ନୂଆଦିଲ୍ଲୀ: କରୋନା ଜନିତ ଶିକ୍ଷାବର୍ଷ କ୍ଷତି ଭରଣା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଯୋଜନା। ଛାତ୍ରଛାତ୍ରୀଙ୍କ ପାଇଁ ସଂକ୍ଷିପ୍ତ ହେବ ସିଲାବସ୍। ଆସନ୍ତା ମାସେ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଏକ ନୂଆ ତଥା ସ୍ୱତନ୍ତ୍ର ସିଲାବସ ପାଇଁ ବୋର୍ଡ ପ୍ରସ୍ତୁତ ଥିବା କହିଛନ୍ତି ସିବିଏସଇ ଅଧ୍ୟକ୍ଷ ମନୋଜ ଆହୁଜା।
ସେ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ହଠାତ ପରିବର୍ତ୍ତନ କରାଯାଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରିବ ନାହିଁ। ତେଣୁ ସମସ୍ତଙ୍କୁ ସୁହାଇବା ଭଳି ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯାଉଛି। ଯୋଜନା ଅନୁସାରେ ଆସନ୍ତା ମାସେ ଭିତରେ ଏ ପ୍ରକ୍ରିୟା ଶେଷ ହେବ ବୋଲି ଆହୁଜା ଏକ ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗ ଦେଇ କହିଛନ୍ତି।
କରୋନା ପାଇଁ ବହୁ ଦିନ ଧରି ସ୍କୁଲ ବନ୍ଦ ରହିଥିବାରୁ ପରବର୍ତ୍ତୀ ଶିକ୍ଷାବର୍ଷ ଲାଗି ସିବିଏସଇ ସିଲାବସକୁ ସଂକ୍ଷିପ୍ତ କରିବା ଲାଗି ଗତ ଏପ୍ରିଲ ମାସରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଥିଲେ।
