ରଖେ ହରି ମାରେ କିଏ : ମୂମୂର୍ଶୁ ଅବସ୍ଥାରେ ଧାନ କ୍ଷେତରେ ପଡ଼ିଥିବା ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କଲେ ସାମ୍ବାଦିକ ଓ ଅଗ୍ନିଶମ ବାହିନୀ
ଦାନଗଦି, ତା ୨୩/୯ : ଦାନଗଦି ଫାଣ୍ଡି ଅନ୍ତର୍ଗତ ସାତବାଂଶିଆ ଗାଁ ନିକଟ ଟୋଲଙ୍ଗମୂଳ ଧାନ ବିଲରେ ପାଣିରେ ପଡ଼ିଥିବା ଜଣେ ଅପରିଚିତ ଯୁବକକୁ ମୂମୂର୍ଷୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଦାନଗଦି ଡ଼ାକ୍ତରଖାନାରେ ଭର୍ତି କରିଛି। ଡ଼ାକ୍ତର ଖାନାରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା କରାଯାଇଥିଲା। ଅକ୍ସିଜେନ୍ ପାଇବା ପରେ ଯୁବକ ଜଣକ ନିଶ୍ବାସ ପ୍ରସ୍ୱାସ ନେବା ଆରମ୍ଭ କରିଥିଲେ । ଏବେ ଯୁବକଙ୍କ ସ୍ବାସ୍ଥ୍ୟବସ୍ତା ରେ ଟିକେ ଉନ୍ନତି ଆସିଛି। ତାଙ୍କ ପରିଚୟ ମିଳି ପାରିନାହିଁ।
ସୂଚନା ମୁତାବକ ଆଜି ସକାଳୁ ସାତବାଂଶିଆ ଗ୍ରାମରେ ଅଭିମନ୍ୟୁ ଦେହୁରୀ ସାମ୍ବାଦିକ ବିପ୍ଲବ ପଣ୍ଡା ଙ୍କୁ ଜଣେ ଯୁବକ ବିଲ ମଧ୍ୟରେ ଥିବା ପାଣିରେ ପଡ଼ି ଛଟ ପଟ ହେଉଥିବାର କଥା ଫୋନ ଯୋଗେ ଜଣାଇଥିଲେ। ଏଭଳି ଖବର ଜାଣିବା ପରେ ଶ୍ରୀ ପଣ୍ଡା ତୁରନ୍ତ ଦାନଗଦି ଅଗ୍ନିଶମ ବାହିନୀ ର ଅଧିକାରୀ ଦାଶରଥି ନାୟକ ଏବଂ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଙ୍କୁ ଖବର ଦେଇଥିଲେ । ଉଭୟଙ୍କ ସହ ଫୋକସ ପ୍ଲସ ସାମ୍ବାଦିକ ପଦ୍ମଲାଭ ପୋହି ଏବଂ ଅର୍ଗସ ସାମ୍ବାଦିକ ସନ୍ତୋଷ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଜଣେ ଅଚିହ୍ନା ଯୁବକ ବିଲରେ ଆଣ୍ଠୁଏ ପାଣିରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବାର ଦେଖିଥିଲେ। ପରେ ତାଙ୍କୁ ଦମକଳ ଗାଡ଼ିରେ ଦାନଗଦି ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତରଖାନା ଅଧିକାରୀ ଡାକ୍ତର ଜ୍ୟୋତି ପ୍ରକାଶ ସାହୁ ଓ ଅନ୍ୟ ଡାକ୍ତର ମାନଙ୍କ ପ୍ରଚେଷ୍ଟାରେ ଯୁବକ ଜଣକ ବଞ୍ଚି ଯାଇଥିଲେ। ସମସ୍ତଙ୍କ ସହଯୋଗ ରେ ଯୁବକ ଜଣକ ନୂଆ ଜୀବନ ପାଇପାରିଛନ୍ତି ।