ଓଡ଼ିଶା ସରକାର ରାଜ୍ୟରୁ ଫାଇଲେରିଆ ମୂଳୋତ୍ପାଟନ ନିମନ୍ତେ ପ୍ରତିବଦ୍ଧ : ଡା. ଉମା ଶଙ୍କର ମିଶ୍ର, ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ
ବ୍ରହ୍ମପୁର,୨୩ା୨: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲସିକା ଫାଇଲେରିଆ (ଲିମ୍ଫାଟିକ ଫାଇଲେରିଆସିସ୍)ର ମୂଳୋତ୍ପାଟନ ପାଇଁ ଗଞ୍ଜାମ ଜିଲାରେ ଏକ ଗଣ ଔଷଧ ସେବନ (ଏମଡିଏ) ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବେ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ଗ୍ଲୋବାଲ ହେଲ୍ଥ ଷ୍ଟ୍ରାଟେଜି ସହିତ ମିଳିତ ଆନୁକୂଲ୍ୟରେ ଏକ ଗଣମାଧ୍ୟମ ସମ୍ବେଦିକରଣ କର୍ମଶାଳା ଚଳିତ ମାସ ୨୩ ତାରିଖରେ ଆୟୋଜନ କରାଯାଇଥିଲା । ଲସିକା ଫାଇଲେରିଆ ଦ୍ୱାରା ସୃଷ୍ଟି ହେଉଥିବା ଶକ୍ତିହୀନତା ସମ୍ପର୍କିତ ସୂଚନା ପ୍ରସାରଣକୁ ନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ୍ୟ ଥିଲା, ଯଦ୍ଦ୍ୱାରା ଜନସାଧାରଣ ଏହି ମାରାତ୍ମକ ରୋଗ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ତାଙ୍କର ଭିଡିଓ ବାର୍ତ୍ତାରେ ଜିଲାରେ ହାତକୁ ନିଆଯାଉଥିବା ଏମଡିଏ କାର୍ଯ୍ୟକ୍ରମ ଅବସରରେ ଔଷଧ ପ୍ରଦାନ କରୁଥିବା କର୍ମଚାରୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
କର୍ମଶାଳା ଅବସରରେ ଗଞ୍ଜାମର ମୁଖ୍ୟ ଜିଲା ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ-ତଥା- ଜିଲା ମିଶନ ନିଦେ୍ର୍ଦଶକ ଡା. ଉମା ଶଙ୍କର ମିଶ୍ର କହିଥିଲେ, “୨୦୨୧ ସୁଦ୍ଧା ଫାଇଲେରିଆକୁ ମୂଳପୋଛ କରିବା ସକାଶେ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ତଥା ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସ ନିରନ୍ତର ଜାରିରଖିବାର ଗୁରୁତ୍ୱକୁ ଉପଲବ୍ଧି କରି ଓଡ଼ିଶା ସରକାର ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ଜିଲାରେ ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏମଡିଏ ପର୍ଯ୍ୟାୟ ହାତକୁ ନେଉଛନ୍ତି ।”
ଗଞ୍ଜାମର ଏଡିପିଏଚଓ (ଭିବିଡି) ଡା.ସନ୍ତୋଷ କୁମାର ପାଢୀ ଏକ ଉପସ୍ଥାପନା ଜରିଆରେ କହିଥିଲେ ଯେ, “ଫାଇଲେରିଆ ଅଥବା ହାତିପାଓଁ ରୋଗ (ଗୋଦରା ରୋଗ) ଏକ ମାରାତ୍ମକ ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ହୋଇଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ପିଲାଦିନେ ସାଧାରଣତଃ ହେଉଥିବା ଏହି ସଂକ୍ରମଣ ଲିମ୍ଫାଟିକ୍ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଯଦି ତାହାର ଚିକିତ୍ସା କରାନଯାଏ ତେବେ ତାହା ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରେ । ଫାଇଲେରିଆରେ ସଂକ୍ରମିତ ଲୋକ ଅନେକ ସମୟରେ ହାଇଡ୍ରୋସିଲ୍, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗରେ ଫୁଲା), ଚାଇଲୁରିଆ (ଦୁଗ୍ଧଭଳି ଧଳା ପରିସ୍ରା)ରେ ଆକ୍ରାନ୍ତ ହୋଇଥାନ୍ତି । ଫଳରେ ଲସିକା ଫାଇଲେରିଆରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟ ଆଦି ପ୍ରଭାବିତ ହୋଇଥାଏ ଏବଂ ସେମାନେ ଅନେକ ସମୟରେ ଲାଂଛିତ ହୋଇଥାନ୍ତି । ଫାଇଲେରିଆ ଏକ ଜୀବନନାଶକ ରୋଗ ଯାହା ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଦିଆଯାଉଥିବା ଫାଇଲେରିଆ ନିରୋଧୀ ଔଷଧ ସେବନ ଦ୍ୱାରା ରୋକାଯାଇପାରିବ ।” ଡା.