କୋଭିଡ ୧୯ ସଂକ୍ରମଣ ରୋକିବା ନିମନ୍ତେ ସେଲ ରାଉରକେଲା ଇସ୍ପାତ କାରଖାନା ଏହାର ପ୍ରୟାସଗୁଡିକୁ ଅଧିକ ତ୍ୱରାନ୍ୱିତ କରୁଛି।ଏହି କ୍ରମରେ କାରଖାନା ଦ୍ଵାରା ଗ୍ରହଣ କରାଯାଉଥିବା ବିବିଧ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସମତାଳରେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, ବ୍ୟାପକ ବିଶୋଧନ ଅଭିଯାନ, କର୍ମଚାରୀ ଓ ସହରବାସିନ୍ଦାଙ୍କ ମଧ୍ୟରେ କୋଭିଡ ସମ୍ବନ୍ଧୀୟ ମାର୍ଗଦର୍ଶନଗୁଡିକର କଡାକଡି ଅନୁପାଳନର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ଅନ୍ୟ ପ୍ରୟାସ ଗ୍ରହଣ ସାମିଲ ରହିଛି। ଆରଏସପିର ଏକ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ ପରିସ୍ଥିତିକୁ ନିରୀକ୍ଷଣ କରିବା ସହିତ ସ୍ଥିତିରେ ପରିବର୍ତ୍ତନ ଓ ମାର୍ଗଦର୍ଶିକା ଅନୁପାଳନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରୁଛି ।
ସହର ଇଞ୍ଜିନିୟରିଂ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ୟୁନିଟ ଅଗ୍ନିଶମ ସେବା ବିଭାଗର ସହଭାଗିତାରେ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସଂବେଦନଶୀଳ ଅଞ୍ଚଳଗୁଡିକରେ ବ୍ୟାପକ ବିଶୋଧନ କାର୍ଯ୍ୟକ୍ରମ ଜାରିରଖିଛି। ବହୁ ସଂଖ୍ୟାରେ ଯାତାୟାତ ପରିଲକ୍ଷିତ ହେଉଥିବା ଏହି ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳଗୁଡିକୁ ଅଗ୍ରାଧିକାର ଭିତ୍ତିରେ କୀଟାଣୁ ବିଶୋଧକ ସ୍ପ୍ରେ କରି ବିଶୋଧିତ କରାଯାଉଛି। ସର୍ବନିମ୍ନ ସମୟ ମଧ୍ୟରେ ଅଧିକ ଅଞ୍ଚଳ ବିଶୋଧିତ କରିବା ନିମନ୍ତେ ଫାୟାର ଟେଣ୍ଡର ଉପଯୋଗ କରାଯାଉଛି ।ଅପର ପକ୍ଷରେ ଇସ୍ପାତ କାରଖାନା ମଧ୍ୟରେ ବିଶୋଧନ ଅଭିଯାନର ଦାୟିତ୍ଵ ସିଭିଲ ଇଞ୍ଜିନିୟରିଂ ସର୍ଭିସେସ ନିର୍ବାହ କରୁଛି । ଉକ୍ତ ବିଭାଗ ସ୍ପେଇଙ୍ଗ ମେସିନର ସହଯୋଗରେ କାରଖାନା ମଧ୍ୟରେ ବିଭିନ୍ନ ସଂବେଦନଶୀଳ ଅଞ୍ଚଳ, ସପ ଫ୍ଲୋର ଓ କାରଖାନା ମଧ୍ୟରେ ଥିବା ଯନ୍ତ୍ରୋପକରଣଗୁଡିକର ବିଶୋଧନ କାର୍ଯ୍ୟ ସମ୍ପାଦନ କରୁଛି। ଏଥିସମେତ ଟ୍ରାଫିକ ଗେଟ ଦେଇ ପ୍ରବେଶ କରୁଥିବା ସାମଗ୍ରୀଗୁଡିକର ବିଶୋଧନ ନିମନ୍ତେ ମଧ୍ୟ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛି। କାରଖାନାର ପ୍ରବେଶ ଗେଟଗୁଡିକରେ ପ୍ରବେଶ କରୁଥିବା ସମସ୍ତଙ୍କ ହାତ ବିଶୋଧନ ଅଭ୍ୟାସ ଜାରି ରଖାଯାଇଛି । ଅଗ୍ନିଶମ ସେବା ବିଭାଗ ଓ କାର୍ମିକ ବିଭାଗ ଏହି ଅଭିଯାନ ସମ୍ପନ୍ନ କରୁଛନ୍ତି। ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ଏବଂ ବିନା ମାସ୍କରେ କାହାରିକୁ କାରଖାନାରେ ପ୍ରବେଶ ଅନୁମତି ଦିଆଯାଉନି। ସଦ୍ୟତମ ପ୍ରୟାସ ସ୍ୱରୂପ କାରଖାନାରେ କର୍ମଚାରୀ ଓ ଠିକା ଶ୍ରମିକଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି । ଏହି ପ୍ରୟାସ ଅନ୍ତର୍ଗତ ପ୍ରତ୍ୟେକ କର୍ମଚାରୀଙ୍କ ଶରୀର ତାପମାତ୍ରା ଦୈନନ୍ଦିନ ଆଧାରରେ ଥର୍ମାଲ ଗନ ଜରିଆରେ ରେକର୍ଡ କରାଯାଉଛି । କାରଖାନାରେ ଅପୋଷ ସଂକ୍ରମଣ ଏଡାଇବା ନିମନ୍ତେ ସ୍ପର୍ଶ ରହିତ ଇନଫ୍ରା ରେଡ ଫୋରହେଡ ଥର୍ମୋମିଟର ବା ତାପମାତ୍ରା ଗନ ଏହି କାର୍ଯ୍ୟରେ ବ୍ୟବହୃତ ହେଉଛି । ୩୭.୪ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ଶରୀର ତାପମାତ୍ରା ଥିବା କର୍ମଚାରୀମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି ।