ବୁଗୁଡ଼ା : ତା ୧୭/୦୬/୨୨ : ପତ୍ନୀ ଫରେଷ୍ଟର ହେଲେ ସ୍ୱାମୀ ଚଳାଇଛନ୍ତି ଦୌରାତ୍ମ୍ୟ l କେତେବେଳେ କାହାର ଟାଙ୍ଗିଆ ତ କାହାର କାତି ଛଡାଇ ନେଉଛନ୍ତି , ଆଉ କାଠ ଚୋରଙ୍କୁ ଧରି ଟଙ୍କା ଆଦାୟ କରୁଛନ୍ତି l ଆଜି ବଣରୁ ବାଉଁଶ ଆଣୁଥିବା ବେଳେ ଦୁଇ ଜଣଙ୍କୁ ଧରି ନେଇ ପ୍ରବଳ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ଏମିତି ଅଭିଯୋଗ ହୋଇଛି ମାଣିତରା ଫରେଷ୍ଟର ସରସ୍ବତୀ ନାୟକଙ୍କ ସ୍ୱାମୀ ସୁନୀଲ ପ୍ରଧାନଙ୍କ ବିରୁଦ୍ଧରେ l ଅଭିଯୋଗ ପ୍ରକାରେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ତାମ୍ବିରି ଗ୍ରାମର ବାଉଁଶରେ ବିଭିନ୍ନ ସାମଗ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ଚୈତନ୍ୟ ନାୟକ ଓ ପ୍ରତାପ ନାୟକ ନଗୁଡୁ ପାହାଡ଼ରୁ କୁଲା, ଡାଲା ଓ ବାଉଁଶ ତାଟ ପାଇଁ ବାଉଁଶ ନେଇ ଆସୁଥିବା ବେଳେ ନଗୁଡୁ-ଭୋଗଡା ରାସ୍ତାରେ ସୁନୀଲ ପ୍ରଧାନ ସେମାନଙ୍କୁ ଆଜି ସକାଳେ ଧରି ନେଇ ମାଣିତରା ଫରେଷ୍ଟ ବଙ୍ଗଳାରେ ଗୋଟିଏ ଘରେ ତାଲା ପକାଇ ରଖି ପ୍ରବଳ ମାଡ଼ ମାରିଥିଲେ l ସେମାନେ ଘରକୁ ଫେରିବା ଡେରି ହେବାରୁ ଚୈତନ୍ୟଙ୍କ ସ୍ତ୍ରୀ ଜୟନ୍ତୀ ଓ ପ୍ରତାପର ସ୍ତ୍ରୀ ଝୁନୁ ନାୟକ ସେମାନଙ୍କୁ ଖୋଜି ଖୋଜି ଅପରାହ୍ନ ୩ଟା ବେଳେ ମାଣିତରା ଫରେଷ୍ଟ ବଙ୍ଗଳାରେ ଭେଟିଥିଲେ l ସେମାନଙ୍କୁ ଖାଇବାକୁ ନଦେଇ ପ୍ରବଳ ମାଡ଼ ମରାଯାଇଥିବାରୁ ହାତ ଗୋଡ଼ ଫୁଲି ଯାଇଥିବା ଦେଖିଥିଲେ ଏବଂ ଉଭୟଙ୍କୁ ଛାଡି ଦେବାକୁ ସୁନୀଲଙ୍କ ଆଗରେ ଜୟନ୍ତୀ ଓ ଝୁନୁ ନେହୁରା ହୋଇଥିଲେ ହେଁ ୫ ହଜାର ଟଙ୍କା ଓ ଗାଁର ୫ ଜଣକୁ ଧରିକି ଆସିଲେ ସେମାନଙ୍କୁ ଛଡା ହେବ ବୋଲି ସୁନୀଲ କହିବାରେ ଦୁଇ ମହିଳା ନିରୂପାୟ ହୋଇ ଗ୍ରାମକୁ ଫେରି ଯାଇ ଗାଁ ଲୋକଙ୍କୁ ସବୁ ବିଷୟ କହିବା ପରେ ଆଜି ସନ୍ଧ୍ୟାରେ ଥାନାରେ ପହଞ୍ଚି ଫରେଷ୍ଟରଙ୍କ ସ୍ୱାମୀଙ୍କ ଦୌରାତ୍ମ୍ୟ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି l ତେବେ ଘଟଣାର ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି l
