ଭୁବନେଶ୍ୱର ,୦୫ ଅଗଷ୍ଟ – କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି । ଏଭଳି ସ୍କଲ ଗୁଡିକୁ ଫିସ୍ ଛାଡ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଛନ୍ତିଯେ,କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ବ୍ୟବସାୟିକ କାରବାର ବି ଠପ୍ ହୋଇଯାଇଛି । ଏଭଳି ସ୍ଥିତିରେ କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକ କେବଳ ଟ୍ୟୁସନ ଫି ନୁହେଁ, ବରଂ ଡେ ବୋର୍ଡ଼ିଂ ଚାର୍ଜଠାରୁ ନେଇ ଫୁଡ଼ିଂ ପର୍ଯ୍ୟନ୍ତ ଟଙ୍କା ବି ନେଉଛନ୍ତି । ଏଭଳି ପଇସା ଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବେସରକାରୀ ସ୍କୁଲଗୁଡ଼ିକରେ ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ । ବେଆଇନ ଭାବେ ବିଭିନ୍ନ ଫିସ ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୋ ସ୍କୁଲ ନୋ ଫି ନ୍ୟାୟରେ ସେମାନେ ଅଭିଭାବକମାନଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତୁ । ଘରୋଇ ସ୍କୁଲଗୁଡ଼ିକରେ ୨୫% ଗରିବ ଓ ଅବହେଳିତ ବର୍ଗର ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ସୁନିଶ୍ଚିତ କରାଯାଉ । ବିନା ଏନଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶ୍ରୀ ସତ୍ୟପ୍ରକାଶ ନାୟକ, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ଅଶୋକ ଦାସ, ବିଶ୍ୱଜିତ୍ ଦାସ, ନାସିର ନୱାଜ, ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
