Odisha news

ଓଡିଶାର ସମସ୍ତ ଅଂଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁଲଭ୍ୟ ହେବ – ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର , ୦୫ ଅଗଷ୍ଟ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଂଚମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ରାଜ୍ୟର ସମସ୍ତ ଅଂଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା । ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ ।
ବ୍ରହ୍ମପୁରର ଏମକେସିଜିରେ ଉପସ୍ଥିତ ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ୱାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ଗଞ୍ଜାମ ଜିଲ୍ଲାରେ ବର୍ତମାନ ସୁଦ୍ଧା ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ । ବୁର୍ଲାର ଭିମସାର ଠାରେ ଉପସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ପ୍ଲାଜମା ବ୍ୟାଙ୍କ ପାଇଁ ଆଜି ପଶ୍ଚିମ ଓଡିଶାର ଲୋକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି । କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକମାନଙ୍କୁ ଭଗବାନ ଆଶୀର୍ବାଦ କରିବେ ଏବଂ କରୋନା ଯୁଦ୍ଧରେ ଚାଲିଥିବା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ବ୍ରହ୍ମପୁରର ଏମକେସିଜିର ପ୍ରଥମ ପ୍ଲାଜମାଦାତା ଡଃ ଶୁଭ୍ରାଂଶୁ ମୋହନ ସାହୁ ଏବଂ ବୁର୍ଲା ଭିମସାରର ପ୍ରଥମ ପ୍ଲାଜମାଦାତା ଶ୍ରୀ ରବୀନ୍ଦ୍ର ସାହୁ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହିତ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ ।ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଭିମସାର୍ ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

IEC 2 years
Leave A Reply