ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ , ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ
ଶ୍ରୀପଞ୍ଚମୀର ପବିତ୍ର ତିଥିରେ 2023 ପୁରୁଷ ବିଶ୍ବକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଉରକେଲା ଠାରେ 2023ପୁରୁଷ ବିଶ୍ବକପ୍ ହକି ଆୟୋଜନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ଆନ୍ତର୍ଜାତୀୟ ମାନର ଷ୍ଟାଡିଅମର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଷ୍ଟାଡିଅମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଷ୍ଟାଡିୟମ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ ।ଏହି ଷ୍ଟାଡିଅମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ବପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଉରକେଲା ସହିତ ବିଜୁବାବୁଙ୍କର ସଂପର୍କ ବିଷୟ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି NIT ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି ।
ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏକ୍କା କିପରେ ଭୁବନେଶ୍ବରର ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ତାଙ୍କର ଉଦ୍ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଜୟନ୍ତୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।
ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ବହୁ ମନ୍ତ୍ରୀ ସାସଦ ବିଧାୟକ ଯୋଗ ଦେଇଥିଲେ । ବିଶିଷ୍ଟ ହକି ତାରକା ଶ୍ରୀ ଦିଲ୍ଲୀପ ତୀର୍କୀ ଧନ୍ୟବାଦ ଦେଇଥିଲେ
Comments are closed.