ଦଶରଥପୁର : ଚଳିତ ବର୍ଷ ରିଲିଫ ପ୍ରଦାନରେ ଫେଲମାରିଛି ପ୍ରଶାସନ । ଏପର୍ଯ୍ୟନ୍ତ ବିପନ୍ନଙ୍କ ପାଖରେ ପହଂଚିନି ରିଲିଫ କି ରନ୍ଧା ଖାଦ୍ୟ । ଏହାର ଉଗ୍ରରୂପ ନେଇ ଦାରଣାରେ ବସିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଦଶରଥପୁର ବ୍ଲକରେ ୩ଟି ସ୍ଥାନରେ ଘାଇ ହେବା ଫଳରେ ବ୍ଲକର ୧୯ଟି ପଂଚାୟତ ପ୍ରଭାବିତ ହୋଇଛି । ଏଥିରେ ୧୨ଟି ପଂଚାୟତ ୫/୬ ଦିନ ଧରି ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଥିଲା । ବନ୍ୟାକୁ ୭ ଦିନ ବିତିଯାଇଥିଲେ ମଧ୍ୟ କୟାଁ ପଂଚାୟତରେ ମିଳିନି ରିଲିଫ । ଏଣୁ ଆଜି ପଂଚାୟତବାସୀ ମଂଗଳପୁର –କୟାଁ ଜାତୀୟ ରାଜପଥ ଦୁବକଣସ୍ଥ ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟ ଠାରେ ରାସ୍ତା ରୋକ କରିଥିଲେ ।
ଶତାଧିକ ପଂଚାୟତବାସି ୭ଦିନ ହେବ ଉପବାସରେ ଥିବା ଅଭିଯୋଗ କରି ଧାରଣାରେ ବସିଥିଲେ । ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ମାତ୍ର ମୁଣ୍ଡପିଛା ୧୦୦ ଗ୍ରାମ ଚୁଡା ଓ ଟିକେ ଗୁଡ ଦିଆଯାଇଛି । ଆଉ କିଛି ଏପର୍ଯ୍ୟନ୍ତ ଦିଆଯାଇନାହିଁ । ବହୁ ଘର ଭାଙ୍ଗିଯାଇଥିଲେ ମଧ୍ୟ ପାଲ ଖଣ୍ଡେ ନମିଳିବା, ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଥିବାବେଳେ ଏଠାରେ ଦିଆନଯିବା, ଦିନକୁ ୨ ଥର ଖାଦ୍ୟ ଦିଆଯାଉଥିବାବେଳେ ଏଠାରେ ଦିଆନଯିବା, ପାନୀୟ ଜଳ ନମିଳିବା, ଔଷଧ ଦିଆନଯିବା ଭଳି ବନ୍ୟା ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ପ୍ରମିଳା ମଲ୍ଲିକ,ସୁମା ମଲ୍ଲିକ, କୁନି ମଲ୍ଲିକ, ପଦ୍ମୀନି ଜେନା, ଲତା ମଲ୍ଲିକ, ଗୁର ମଲ୍ଲିକ, ଗୀତା ମଲ୍ଲିକ, ବାସନ୍ତି ଜେନା, ଶାନ୍ତିଲତା ଜେନା, କ୍ଷୀର ମଲ୍ଲିକଙ୍କ ସମେତ ଶତାଧିକ ଲୋକେ ଅଭିଯୋଗ କରିଛନ୍ତି । ଘରେ ପାଣି ପେଟେ ଲେଖାଏଁ ହୋଇଯାଇଥିବାରୁ ପଡୋଶୀଙ୍କ ଘରେ ଆଶ୍ରୟତ କିଏ ରାସ୍ତା କି ଉଚ୍ଚସ୍ତାନରେ ଆଶ୍ରୟ ନେଇଚନ୍ତି ।
୭ ଦିନ ଭୋକ ଉପବାସରେ ଦିନ କାଟୁଛନ୍ତି ଏହି ପଂଚାୟତବାସୀମାନେ । ଏଣୁ ଆଜି ଶତାଦିକ ମହିଳା ଓ ପୁରୁଷମାନେ ଏକାଠି ହୋଇ ମଂଗଳପୁର-କୟାଁ ଜାତୀୟରାଜପଥ ଦୁବକଣ ଠାରେ ରାସ୍ତା ଉପରେ ଧାରଣାରେ ବସି ବିରୋଧରେ ଗର୍ଜ୍ଜିଥିଲେ । ଏଣୁ ଏହିରାସ୍ତା ଦେଇ ଯାତାୟାତ କରୁଥିବା ବହୁଗାଡି ଅଟକି ରହିଥିଲେ । ଏଣୁ ଖବର ପାଇ ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଲିକ, ମଂଗଳପୁର ଆଇଆଇସି ଅସିତ ରଂଜନ ମହାନ୍ତି ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ । ସେଠାରେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ସେମାନଙ୍କ ଯତ୍ନ ନେଇନଥିବା ଆଲୋଚନା କରାଯାଇଥିଲା । ଦୀର୍ଘ ୪ ଘଣ୍ଟା ରାସ୍ତାରେ ଧାରଣ ପରେ ବୁଝାସୁଝା କରି ଲୋକମାନଙ୍କ ଦାବୀକୁ ମାନିନେଇଥିଲେ । ୮ ଦିନ ରନ୍ଧା ଖାଦ୍ୟ ପ୍ରଦାନ, ପାଲ, ପାନୀୟଜଳ ଆଦି ଅବିଳମ୍ବେ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।