ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛନ୍ତି ନିଃସହାୟ ବୃଦ୍ଧ, କେହି ନାହାନ୍ତି ବୋଲି ଫେରାଇଦେଲା ବ୍ରହ୍ମପୁର ବଡ଼ ମେଡିକାଲ , ଏବେ ଭରସା ଦଇବକୁ
ବୁଗୁଡ଼ା : ତା ୦୭/୦୨/୨୩ : ଗରିବ ଓ ଅସହାୟ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ହେଲେ ବାସ୍ତବ କ୍ଷେତ୍ରରେ ଏସବୁ ଯୋଜନା ପ୍ରହସନରେ ପରିଣତ ହୋଇଛି । ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡା ଗ୍ରାମରେ l ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩ ମାସ ହେଲା ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଭୋଗଡା ଗ୍ରାମର ସୁଦାମ ମହାରଣା l ସୁଦାମଙ୍କ ବୟସ ଆସି ୭୨ ହେଲାଣି l ଦିନେ ସେ ବଢ଼େଇ କାମ କରି ରୋଜଗାର କରିବା ସହ ଗାଁ ରାଜନୀତିରେ ସକ୍ରିୟ ରହି କେତେ ନେତା ଗଢି ଥିଲେ ହେଁ କାହାରି ସାହାଯ୍ୟ ପାଇ ନପାରି ଆଜି ସେ ଅସହାୟ ଅବସ୍ଥାରେ ଗୋଟିଏ ପମ୍ପ ଘରର ଖୋଲା ଛାତ ତଳେ ପଡିଛନ୍ତି l ସେ ଚାଲିବା ତ ଦୂରର କଥା ଠିକ ଭାବରେ ବସି ମଧ୍ୟ ପାରୁନାହାନ୍ତି l
ଡାଇବେଟିସ୍ ଯୋଗୁଁ ତାଙ୍କର ଗୋଟିଏ ଗୋଡ଼ ପୁରାପୁରି ନଷ୍ଟ ହେବାକୁ ଯାଉଥିବା ବେଳେ ଆଖିକୁ ଭଲରେ ଦିଶୁନି କି ପାଟିରୁ ଠିକ୍ ଭାବେ କଥା ବାହାରୁନି l ପୁଅ ଝିଅ କେହି ନାହାନ୍ତି l ୪ ବର୍ଷ ତଳେ ସ୍ତ୍ରୀଙ୍କ ଦେହାନ୍ତ ପରେ ଏକା ହୋଇ ପଡ଼ିଥିଲେ । ଏବେ ଆହା ପଦେ କହିବାକୁ ମଧ୍ୟ ପାଖରେ କେହି ନାହାନ୍ତି l ଦେହ ଅସୁସ୍ଥ ହେବା ପରେ ଚିକିତ୍ସା କରିବା ପାଇଁ ଯେଉଁ ଘର ଖଣ୍ଡେ ଥିଲା ତାକୁ ବିକ୍ରି କରିଦେଲେ ହେଲେ ଘର କିଣି ଥିବା ଲୋକ ଏ ପର୍ଯ୍ୟନ୍ତ ସବୁ ଟଙ୍କା ଦେଇନି l ଏବେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ନିଜର ଚିକିତ୍ସା କରାଇବା ପାଇଁ ପାଖରେ ପଇସା ନାହିଁ । ଫଳରେ ପ୍ରାୟ ୩ ମାସ ହେଲା ଗାଁ ସ୍କୁଲ ନିକଟରେ ଥିବା ଏକ ପାଣି ପମ୍ପ ଗୃହର ଖୋଲା ଛାତ ତଳେ ଶୀତ କାକରରେ ପଡି ରହିଛନ୍ତି l
ଡାଇବେଟିସ୍ ଯୋଗୁଁ ବାମ ଗୋଡ଼ଟି ପଚିଯାଇ ନଷ୍ଟ ହେବାକୁ ବସିଲାଣି l ଅପରେସନ୍ କଲେ ଠିକ୍ ହୋଇପାରେ ,ହେଲେ ଖାଇବାକୁ ଟଙ୍କାଟିଏ ନାହିଁ ଆଉ ଦେହ ପାଇଁ ଔଷଧ କିଣିବେ କେଉଁଠୁ l ଦୟା ପଡି କିଏ ଭାତ ମୁଠେ କି ବିସ୍କୁଟ ଖଣ୍ଡେ ଦେଲେ ସେଥିରେ ଭୋକ ମେଣ୍ଟୁଛି, ନ ହେଲେ ସେମିତି ଭୋକ ଉପାସରେ ପଡି ରହୁଛନ୍ତି l ସରକାରଙ୍କ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା ତାହା ମଧ୍ୟ କିଛି ମାସ ହେଲା ବନ୍ଦ ହୋଇ ଯାଇଥିବା କହିଛନ୍ତି l ଗ୍ରାମର ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଗୋଲୋକ ସାହୁ ଅଧିକାଂଶ ସମୟରେ ତାଙ୍କୁ ଖାଇବାକୁ ଦେଉଥିବା ସେ କହିଛନ୍ତି l ଗୋଲୋକଙ୍କ ସହଯୋଗରେ ୩ ଦିନ ତଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିଲା, ହେଲେ ସୁଦାମଙ୍କ କେହି ନଥିବା ଜାଣି ବଡ଼ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ରଖିଲେନି, ସେଇ ଆମ୍ବୁଲାନ୍ସରେ ଗାଁକୁ ଫେରାଇ ଦେଲେ l ଫଳରେ ସରକାରୀ ମେଡିକାଲ କାହା ପାଇଁ ହୋଇଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଅସହାୟ ଗରିବ ଲୋକଙ୍କୁ ସରକାରୀ ମେଡିକାଲ ଫେରାଇ ଦେବ ତାହା ହେଲେ ସେମାନେ କେଉଁଠି ଚିକିତ୍ସା ହେବେ ବୋଲି ପ୍ରଶ୍ନ ଉଠିଛି l ଉପଯୁକ୍ତ ଚିକିତ୍ସା ନପାଇ ଯଦି ସୁଦାମଙ୍କ ଜୀବନ ଚାଲିଯିବ ତା ହେଲେ ଏଥିପାଇଁ ଦାୟୀ କିଏ ହେବେ ? ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ସହାୟତା କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଖୋଦ ସରକାରୀ ମେଡିକାଲ କେମିତି ସୁଦାମଙ୍କୁ ଫେରାଇ ଦେଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି l ତାହାହେଲେ ସୁଦାମଙ୍କ ଭଳି ଏମିତି ଅସହାୟଙ୍କୁ କିଏ ସାହା ହେବ ନା ସେମାନେ ଭାଗ୍ୟକୁ ଆଦରି ଏମିତି ପରିତ୍ୟକ୍ତ ଅବସ୍ଥାରେ ପଡି ରହିବେ, ଏହାର ଉତ୍ତର କିଏ ଦେବ ?
