Odisha news

ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା

0
ବୁଗୁଡ଼ା : ତା ୧୦/୦୫/୨୩ : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ପଞ୍ଚଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ମୁଖ୍ୟ ସଡକ ବ୍ଯବସାୟୀ ସଂଘ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ଏସ୍.ଗଙ୍ଗାରାଣୀ ପାତ୍ର , ବୁଲି ସାହୁ , କଳ୍ପନା କୁମାରୀ ସେଠୀ , ବି.ଗାୟତ୍ରୀ ପାତ୍ର , କେ.ଯୋଗୀ ପାତ୍ର ପ୍ରମୁଖ ମା’ଙ୍କ ଘଟ ଧାରଣ କରି ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମୁଖ୍ୟ ସଡକ , ବୁଦ୍ଧଖୋଲ ଗେଟ୍ ଛକ , ପୋଲସରା ରୋଡ , ବଳଦେବ ମନ୍ଦିର ରାସ୍ତା ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ ।  ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଉତ୍ତର ପ୍ରଦେଶର ଅଘୋରି ବାବା ଓ ଆନ୍ଧ୍ରର କାଳିକା ପଟୁଆରର ଲୋକଙ୍କୁ ଆକର୍ଷିତ କରିବା ସହ ଭିଡ ସୃଷ୍ଟି କରିଥିଲା । ଭ୍ରମଣି କାଳରେ ମୁଖ୍ୟ ସଡକ ଠାରେ ପ୍ରସ୍ତୁତ ସ୍ଵତନ୍ତ୍ର ପୂଜା ମଣ୍ଡପରେ ପଞ୍ଚ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅନ୍ୟପକ୍ଷରେ ମେଡିକାଲ ଛକର ଲକ୍ଷ୍ମୀ-ନାରାୟଣ ମେଢ , ଗଣ୍ଡାମଞ୍ଜି ସାହିର ମହାମାୟୀ ମେଢ , କାର୍ଜି ସାହିର ଅନନ୍ତ ନାରାୟଣ ମେଢ , ଓଡ଼ିଆ ସାହିର ରାମ-ଲକ୍ଷ୍ମଣ-ସୀତା ମେଢ , ବେଙ୍ଗେଇ ବନ୍ଧ ସାହିର ହନୁମାନ ମେଢ ଆଦି ଲୋକାର୍ପିତ ହୋଇଥିଲା ।ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।

Leave A Reply