ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି : ମୁଖ୍ୟମନ୍ତ୍ରୀ ଉଦଘାଟିତ ହେଲା ‘କୃଷି ଓଡିଶା-୨୦୨୦’
ଭୁବନେଶ୍ବର: ଜନତା ମଇଦାନଠାରେ ‘କୃଷି ଓଡ଼ିଶା-୨୦୨୦’ ଉଦଘାଟିତ ହୋଇଛି । ଜାନୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟ କୃଷି ନୀତି ଉନ୍ମୋଚନ କରିଛନ୍ତି । ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ବଳରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି ।
‘କୃଷି ଓଡ଼ିଶା-୨୦୨୦’ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାନ୍ତି, ଚାଷୀମାନେ ସ୍ୱାଭିମାନର ସହ ବଞ୍ଚନ୍ତୁ । କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତିର ମୂଳ ଲକ୍ଷ୍ୟ ହେଉଛି ଚାଷୀର ବିକାଶ । ଚାଷୀମାନେ ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ସେମାନେ ଅଧିକ ଲାଭବାନ୍ ହୋଇପାରିବେ । ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି ।
କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ‘କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୨୮ଟି ଷ୍ଟଲ୍ ନିର୍ମିାଣ କରାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି ଯୋଗଦେିଛନ୍ତି । ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ଯେଉଁଥିରେ ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗନେବେ।
ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତିରାଜ ଜନ ପ୍ରତିନିଧି ଓ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ‘କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି ।