Odisha news

ବାତ୍ୟା ମୁକାବିଲା ତଦାରଖ ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପରିଦର୍ଶନ

0
ବେତନଟୀ (Suvendra Pattanaik )- ଆସନ୍ତ ବାତ୍ୟା “ଦାନା “କୁ ନେଇ ମୟୁରଭଞ୍ଜ ଜିଲ୍ଲାକୁ ଲାଲ ସତର୍କ ଜାରି କରାଯାଇଥିବା ବେଳେ ଏହାର ପ୍ରଭାବ ଜିଲ୍ଲାରେ ଆରମ୍ଭ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୁରଭଞ୍ଜ ଜିଲ୍ଲାର ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାକୁ ନେଇ ପରିଚାଳନା ଦାୟିତ୍ୱରେ ଥିବା ମନ୍ତ୍ରୀ ଡା ମହାପାତ୍ର, ବଡ଼ସାହି ବିଧାୟକ ସନାତନ ବିଜୁଳି ,  ଓ ବରିଷ୍ଠ ଆଇଏଏସ ଅଧିକାରୀ ବିନୀତ ଭରଦ୍ୱାଜ ଗୁରୁବାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି।
ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ସହିତ ପରିଚାଳନା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ଥିବା ୪୫୦ ବାତ୍ୟା ଆଶ୍ରୟସ୍ଥଳୀରେ ୩୪ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ସ୍ଥାନାନ୍ତରୀକରଣ କରାଯାଇଛି। କଚ୍ଚା ଘର ଏବଂ ବିପଦସଂକୁଳ ସ୍ଥାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧ୍ୟା ପୂର୍ବରୁ ସମସ୍ତଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ କର୍ମଚାରୀ କାର୍ଯ୍ୟରତ ମଧ୍ୟ ରହିଛନ୍ତି। ମନ୍ତ୍ରୀ ଡା ମହାପାତ୍ର ବଡ଼ସାହି, ମାଣତ୍ରି, ବୈଶିଙ୍ଗା, ମୋରଡା, ରାସଗୋବିନ୍ଦପୁର, ଶୁଲିଆପଦା ଆଦି ବ୍ଲକରେ ବୁଲି ପରିସ୍ଥିତି ପରଖିଛନ୍ତି।ତାଙ୍କ ସହିତ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବିଧାୟକ ଭାଦବ ହାସଁଦ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବ୍ରଜମୋହନ ବେହେରା ଏବଂ ଅନ୍ୟ ସଦସ୍ୟ ପ୍ରମୂଖ  ବାତ୍ୟା ସ୍ଥିତି ସେନେଇ ଆଶ୍ରୟ ସ୍ଥଳୀର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ରାତିରେ ବାତ୍ୟା ଦାନା ଲ୍ୟାଣ୍ଡଫଳ କରିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ନାରାକୁ କାର୍ଯ୍ୟକାରୀ  କରି ଲୋକଙ୍କୁ ସୁରକ୍ଷିତ ରଖି ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଔଷଧ, ପରିମଳ ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଗୁରୁବାର ମଧ୍ୟାହ୍ନରୁ ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାକୁ ବର୍ଷା ଏବଂ ପବନର ବେଗ ବୃଦ୍ଧି ପାଇଥିଲା। ଜିଲ୍ଲାକୁ ଅରେଞ୍ଜ ୱାରନିଙ୍ଗ ଜାରି କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି କରାଯାଇଛି। ବେତନଟୀ ବ୍ଲକର ବିଡିଓ ଗୋପିନାଥ ଖାଖା ଙ୍କ ସୂଚନା ଅନୁଯାଇ ୪୫ ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଛଅ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁବିଧାରେ ରଖାଯାଇଛି।ସ୍ଵାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଏହି ଆଶ୍ରୟସ୍ଥଳୀରେ ନିୟୋଜିତ କରାଯାଇଛି। ଏଥି ସହିତ ବିଦ୍ୟୁତ ବିଭାଗ, ରାଜସ୍ଵ ବିଭାଗ, ଜଙ୍ଗଲ ବିଭାଗ, ପଶୁ ସମ୍ପଦ ବିଭାଗ କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି |
Leave A Reply