ଆମେରିକାରେ ୫୭ ହଜାର ମୃତ , ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୨ ହଜାର ଟପିଲା,୧୦ ରାଷ୍ଟ୍ରରେ କୋଭିଡ୍-୧୯ର ଭୟାନକ ରୂପ
ନୂଆଦିଲ୍ଲୀ: ୧୦ଟି ରାଷ୍ଟ୍ରରେ ଏହାର ମାମଲା ଓ ଭୟାବହତା ଅଧିକ ରହିଛି: ସେଥିରେ ରହିଛି, ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ମୃତ୍ୟୁସଂଖ୍ୟା ୫୭,୦୦୦ ଟପିଥିବା ବେଳେ, ଏହି ସଂଖ୍ୟା ଖୁବ୍ ଶିଘ୍ର ‘୫୮ ହଜାରର ଐତିହାସିକ ସଂଖ୍ୟା’ ରେ ପହଞ୍ଚିଯିବ ବୋଲି ଜନ୍ ହପ୍କିନ୍ସ ୟୁନିଭର୍ସିଟି କହିଛି। ଭିଏତ୍ନାମ୍ ଯୁଦ୍ଧରେ ସେତିକି ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ। ଦ୍ୱିତୀୟରେ ରହିଛି ସ୍ପେନ୍। ଏହି ୟୁରୋପୀୟ ଦେଶରେ ଦ୍ୱିତୀୟ ସର୍ବାଧିକ କୋଭିଡ୍-୧୯ ମାମଲା ରହିଛି। ତାହା ହେଉଛି ୨,୨୯,୪୨୨ ଏବଂ ମୃତ୍ୟୁସଂଖ୍ୟା ୨୩,୦୦୦ରୁ ବେଶି। ତୃତୀୟରେ ଇଟାଲି।
ବିଶ୍ୱର ସର୍ବୋତ୍ତମ ମେଡିକାଲ ସୁବିଧା ଥିବା ଏହି ଦେଶରେ ୧,୯୯, ୪୧୪ ମାମଲା ଥିବା ବେଳେ ଦ୍ୱିତୀୟ ସର୍ବାଧିକ କରୋନାଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୨୬,୯୭୭ ଏହି ଦେଶର। ଏହାର ଲୋମ୍ବାର୍ଡି ଅଞ୍ଚଳ ହେଉଛି ମାତ୍ରାଧିକ ପ୍ରଭାବିତ। ଚତୁର୍ଥରେ ଆଉ ଏକ ୟୁରୋପୀୟ ଦେଶ ଫ୍ରାନ୍ସ। ଏଠାରେ ୧,୬୪,୫୮୯ ସଂକ୍ରମିତ ମାମଲା ଥିବା ବେଳେ ମୃତ୍ୟୁସଂଖ୍ୟା ୨୩,୨୯୩ ଟପିଲାଣି। ପଞ୍ଚମରେ ଅଛି ଅନ୍ୟ ଏକ ବିକଶିତ ଓ ଶକ୍ତିଶାଳୀ ୟୁରୋପୀୟ ରାଷ୍ଟ୍ର ଜର୍ମାନି। ଏଠାରେ ସଂକ୍ରମିତ ମାମଲା ୧,୫୮,୭୫୮ ହୋଇଥିବା ବେଳେ ଦେଶରେ ଏହି ରୋଗରେ ମୃତ୍ୟୁସଂଖ୍ୟା ୫,୭୫୦ ଟପିଲାଣି। ତେବେ ଏହା ଅନ୍ୟ ୟୁରୋପୀୟ ରାଷ୍ଟ୍ର ତୁଳନାରେ ଖୁବ୍ କମ୍। ଅନ୍ୟ ଦେଶ ତୁଳନାରେ ଜଲ୍ଦି ଓ କଡ଼ା ଲକ୍ଡାଉନ୍ ଲାଗୁ କରିବାରୁ ଜର୍ମାନି ଏହି ସଫଳତା ପାଇଛି। ପ୍ରଥମ ସଂକ୍ରମିତ ମାମଲା ଜଣାପଡୁପଡୁ ଏଠାରେ ଲକ୍ଡାଉନ୍ ଲାଗୁ ହୋଇଥିଲା। ଷଷ୍ଠରେ ଅଛି ବ୍ରିଟେନ୍। