କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଆଲୋଚନା
ଶ୍ରୀ ଶାହଙ୍କ ଆଶ୍ୱାସନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଅର୍ଣ୍ଣବର ପ୍ରଭାବକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାର ବାତ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତି ଏବଂ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ବିପତ୍ତି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଶାହ ଆଶ୍ୱାସନା ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଜର କୃତଜ୍ଞତା ଜ୍ଞାପନ କରି କହିଛନ୍ତି, “ବାତ୍ୟା ‘ଅର୍ଣ୍ଣବ’ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାକୁ ସମସ୍ତ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ସହଯୋଗ ଓ ସମର୍ଥନ ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା, କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱାସନା ଏବଂ ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବ।” ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ଓ ରାସ୍ତାଘାଟ ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହିତ ଏନ୍ଡିଆର୍ଏଫ୍ (NDRF) ଓ ଏସ୍ଡିଆର୍ଏଫ୍ (SDRF) ଟିମ୍ ନିୟୋଜିତ ରହିଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିବେ ବୋଲି ଜଣାପଡ଼ିଛି।
