ବୈରୀ ପୋଲିସ ତଲିମ ପ୍ରତିଷ୍ଠାନରେ ଦୀକ୍ଷାନ୍ତ ସମାରୋହ : ପୋଲିସ ସଭିଙ୍କୁ କଠୋର ନୁହେଁ, ମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଲେ ଡିଜିପି
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବୈରୀ ସୋଲର ସ୍ଥିତ ପୋଲିସ ତଲିମ ପ୍ରତିଷ୍ଠାନର ଦୀକ୍ଷାନ୍ତ ସମାରୋହ ରବିବାର ଦିନ ଅନୁଷ୍ଠିତ ହୋଇଥିଲା! ଏହି ସମାରୋହରେ ରାଜ୍ୟ ପୋଲିସ ନିର୍ଦ୍ଦେଶକ ତଥା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ(ଡିଜିପି) ଅରୁଣକୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶେଷକରିଥିବା ସମସ୍ତ ଶିକ୍ଷା ନବୀସ ମାନଙ୍କୁ ଶପଥପାଠ କରାଇବା ସହ ଜନସାଧାରଣଙ୍କୁ ଉତ୍ତମସେବା ଦେବିପାଇଁ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ! ଇତ୍ୟବସରରେ ଶ୍ରୀ ଷଡ଼ଙ୍ଗୀ ପୋଲିସ ତା’ର ପୂର୍ବର ଦୃଷ୍ଟିଭଙ୍ଗି ବଦଳାଇ ଏବେ ସମସ୍ତଙ୍କ ପ୍ରତି ସମ୍ବେଦନଶୀଳ ହେବା ସହିତ ସାହାଯ୍ୟ ପାଇଁ ଆସୁଥିବା ଜନସାଧାରଣଙ୍କୁ କଠୋର ବା କୃର ବ୍ୟବହାର ପରିବର୍ତ୍ତେ ମାନବୀୟ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ! ପୋଲିସର ସେବା ଏବେ ପାଚେରୀ ବା କାନ୍ଥ ଭିତରେ ଆଉ ଆବଦ୍ଧ ନୁହେଁ ବରଂ ଏବେ ଏହା କାଚଘର ଭିତରେ ସମ୍ପର୍ଣ୍ଣ ହେଉଛି! ତେଣୁ ପୋଲିସର କାର୍ଯ୍ୟ ଧାରାକୁ ଏବେ ସମସ୍ତେ ନଜର କରୁଥିବାରୁ ବିଭାଗର ସମସ୍ତ କର୍ମଚାରୀ ନିଜ ଆଚାର ବ୍ୟବହାରରେ ଅଧିକ ମାର୍ଜିତ ହେବା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ଓ ଭଲ ବ୍ୟବହାର ପ୍ରଦର୍ଶନ କରି ପୁରୁଣା ଢାଞ୍ଚାରେ ପରିବର୍ତ୍ତନ ଆଣିବାପାଇଁ ସେ ଉପସ୍ଥିତ ପୋଲିସ ଉଚ୍ଚ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ! ଏହି ସମାରୋହରେ ପୋଲିସ ଆଇଜି ସାଇନ ଏସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ନବୀସମାନେ କର୍ମଠ,ସତ୍ୟନିଷ୍ଠ ଓ ସମୟାନୁ ବର୍ତ୍ତିତା ହୋଇ ସେବା କରିବାକୁ ପରାମର୍ଶ ଦେଇଥିଲେ! ନିଯୁକ୍ତିର ଦ୍ବିତୀୟ ବ୍ଯାଚ୍ ପାସ୍ ଆଉଟ୍ ଏହି ସମାରୋହରରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପୌରହିତ୍ୟ କରିଥିଲେ! ଏହି ଅନୁଷ୍ଠାନରେ ଫାକୁଲଟି,ପ୍ରଶିକ୍ଷାର୍ଥିଙ୍କ ରହିବା ପାଇଁ ଯଥେଷ୍ଟ ଆବାସ ନଥିବା ସହିତ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ସେ ସୂଚନା ଦେଇଥିଲେ! ତେବେ ଏହାସତ୍ତ୍ୱେ ରାଜ୍ୟର ୨୦ଟି ପୋଲିସ ଜିଲ୍ଲାର ୫୬୪ ଜଣ ପ୍ରଶିକ୍ଷାର୍ଥି ଏଠାରୁ ପ୍ରଶିକ୍ଷଣ ଗ୍ରହଣକରି କୃତିତ୍ବର ସହ ପାସ ଆଉଟ ହୋଇଥିବା ସେ କହିଥିଲେ! ଏହି ଅବସରରେ ପ୍ରତିଷ୍ଠାନରେ ଚଲିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୋଲିସ ଅଧିକାରୀ ପ୍ରଶିକ୍ଷାର୍ଥି ମାନଙ୍କୁ ସମ୍ମାନିତ କରାଯାଇଥିଲା!
