ପାରାଦୀପ,୧୭ା୪: ଆଜି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ସେଠାରେ ପହଞ୍ଚି ଏହାର ସ୍ଥିତି ପରଖିଛନ୍ତି । ଏହାସହ ତଟରକ୍ଷୀ ବାହିନୀ କଲୋନି ନିକଟରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ କ୍ୟାମ୍ପ ମଧ୍ୟ ବୁଲି ଦେଖିବା ସହ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଏହି ଦୁଇ ଅଧିକାରୀ ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ୨୦ ତାରିଖରେ ଏହି ହସ୍ପିଟାଲ ଉଦ୍ଘାଟନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି । ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି କୋଭିଡ୍ ହସ୍ପିଟାଲର ସମସ୍ତ ଖର୍ଚ୍ଚ ବହନ କରୁଛି । ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ପ୍ରଚଣ୍ଡ ଖରା ସତ୍ତ୍ୱେ ଏହି ହସ୍ପିଟାଲ ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରୟାସ ଜାରି ରଖିଛି । ପ୍ରାଥମିକ ପର୍ଯ୍ୟାୟରେ ହସ୍ପିଟାଲରେ ୫୦ ଶଯ୍ୟା ସହ ୫ଟି ଆଇସିୟୁ ନିର୍ମାଣ କରାଯାଉଛି । ଏଠାରେ ରୋଗୀ ରହିବା ପରେ ଯଦି ଆବଶ୍ୟକ ପଡ଼େ, ତେବେ ଶଯ୍ୟା ସଂଖ୍ୟା ବଢ଼ାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।