ବାରିପଦା/ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଇଦର ଗ୍ରାମରେ ଜଣେ ନାବାଳକ କରୋନା ଚିହ୍ନଟ ହେବାପରେ ଉକ୍ତ ଗ୍ରାମବାସୀଙ୍କୁ ସାମାଜିକ ବାସନ୍ଦ କରାଯିବାପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ସାମାଜିକ ବାସନ୍ଦ ଘଟଣା ପ୍ରତିବାଦରେ ଇଦର ଗ୍ରାମବାସୀମାନେ ବାରମାଇଲ୍ ଛକଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ନାବାଳକଙ୍କ କରୋନା ପଜିଟିଭ୍ ଚିହ୍ନଟ ପରେ କୋଭିଡ୍ କେୟାର ହସ୍ପିଟାଲକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଚିକିସôା ପାଇଁ ନେଇଯାଇଥିଲେ ।
ପରେପରେ ଉକ୍ତ ଗ୍ରାମର ଲୋକମାନଙ୍କୁ କୌଣସି ପୋଖରୀରେ ଗାଧେଇବା, କୂଅରୁ ପାଣିଆଣିବା ଓ ବଜାରରୁ ସଉଦା ଆଣିବାକୁ ପାଖ ସାହିର ଲୋକମାନେ ବାରଣ କରିଥିଲେ । ଫଳରେ ଉକ୍ତ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ଶେଷରେ ଘଟଣାସ୍ଥଳରେ ମୋରଡା ବିଡିଓ, ତହସିଲଦାର ଓ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
