନୁସାରେ ସମସ୍ତ ପ୍ରକାର ସୁବିଧା ଦିଆଯିବ ବୋଲି ଡିଜି କହିଛନ୍ତି। ନୂତନ ଗୋସାଇଁ ନୂଆଗାଁ ଥାନାଟି ୮ହଜାର ୬୩ବର୍ଗଫୁଟରେ ତିଆରି ହୋଇଥିବା ବେଳେ ଏଥିପାଇଁ ମୋଟ ୧କୋଟି ୯୮ଲକ୍ଷ ୩୮ହଜାର ଟଙ୍କା ଖର୍ଚ୍ଚ କରାଯାଇଛି।ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ , ପ୍ରଶାନ୍ତ କୁମାର ମିଶ୍ର , ଵ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁପ୍ରସାଦ ପତି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Ad2

Comments are closed.