ଡେଲାଙ୍ଗ, ୨୫/୦୧ : ଇଞ୍ଜିନିୟରିଂ ଛାତ୍ରୀଙ୍କୁ ସହଯୋଗର ହାତ ବଢାଇଛନ୍ତି ରାଜ୍ଯ ସରକାର ଓ ଅଭିନେତ୍ରୀ ରାଣୀ ପଣ୍ଡା। ପାଠ ପଢ଼ିବାର ଇଚ୍ଛା ଶକ୍ତି ଛାତ୍ରୀଙ୍କୁ ଗାଁ ଦାଣ୍ଡକୁ ଟାଣି ଆଣିଛି। ଡ଼େଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ପଞ୍ଚାୟତ ଅଧିନସ୍ଥ ଗୋରଡାପିଢ଼ ଗାଁ ଝିଅ ରୋଜି ବେହେରା ନାମକ ଜଣେ ଛାତ୍ରୀ ଖୋର୍ଦ୍ଧାର ସିଭିଲ ଇଞ୍ଜିନିୟରି ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ।ପାଠ ପଢ଼ା ଶେଷ ହେବା ପରେ କଲେଜରେ ଫସି ରହିଥିବା ସାର୍ଟିଫିକେଟ ମୁକୁଳାଇବା ଲାଗି ମାଟି କାମ କରୁଛନ୍ତି ଛାତ୍ରୀ। ଗାଁ ଦାଣ୍ଡରେ ମୁଣ୍ଡରେ ମାଟି ବୋହି ଟଙ୍କା ସଞ୍ଚୟ କରି କଲେଜରୁ ସାର୍ଟିଫିକେଟ ଆଣିବେ ବୋଲି ଅଣ୍ଟା ଭିଡିଛନ୍ତି ଲୋଜି ବେହେରା। ପରିବାର କହିଲେ, ୫ ଭଉଣୀ ଏବଂ ବାପା-ମାଆ। ବାପା ତାଙ୍କର ଦିନ ମଜୁରିଆ। ସେତିକି ଆର୍ଥିକ ସମ୍ବଳ ନାହିଁ, ଯେଉଁଥିରେ କଲେଜରୁ ସେ ସାର୍ଟିଫିକେଟ ମୁକୁଳାଇ ପାରିବେ। ସେଥିପାଇଁ ଲୋଜି ମୁଣ୍ଡରେ ମାଟି ବୋହି ଟଙ୍କା ସଞ୍ଚୟ କରୁଥିଲେ ।ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଅନ୍ୟପଟେ ଆଜି ରାଜ୍ଯ ସରକାରଙ୍କ ଓଡିଶା ମୋ ପରିବାର ପକ୍ଷରୁ ଏକ ଟିମ ଲୋଜି କୁ ଭେଟି ବନ୍ଧା ପଡିଥିବା ସାର୍ଟିଫିକେଟ ଆଣିବା ସହିତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।ଓଡିଶା ମୋ ପରିବାରର ଜଏଣ୍ଟ ସେକ୍ରେଟାରୀ ସମୀର ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଜନତା ଦଳ ଷ୍ଟେଲିନ ପରିଜା ପ୍ରମୁଖ ଲୋଜିଙ୍କୁ ଭୁବନେଶ୍ବର ନେଇଛନ୍ତି।ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ତହସିଲଦାର ରାଜେନ୍ଦ୍ର ଆଚାରିଆ ପହଞ୍ଚି ଲୋଜି ବେହେରାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।