Odisha news

ମେଘା କମ୍ପାନୀର ଦିଶାହୀନ କାର୍ଯ୍ୟ : ୩୩୫ କୋଟି ବ୍ୟୟରେ ବଡଚଣା ଓ ଧର୍ମଶାଳା ବ୍ଳକରେ ନିର୍ମାଣାଧିନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାନେଇ ଅନିଶ୍ଚିତତା

0
ଚଣ୍ଡିଖୋଲ,୨୭/୧୧  : ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିବାସହ ଏଥିପାଇଁ ପାଣିପରି  ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଇଛନ୍ତି!ସରକାରଙ୍କ ଘୋଷଣା ଅନୁଯାଇ ବଡଚଣା ଓ ଧର୍ମଶାଳା ବ୍ଳକରେ ମୋଟ ୪ଲକ୍ଷ ୮୨ ହଜାର ୫୨୨ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୧ ଲକ୍ଷ ୨୫ ହଜାର ୯୩୯ ଘରକୁ ପାଇପ ଯୋଗେ ଜଳଯୋଗାଣ ପାଇଁ ଦକ୍ଷୀଣ ଭାରତୀୟ ମେଘା କମ୍ପାନୀ ସହ ସରକାର ଚୁକ୍ତିକରି ସେହି କମ୍ପାନୀକୁ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଦେଇଛନ୍ତି! ଗତ ୨୦୧୯ ମସିହା ଡିସେମ୍ବର ମାସ ୩୦ ତାରିଖରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ ମସିହା ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଉକ୍ତ କମ୍ପାନୀ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଛି! ହେଲେ ଦୁର୍ଭାଗ୍ୟର ବିଷୟ ଇତିମଧ୍ୟରେ ଚୁକ୍ତିର ସମୟସୀମା ଦୁଇବର୍ଷ ତଳୁ ପୁରି ଯାଇଥିଲେ ମଧ୍ୟ ଏହି ଦୁଇ ବ୍ଳକରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଧା ପାନ୍ତରା ହୋଇରହିଛି! ସପୃକ୍ତ ଠିକାଦାରୀ କମ୍ପାନୀର ମନମାନୀ ତଥା ଦିଶାହୀନ କାର୍ଯ୍ୟ ପାଇଁ ବହୁ ପ୍ରତିକ୍ଷୀତ ତଥା ଜନହିତକର ଏହି ଯୋଜନାର ନିର୍ମାଣ କାମ ଶେଷ ହେବାନେଇ ଅନିଶ୍ଚିତତା ଦେଖାଦେଇଛି! କମ୍ପାନୀର ଚୁକ୍ତି ଅନୁଯାଇ ବଡଚଣା ବ୍ଳକର ୪୩ ପଞ୍ଚାୟତର ମୋଟ ୬୨,୯୯୧ ଘର ଓ ଧର୍ମଶାଳା ବ୍ଳକର ୫୦ଟି ପଞ୍ଚାୟତରେ ଥିବା ମୋଟ ୬୨,୯୪୮ ଘରକୁ ଏହି ସମୟସୀମା ମଧ୍ୟରେ ପାଇପ ସଂଯୋଗ କରାଯାଇ ପିଇବାପାଣି ଯୋଗାଇଦେବା କଥା! ତେବେ ଅଦ୍ୟାବଧି ଅର୍ଦ୍ଧଲକ ଘରକୁ ପାଇପ ସଂଯୋଗ ହୋଇପାରି ନାହିଁ! ଏହା ଭିତରେ ବଡଚଣା ବ୍ଳକର ମାତ୍ର ୩୮,୨୩୨ଟି ଘରକୁ ଓ ଧର୍ମଶାଳା ବ୍ଳକର ମାତ୍ର ୩୭,୨୩୩ ଘରକୁ ପାଣି ପାଇପ ସଂଯୋଗ ହୋଇପାରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି! ଏହି