ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ନେତାମାନଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ କଥା ହୋଇଛନ୍ତି । ମେ’ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସେ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ କଥା ହୋଇଛନ୍ତି । ଏଥି ସହିତ ସିପିଏମ ନେତା ଅଳି ପଟ୍ଟନାୟକ, ସମାଜବାଦୀ ପାର୍ଟି ନେତା ରବି ବେହେରା ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଗୀତ ଗାଇ ପ୍ରତ୍ୟେକ ଓଡ଼ିଆ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଜୀବନ ବଞ୍ଚାଇବାରେ ଓଡ଼ିଶା ବିଶ୍ବ ଲାଗି ଉଦାହରଣ ସାଜିଛି। ଆମ ରାଜ୍ୟରେ କରୋନ ମୃତ୍ୟୁହାର ସବୁଠାରୁ କମ୍ ରହିଛି। ଏହାର କାରଣ ହେଉଛି ଗତ ଦୁଇମାସ ଧରି କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରିଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା। ଏହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବିଶ୍ୱର କୋଣଅନୁକୋଣରେ ଓଡ଼ିଆ ଭାଇଭଉଣୀ ଯେଉଁଠି ଥାଆନ୍ତୁ ନା କାହିଁକି ସାମାଜିକ ଦୂରତାକୁ ବଜାୟ ରଖି ମେ ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ।