ମାନ୍ୟବର ବାଚସ୍ପତି ମହୋଦୟ,
ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ମାନ୍ୟବର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ । ଯେତେବେଳେ ଆମେ ଏ ଗୃହରେ ଏକାଠି ହେଲେ, ସେତେବେଳେ ଆମେ ସ୍ବର୍ଗତ ଦାସଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଲେ । ତାଙ୍କ ବିୟୋଗରେ, ଓଡିଶା ବିଶେଷ କରି ପଶ୍ଚିମ ଓଡିଶାର ବିକାଶ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରୁଥିବା ଜଣେ ପ୍ରଗତିଶୀଳ ନେତା ଓ ଆମର ଜଣେ ପ୍ରିୟ ସହଯୋଗୀଙ୍କୁ ଆମେ ହରାଇଲୁ ।
ଗତ ଜାନୁଆରୀ ୨୯, ୨୦୨୩ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍ଇନ୍ସପେକ୍ଟର ଓଡିଶାର ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଶ୍ରୀ ଗୋପାଳ ଦାସ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ । ଆମର ସମସ୍ତ ଉଦ୍ୟମ ସତ୍ତ୍ବେ ନବକିଶୋର ଦାସଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।
ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କୁ ମନୋନୀତ କରି ଏହି କେସ୍ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି ।
ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି ।