ରିପୋର୍ଟ ପ୍ରକୃତରେ ବାସ୍ତବତା ଠାରୁ ଭିନ୍ନ ବୋଲି ଲୋକେ ଅଭିଯୋଗ କରୁଛନ୍ତି! ତେବେ ଏହି ହିସାବକୁ ଅନୁଧ୍ୟାନ କଲେ ଏବେବି ଉକ୍ତ ଦୁଇ ବ୍ଳକର ଅର୍ଦ୍ଧାଧିକ ଘରକୁ ଅଦ୍ୟାବଧି ପାଇପ ସଂଯୋଗ ହୋଇପାରି ନଥିବା ଜଣାପଡିଛି! ଅବଧି ପୁରିଯିବାର ଦୁଇବର୍ଷ ପରେ ଯଦି ସ୍ଥିତି ଏପରି ତେବେ ପ୍ରକଳ୍ପ କାର୍ଯ୍ୟ କେବେ ଶେଷହେବ ଆଉ ଲୋକଜ କେବେ ଶୁଦ୍ଧ ପାନୀୟଜଳ ପାଇବେ ତାକୁନେଇ ସାଧାରଣରେ ପ୍ରଶ୍ନ ହୋଇଛି! ସୂଚନା ଅଧିକାର ତଥ୍ୟ ଅନୁଯାୟୀ ବଡଚଣା ଓ ଧର୍ମଶାଳା ବ୍ଳକରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୦୫ କୋଟି ୯୮ଲକ୍ଷ ଟେଣ୍ଡର ମୂଲ୍ୟ ରହିଥିଲା! ହେଲେ ନିର୍ଦ୍ଧାରିତ ଟେଣ୍ଡର ମୂଲ୍ୟ ଠାରୁ ୨୯ କୋଟି ୭୪ଲକ୍ଷ ଅଧିକ ଅର୍ଥାତ ୩୩୫ କୋଟି ୭୨ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ କରିବାକୁ ଉକ୍ତ ଠିକା କମ୍ପାନୀ ସରକାରଙ୍କ ସହ ଚୁକ୍ତି କରିଥିଲା! ଚୁକ୍ତି ଅନୁଯାଇ କମ୍ପାନୀ ବଡଚଣା ବ୍ଳକରେ ୩୭ଟି ଓ ଧର୍ମଶାଳା ବ୍ଳକରେ ବଡ ଓଭରହେଡ ପାଣିଟାଙ୍କି ନିର୍ମାଣ କରି ସେଠାରୁ ସବୁ ଘରକୁ ଜଳଯୋଗାଣ କରିବା କଥା! ଇତିମଧ୍ୟରେ ବଡଚଣାରେ ମାତ୍ର ୨୭ ଓ ଧର୍ମଶାଳାରେ ୨୮ଟି ଟାଙ୍କିର ନିର୍ମାଣ ସରିଥିବା ବେଳେ   ଇତି ମଧ୍ୟରେ ଠିକାଦାରକୁ ମଞ୍ଜୁରୀ ଅର୍ଥରୁ ପାଖାପାଖି ୮୦ଭାଗ ଅର୍ଥାତ ୨୮୭ କୋଟି ୭୬ଲକ୍ଷ ଟଙ୍କା ପୈଠ କରାଯାଇ ସାରିଛି! ଉକ୍ତ ଦୁଇ ବ୍ଳକରେ ମୋଟ ୧୩୫୨.୯୨ କିମି ପାଇପ ବିଛାଇ ଜଳଯୋଗାଣ କରିବାକୁ ଚୁକ୍ତି ଥିଲାବେଳେ ଇତିମଧ୍ୟରେ ସେଥିରୁ ୨୧୭.୫୮ କିମିରେ ପାଇପ ବିଛାଯାଇ ନଥିବା ମଧ୍ୟ ଜଣାଯାଇଛି! କରୋନା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଆଳକରି କମ୍ପାନୀ ଇତିମଧ୍ୟରେ ସରକାରଙ୍କ ଠାରୁ ଅଧିକ ଦୁଇବର୍ଷ ଅର୍ଥାତ ୨୦୨୩ ମସିହା ଡିସେମ୍ବର ମାସ ଶେଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ସମୟସୀମା ବୃଦ୍ଧି କରାଇ ନେଇଥିବା ଜଣାପଡିଛି ! ହେଲେ ଏହି ବୃଦ୍ଧି ସମୟସୀମା ଶେଷ ହେବାକୁ ବସିଥିଲେ ମଧ୍ୟ ପ୍ରକଳ୍ପ କାମ ଅଧାପାନ୍ତରା ହୋଇ ପଡିରହିଛି ! ଫଳରେ ଲୋକମାନଙ୍କ ପାଖରେ ପିଇବା ପାଣି କେବେ ପହଞ୍ଚିବ ତାହା ଅନିଶ୍ଚିତତା ହୋଇପଡିଛି!
Nalco
Leave A Reply