ଖଲ୍ଲିକୋଟ ୨୫/୦୫ : ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଉଦ୍ଧେଶ୍ୟରେ ଗାଁ ଠାରୁ ବହୁ ଦୂରରେ ଦାଦନ ଖଟୁଥିବା ଶ୍ରମିକଙ୍କ ପାଇଁ କରନା ଆଣି ଦେଇଛି ବହୁ ଦୁଃଖ ଓ ଯାତନା ।ଲକ ଡାଉନ ଯୋଗୁଁ ଜୀବିକା ହରାଇଥିବା ଦାଦନ ଶ୍ରମିକ ମାନେ ଗାଁ ମୁହାଁ ହୋଇଛନ୍ତି ।କିଏ ପାଦରେ ଚାଲି ଚାଲି ଗାଁ କୁ ଫେରୁଥିବା ସମୟରେ ରାସ୍ତାରେ ଟଳି ପଡି ନିଜର ଜୀବନ ହାରିଥିବା ବେଳେ କିଏ ନିଜର ପ୍ରିୟ ପରିଜନ ର ଅନ୍ତେଷ୍ଟି କ୍ରିୟା ରେ ଯୋଗ ଦେଇ ପାରିନି ।
ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁ ରେ ।ଗତକାଲି ଅପରାହ୍ନରେ ତୋଟାଗାଁ ର ଧୋବଣୀ ସ୍ବାଇଁ(୭୧) ଙ୍କ ଶ୍ୱାସ ଜନିତ ରୋଗରେ ହଠାତ।ମୃତ୍ୟୁ ହୋଇଥିଲା ।ତାଙ୍କର ଏକ ମାତ୍ର ଗୋଟିଏ ପୁଅ ସୁଦୂର ଚେନ୍ନାଇ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରୁ ସେ ତୁରନ୍ତ ଗ୍ରାମରେ ପହଁଚିବା ସମ୍ଭବ ନ ଥିଲା ।ମୃତ ଧୋବଣୀ ଙ୍କ ଦୁଇ ପୁତୁରା ୧୨ ଦିନ ପୂର୍ବେ ବାହାର ରାଜ୍ୟ ରୁ ଫେରି ଖଲ୍ଲିକୋଟ ସରସ୍ବତୀ ଶିଶୁ ମନ୍ଦିର ସଙ୍ଗରୋଧ କେନ୍ଦ୍ର ରେ ରହୁଥିବା ରୁ ମୁଖାଗ୍ନି ଦେବାପାଇଁ ବଡ଼ ପୁତୁରା ସନ୍ତୋଷ କୁ ଛାଡି ବାକୁ ଏନଏସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଙ୍କୁ ଅନୁରୋଧ କରିଥିଲେ ଗ୍ରାମବାସୀ ଓ ପରିବାର ବର୍ଗ ।
ନିର୍ବାହୀ ଅଧିକାରୀ ଛତ୍ରପୁର ରେ ଥିବାରୁ ସେ ଖଲ୍ଲିକୋଟ ରେ ପହଁଚିବା ପରେ ରାତି ପ୍ରାୟ ୯ ଟା ବେଳେ ବଡ଼ ପୁତୁରା ସନ୍ତୋଷ କୁ କୋଭିଡ-୧୯ ଗାଡ଼ି ରେ ତୋଟାଗାଁ କୁ ଅଣାଯାଇଥିଲା ।ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିବାରୁ ମୃତଦେହକୁ ସ୍ମଶାନକୁ ନେଇଯାଇଥିଲେ ସ୍ବପରିଜନ ।ସ୍ମଶାନରେ ସନ୍ତୋଷ ପହଞ୍ଚି ଖୁଡି ଧୋବଣୀ ଙ୍କୁ ମୁଖାଗ୍ନି ଦେଇ ଥିଲେ ।ସନ୍ତୋଷ ଏବେ ହୋମ କୁଆରେଣ୍ଟାଇନ ରେ ଥିବା ବେଳେ ସେପଟେ ନିଜ ମାଆ ର ମଲା ମୁହଁକୁ ଅନ୍ତିମ ଦର୍ଶନ କରିପାରିନଥିବାରୁ ଦୁଃଖ ରେ ଭାଙ୍ଗି ପଡିଥିବା ପୁଅ ଚେନ୍ନାଇ ରୁ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଆସୁଥିବା ଏକ ବସ ରେ ଗାଁ କୁ ଫେରୁଥିବା ଜଣାପଡିଛି ।ଗତକାଲି ଏହି ବସ ଟି ଚେନ୍ନାଇ ରୁ ବାହାରିଥିବା ଖବର ମିଳିଛି ।ତେବେ ଏହି ଘଟଣା ତୋଟାଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।