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନ୍ରେ ସଂକ୍ରମିତ ମାମଲା ୧,୫୭,୧୪୯ ହୋଇସାରିଛି। ଏ ରୋଗରେ ସଂକ୍ରମିତ ହେବାରେ ପ୍ରଥମ ସଂଭ୍ରାନ୍ତ ନେତା ହେଉଛନ୍ତି ଏ ଦେଶର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍। ହସପିଟାଲରେ ସେ ସପ୍ତାହେରୁ ବେଶି ସମୟ କାଟିଛନ୍ତି। ତାଙ୍କ ଭଳି ତିନି ଜଣ ରୋଗୀ ଇଣ୍ଟେନସିଭ୍ କୟାର ୟୁନିଟରେ ରହିଛନ୍ତି ଏବଂ ଏ ସୋମବାର କାର୍ଯ୍ୟକୁ ଫେରିଛନ୍ତି। ଦେଶର ଏ ରୋଗଜଡ଼ିତ ମୃତ୍ୟୁସଂଖ୍ୟା ୨୧,୦୯୨। ସପ୍ତମରେ ଅଛି ତୁର୍କୀ। ଏ ଦେଶରେ ୧,୧୨,୨୬୧ଟି କରୋନାଭୂତାଣୁ ସଂକ୍ରମିତ ମାମଲା ଥିବାବେଳେ କୋଭିଡ୍-୧୯ରେ ମରିଛନ୍ତି ୨,୯୦୦ ଜଣ। ଅଷ୍ଟମ ସ୍ଥାନରେ ଇରାନ୍। ଏହି ଏସୀୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଭୟାବହତା ଅତ୍ୟନ୍ତ ଜଟିଳ ଥିଲା। ଏ ଦେଶରେ କୋଭିଡ୍-୧୯ ମୃତ୍ୟୁସଂଖ୍ୟା ୫,୮୦୬ ରହିଛି। ଟେଷ୍ଟିଂ କରାଯିବା ପରେ କରୋନାଭୂତାଣୁ ସଂକ୍ରମଣ ମାମଲା ୯୧,୪୭୨ୂ ହୋଇଛି। ନବମ ସ୍ଥାନରେ ରହିଛି ରୁଷିଆ। କୋଭିଡ୍-୧୯ ମାମଲାରେ ଏ ଦେଶ ଚୀନ୍କୁ ଟପିଯାଇଛି। ଏହାର ସଂଖ୍ୟା ୮୭,୦୦୦ ଉପରକୁ ଉଠିଛି। ଲକ୍ଡାଉନ୍ କୋହଳ କରିବା ପାଇଁ ଚାପ ପଡ଼ିବା ପରେ କରୋନା ମୃତ୍ୟୁସଂଖ୍ୟା ୭୯୪ ଟପିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଅନେକ ସର୍ବସାଧାରଣ ସ୍ଥଳକୁ ଗତ ମାର୍ଚରେ ବନ୍ଦ କରିଦେଇଥିଲେ। ଦଶମ ସ୍ଥାନରେ ରହିଛି ଚୀନ୍। ସେଠାରେ କରୋନାଭୂତାଣୁ ପଜିଟିଭ୍ ମାମଲା ୮୨,୮୩୬ ଥିବା ବେଳେ ତହିଁରୁ ୬୪୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ଏବଂ ୭୭,୫୫୫ ଜଣ ହସପିଟାଲରୁ ଘରକୁ ବାହୁଡ଼ିସାରିଛନ୍ତି। ଚୀନ୍ରେ ମୃତ୍ୟୁସଂଖ୍ୟା ୪,୬୩୩ରେ ରହିଛି।