ବୁଗୁଡ଼ା : ତା ୨୫/୦୮/୨୩ : ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା | ପ୍ରଭୁ ବଳଦେବ ଜୀଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ରଖୁ ପୂଜାଥାଳି ପ୍ରସ୍ତୁତ କରି ଭାଇ ହାତରେ ରାକ୍ଷୀ ବାନ୍ଧି ତା’ର ଶୁଭ ମନାସୀ ଦୀର୍ଘାୟୁ କାମନା କରିଥାନ୍ତି । ଭାଇ ନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ଏ ମାସର ୩୦ ତାରିଖ ବୁଧବାର ଦିନ ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ। ରକ୍ଷାବନ୍ଧନ ଉତ୍ସବକୁ ନେଇ ବୁଗୁଡ଼ାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ରାକ୍ଷୀ ବ୍ୟବସାୟ ଜୋର୍ ଧରିଛି । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବୁଗୁଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ମାଳ ମାଳ ରାକ୍ଷୀ ଦୋକାନ ଦେଖିବାକୁ ମିଳିଛି । ଅଧିକାଂଶ ଦୋକାନରେ ଶତାଧିକ ପ୍ରକାରର ରାକ୍ଷୀ ବିକ୍ରି ହେଉଥିବା ବେଳେ ଏକ ଟଙ୍କାରୁ ଆରମ୍ଭ କରି ସାଢେ ତିନି ଶହ ଟଙ୍କାର ରାକ୍ଷୀ ବିକ୍ରି ହେଉଛି । ବିଶେଷ କରି ବ୍ରେସଲେଟ୍ ଶୈଳୀର ଷ୍ଟୋନ୍ ରାକ୍ଷୀର ଚାହିଦା ବେଶ୍ ରହିଛି । ଅନ୍ୟପକ୍ଷରେ, ରାକ୍ଷୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଏ ବର୍ଷ ରାକ୍ଷୀ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି ।