ଗଞ୍ଜାମ ଜିଲାକୁ ଆସିବ ୧୨ହଜାର ୧୦୦ ୟୁନିଟ ଭିଭିପାଟ, ଅକ୍ଟୋବର ୩ ରୁ ୨୦ ତାରିଖ ପ୍ରର୍ଯ୍ୟନ୍ତ ପ୍ରଥମ ସ୍ତର ଯାଂଚ ପ୍ରକ୍ରିୟା ।
ଛତ୍ରପୁର ,୨୧/୯ : ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ସୂଚାରୁରୂପେ ପରିଚାଳନା କରିବା ନିମନ୍ତେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି । ଜିଲାକୁ କଂଟ୍ରୋଲ ୟୁନିଟ ଓ ବାଲଟ ୟୁନିଟ ଆସିଯାଇଥିବା ବେଳେ ଚଳିତ ମାସ ୨୪ କିମ୍ବା ୨୫ରେ ଭିଭିପାଟ ମେସିନ ହାଇଦ୍ରାବାଦରୁ ଆସିବ । ଏକ ଟିମ ସେଠାରେ ପହଂଚିଥିବା ବେଳେ ୨୦ଟି ଗାଡିରେ କଡା ସୁରକ୍ଷା ବଳୟରେ ୧୨ହଜାର ୧୦୦ ୟୁନିଟ ଆସିବ । ଏହାପରେ ୨୬ ତାରିଖରେ ବିଭିନ୍ନ ରାଜନୈତିକ ଦଳ ଉପସ୍ଥିତିରେ ଏହାକୁ ଖୋଲାଯାଇ ଜିଲାପ୍ରଶାସନର ଇଭିଏମ ଗୋଦାମରେ ରଖାଯିବ । ପରେ ଅକ୍ଟୋବର ୩ ରୁ ୨୦ ତାରିଖ ପ୍ରର୍ଯ୍ୟନ୍ତ ପ୍ରଥମ ସ୍ତର ଯାଂଚ ପ୍ରକ୍ରିୟା କରାଯିବ । ଏନେଇ ଆଜି ଅପରାହ୍ନରେ ଜିଲାପାଳ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଅକ୍ଟୋବର ୩ରେ ସମସ୍ତ ରାଜନୈତିକ ଦଳର କର୍ମକର୍ତାଙ୍କ ଉପସ୍ଥିତିରେ କଂଟ୍ରୋଲ ୟୁନିଟ , ବାଲଟ ୟୁନିଟ ଓ ଭିଭିପାଟ ଠିକ ଅଛିକି କି ଯାଂଚ ହେବ । ପ୍ରଥମ ସ୍ତର ଯାଂଚ ପ୍ରକ୍ରିୟା ସରିବା ପରେ ମକପୋଲ ମଧ୍ୟ ବ୍ୟବସ୍ଥା ରହିବ । ଜଣେ ବ୍ୟକ୍ତି ଭୋଟ ଦେଲେ ତାହା ଠିକ ଅଛିକି ନାହିଁ ତାହା ଜାଣିପାରିବ । ଯେଉଁ ବ୍ୟକ୍ତିକୁ ଭୋଟ ଦେଲେ ତାହା ଯାଉଛି କି ନାହିଁ ତାହା ସେ ଦେଖିପାରିବ । ଏବେ ସବୁ ନୁଆଁ ମେସିନ ଆସୁଛି ସବୁ ମେସିନ ଆସିବା ପରେ ୪୩ ଜଣ ଇଞ୍ଜିନୟର ମଧ୍ୟ ଉପସ୍ଥିତ ରହି ସବୁ ଠିକ ଅଛିକି ନାହିଁ ତାହା ଯାଂଚ କରିବେ । ଯେଉଁ ସବୁ ମେସିନ ଗୋଦାମରେ ରହିଛି ତାହା ୨୪ ଘଂଟିଆ ସିସିଟିଭି ନଜର ସହ ପୁଲିସ ମୁତୟନ ରହିଛନ୍ତି । ଏହା ସହ ଅକ୍ଟୋବର ୩ରେ ପ୍ରଥମ ସ୍ତର ଯାଂଚ ପ୍ରକ୍ରିୟା ବେଳେ କୈାଣସି ରାଜନୈତିକ ଦଳର କର୍ମକର୍ତାଙ୍କ ଫୋନ ଭିତରକୁ ଛଡାଯିବ ନାହିଁ । ଉକ୍ତ କୋଠରୀରେ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶକ୍ରମେ ୱେବ କାଷ୍ଟିଙ୍ଗ ହେବା ସହ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି । ଗଞ୍ଜାମ ଜିଲାରେ ପୂର୍ବରୁ ହାଇଦ୍ରାବାଦରୁ ୧୦୬୧୨ ବାଲଟ ୟୁନିଟ ଓ ୧୦୬୧୬ କଂଟ୍ରୋଲ ୟୁନିଟ ଆସି ତାହା ଠିକ ଅଛିକି ନାହିଁ ତାହା ଯାଂଚ ସମେତ ସ୍କିନଂ ହୋଇସାରିଛି । ପ୍ରତ୍ୟେକ ବୁର୍ଥ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ଏଜେଂଟ ଦେବାକୁ ଜିଲାପାଳ ଅନୁରୋଧ କରିଛନ୍ତି । ଆଜି ଏହି ବୈଠକରେ ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି,ଛତ୍ରପୁର ଉପଜିଲାପାଳ ପ୍ରସନ୍ନ ପାତ୍ର,ଆସିଷ୍ଟାଟ କଲେକ୍ଟର (ନିର୍ବାଚନୀ) ଓମ ପ୍ରକାଶ ପରିଡାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଉପସ୍ଥିତ ଥିଲେ ।