ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଜଣେ କୋରନା ଆକ୍ରାନ୍ତ ବୟସ୍କ ମହିଳାଙ୍କ କ୍ଷେତ୍ରରେ ରୋଗୀ ବଂଚିଛନ୍ତି ନା ମରିଛନ୍ତି ଜାଣିନପାରିବା ପରି ଘଟିଥିବା ଏକ ଅଭାବନୀୟ ଘଟଣା କେବଳ ପରିବାର ଲୋକଙ୍କୁ ଅକଥନୀୟ ମାନସିକ ଯନ୍ତ୍ରଣା ଦେଇନାହିଁ ବରଂ ରାଜ୍ୟରେ କୋଭିଡ୍ ଚିକିତ୍ସ୍ୟା ର ପରିଚାଳନାଗତ ଅବ୍ୟବସ୍ଥାକୁ ପଦାକୁ ଆଣିଛି ।
ଅଭିଯୋଗ ଅନୁସାରେ, ରାଇରଙ୍ଗପୁର ୧୨ନମ୍ବର ୱାର୍ଡର ଚନ୍ଦନ ବେହେରାଙ୍କ ମା’ ଋକ୍ମଣୀ ଓ ପନôୀ କରୋନା ଆକ୍ରାନ୍ତ ହୋଇ ଗତ ୭ତାରିଖରେ ବାରିପଦା କିମ୍ସ କୋଭିଡ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ସେଠାରେ ଋକ୍ମଣୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘୋରଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତରମାନେ ଚନ୍ଦନଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ କଥାରେ ରାଜି ହୋଇଥିଲେ ଚନ୍ଦନ ।
ହେଲେ ୮ତାରିଖରେ ମା’ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କେତେବେଳେ କରାଗଲା, ସେକଥା ପରିବାର ଲୋକଙ୍କୁ ଜଣାଗଲା ନାହିଁ । ଆଉ ଏହାପରଦିନ ଚନ୍ଦନଙ୍କୁ ଫୋନ୍ରେ ଜଣାଇ ଦିଆଗଲା ଯେ, ତୁମ ମା’ଙ୍କର ମୃତୁ୍ୟ ଘଟିଛି, ଆସ ଦେଖି ଯାଅ । କିନ୍ତୁ କୋଭିଡ୍ କଟକଣା ଯୋଗୁଁ ରାଇରଙ୍ଗପୁର ଭୁବନେଶ୍ୱର ଆସିବା ପରିବାର ଲୋକଙ୍କ ପାଇଁ ସମ୍ଭବ ହୋଇନଥିଲା । ତେଣୁ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଭୁବନେଶ୍ୱରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ତାଙ୍କୁ କୁହାଯାଇଥିଲା । ଗତକାଲି ହଠାତ୍ ଚନ୍ଦନଙ୍କ ପାଖକୁ ଆଉ ଏକ ଫୋନ୍ କଲ୍ ଆସିଥିଲା ।
ଫୋନ୍ କରିଥିବା ବ୍ୟକ୍ତି କହିଥିଲେ ଯେ, ତୁମ ମା’ ବଂଚିଛନ୍ତି । ମା’ ବଂଚିଥିବା କଥା ଶୁଣି ପୂରା ପରିବାର ସ୍ତବ୍ଧ ହୋଇଯାଇଥିଲେ । ତେଣୁ କାଳବିଳମ୍ବ ନକରି ମା’ଙ୍କୁ ଖୋଜିବା ପାଇଁ ଚନ୍ଦନ ଓ ତାଙ୍କ ସାଙ୍ଗମାନେ ବାରିପଦା ଆସିଥିଲେ । ମା ମୃତ କି ଜୀବିତ, ଏହାକୁ ନେଇ ପରିବାର ଲୋକେ ଦ୍ୱନ୍ଦରେ ପଡିଥିବାବେଳେ ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସଂପୃକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ କିମ୍ସ କୋଭିଡ୍ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ମାତ୍ର ସମ୍ଭବପର ହୋଇନଥିଲା ।
