Odisha news

କ୍ୟୁ ନେଟ୍ ଠକେଇର ଅନ୍ୟତମ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର,(ନି.ପ୍ର): ଚିଟଫଣ୍ଡ ସଂସ୍ଥା କ୍ୟୁ ନେଟ୍ ଠକେଇରେ ସାମିଲ ଥିବା ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଃ ଲିଃର ଅନ୍ୟତମ ପାର୍ଟନର ପ୍ରଶାନ୍ତ ମହାନ୍ତିଙ୍କୁ ସୋମବାର ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା((ଇଓଡବ୍ଲ୍ୟୁ) । ଗତ ବର୍ଷ ଅକ୍ଟୋବର ମାସରୁ ଫେରାର ଥିବା ପ୍ରଶାନ୍ତଙ୍କୁ ତାଙ୍କ ପଟିଆ ମାରୁତି ଭିଲ୍ଲାଘରୁ ତାଙ୍କୁ ଗିରଫ କରାଯାଇଛି । ଗିରଫ୍ କରାଯିବା ପରେ ତାଙ୍କୁ କଟକ ସ୍ଥିତ ଓପିଆଇଡି କୋର୍ଟର ପ୍ରିଜାଇଡିଂ ଅଫିସରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି ।

ପୂର୍ବରୁ ଏହି ଠକେଇ ଅଭିଯୋଗରେ ଜଗନ୍ନାଥ ବିହାର ଚନ୍ଦନ ମହାଳିକ, ବ୍ରହ୍ମେଶ୍ୱର ପାଟଣାର ଶରତ ପରିଡ଼ା ଓ ଚନ୍ଦ୍ରଶେଖରପୁରର ଦେବବ୍ରତ ହରିଚନ୍ଦନଙ୍କୁ ଇଓଡ୍ଲୁ ଗିରଫ କରିଥିଲା । ଡାଇରେକ୍ଟ ସେଲିଂ ମଲ୍ଟି ଲେଭେଲ ମାର୍କେଟିଂ ଯୋଜନାରେ ଏହି ସଂସ୍ଥା ଭୁବନେଶ୍ୱରରେ ୩୨ ନିବେଶକଙ୍କ ଠାରୁ ୧କୋଟି ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ସୂଚନା ମୁତାବକ, ଭାରତରେ ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଃ ଲିଃ କ୍ୟୁ ନେଟ୍ର ପ୍ରାଞ୍ଚାଇଜି ଥିଲା ।

୨୦୧୭ ମସିହାରେ ୫ ଲକ୍ଷ ପୁଞ୍ଜିନିବେଶ କଲେ ୫ କୋଟି ପାଇବାର ଲେଭ ଦେଖାଇ ଭୁବନେଶ୍ୱରରେ ଏହି ଅଭିଯୁକ୍ତମାନେ ଠକେଇ ଆରମ୍ଭ କରିଥିଲେ । ପ୍ରଥମେ ନିବେଶକ ମୋଟା ଅଙ୍କର ଅର୍ଥ ଜମା ରଖି ସଦସ୍ୟ ହେଉଥିଲା । ସେ ମଧ୍ୟ ସେ ଭଳି କେତେକ ନିବେଶକଙ୍କୁ ଯୋଗାଡ କରି ସଦସ୍ୟ ଭାବରେ କମ୍ପାନିରେ ସାମିଲ କରାଉଥିଲା । ସେହି ନିବେଶକଙ୍କ ଠାରୁ କିଛି ପ୍ରତିଶତ ସେ ସିଧା ସଳଖ ପାଉଥିବା ବେଳେ କେତେକ ଉତ୍ପାଦ ମଧ୍ୟ ବିକ୍ରି କରିବାକୁ ପଡୁଥିଲା ।

ବିଭିନ୍ନ ମିଟିଂ ନାମରେ କମ୍ପାନି ନିବେଶକଙ୍କୁ ମଝିରେ ମଝିରେ ବିଦେଶ ନେଇ ଯାଉଥିଲା । ସେଠାରେ ମଉଜମସ୍ତି କରୁଥିବା ସଦସ୍ୟ ଅଧିକ ସଦସ୍ୟ ସଂଗ୍ରହ କରିବାରେ ଲାଗିପଡୁଥିଲା । ଯେଉଁଠି ଏହି ଚେନ୍ ଅଟକି ଯାଉଥିଲା ସେହି ଶେଷ ନିବେଶକ କ୍ଷତି ସହୁଥିଲା । ଏଭଳି ୩୨ ନିବେଶକ ୧.୨କୋଟି ହରାଇବା ପରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ । ଏହି ସଂସ୍ଥାରେ ପୁଞ୍ଜିନିବେଶ ନ କରିବାକୁ କ୍ରାଇମବ୍ରାଞ୍ଚ ଆଡ୍ଭାଇଜରି ଜାରି କରିଥିଲା । ତେବେ ତଦନ୍ତ ଚାଲିଛି, ଏଥିରେ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ଇଓଡବ୍ଲୁ୍ୟ ପଞ୍ଝାକୁ ଆସବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Nalco
Leave A Reply