ପାଢୀ ଫାଇଲେରିଆ ନିରାକରଣ ଔଷଧ ସେବନ ପରବର୍ତ୍ତୀ ସମୟରେ ପ୍ରକାଶ ପାଉଥିବା ସାମାନ୍ୟ ପାଶ୍ୱର୍ ପ୍ରଭାବ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଲେ ଯେ, “ପାରାସାଇଟଗୁଡିକ ଠାରୁ ସୃଷ୍ଟି କରାଯାଇଥିବା ଆଣ୍ଟିଜେନ୍ କୁଣ୍ଡେଇ ହେବା, ଅରୁଚିବୋଧ ହେବା ଆଦି ଲକ୍ଷଣ ସୃଷ୍ଟି କରିପାରେ । ତେବେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଫାଇଲେରିଆ ନିରାକରଣ ଔଷଧ ସେବନକୁ ଗୁରୁତ୍ୱହୀନ ମନେକରିବା ଅନୁଚିତ । ଏହି ଅଶ୍ୱସ୍ତିବୋଧ ମଧ୍ୟ ଔଷଧ ସଠିକ କାର୍ଯ୍ୟକରୁଥିବାର ଏକ ସୂଚକ ଅଟେ ।”
ଭାରତର ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମର ଦୁଇସ୍ତରୀୟ କୋ÷ଶଳ ରହିଛି । ତାହା ହେଉଛି:
୧. ଗଣ ଔଷଧ ସେବନ (ଏମଡିଏ): ସ୍ଥାନୀୟ ଅଞ୍ଚଳରେ ଫାଇଲେରିଆ ସଂକ୍ରମଣକୁ ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଦିଆଯାଏ ।
୨. ରୁଗ୍ଣ ଅବସ୍ଥା ପରିଚାଳନା ଏବଂ ଅକ୍ଷମତା ନିରାକରଣ (ଏମଏମଡିପି): ଲିମ୍ଫୋଡେମା ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର କ୍ଷେତ୍ରରେ ବାସଗୃହରେ ଥାଇ ରୁଗ୍ଣ ଅବସ୍ଥା ପରିଚାଳନା ପାଇଁ ରୋଗୀଙ୍କ ଯନô ନିଆଯାଏ ।
ଗଞ୍ଜାମର ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର ଜଗଦୀଶ ପଟନାୟକ କୃମିନାଶ ଫାଇଦା ସମ୍ପର୍କରେ ପ୍ରକାଶ କରିଥିଲେ । ସେ କହିଲେ, “ଏମଡିଏ ସମୟରେ ଦିଆଯାଉଥିବା ଆଲ୍ବେଣ୍ଡାଜୋଲ ଭଳି ଔଷଧ କୃମିନାଶ କରିବା ଭଳି ଅତିରିକ୍ତ ଫାଇଦା ମଧ୍ୟ ଦେଇଥାଏ, ଯାହା ପିଲାଙ୍କ ଠାରେ ପୋଷକ ତତ୍ତ୍ୱକୁ ଅଧିକ ଧରି ରଖିଥାଏ ଏବଂ ସେମାନଙ୍କ ଶାରୀରିକ ତଥା ଜ୍ଞାନର ବିକାଶରେ ସହାୟକ ହୋଇଥାଏ ।”
ଜୋନାଲ କୋଅର୍ଡିନେଟର (ଏନଟିଡି) ଡା. ସମ୍ବିତ ପ୍ରଧାନ କହିଥିଲେ, “ଏମଡିଏ ପର୍ଯ୍ୟାୟ ସମୟରେ କୋଭିଡ-୧୯ ସଂକ୍ରମଣ ରୋକିବାକୁ ସମସ୍ତ ନିରାପତ୍ତାମୂଳକ ପଦକ୍ଷେପ (ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା) ଗ୍ରହଣ କରାଯିବ । ଏଥିସହିତ ଆଶା, ଏଡବ୍ଲୁଡବ୍ଲୁ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ସ୍ଥାନୀୟ ବ୍ଲକଗୁଡିକର ଯୋଗ୍ୟ ହିତାଧିକାରୀମାନେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ମଧ୍ୟ ନିଶ୍ଚିତ କରାଯିବ । ୨ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଲୋକଙ୍କ ବ୍ୟତୀତ ଅନ୍ୟମାନେ ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ପର୍ଯ୍ୟାୟଗୁଡିକ ସମୟରେ ଦିଆଯାଉଥିବା ଡୋଜ୍ ନିଶ୍ଚିତ ସେବନ କରିବା ଆବଶ୍ୟକ ।”
ଏହି ଅବସରରେ ସେ ଗୁରୁତ୍ୱଦେଇ କହିଥିଲେ ଯେ,“ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ । ଫାଇଲେରିଆ ମୂଳୋତ୍ପାଟନ ନିମନ୍ତେ ପ୍ରତିବଦ୍ଧତା କ୍ଷେତ୍ରରେ ସରକାରୀ ପ୍ରତିନିଧି, କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଗୋଷ୍ଠୀଗୁଡିକ ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମକୁ ଏକ ଜନ ଆନେ୍ଦାଳନରେ ପରିଣତ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି ।” ପିଆରଆଇ ସଦସ୍ୟ, ଧର୍ମୀୟ ନେତୃବୃନ୍ଦ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଆଇସିଡିଏସ କର୍ମଚାରୀଙ୍କୁ ସାମିଲ କରି ଜିଲାରେ ସାମାଜିକ ଜାଗରଣ କାର୍ଯ୍ୟକଳାପ ମଧ୍ୟ ଜିଲାରେ ଏହାକୁ ଅଧିକ ଭଲଭାବରେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ଏହି ଅଭିଯାନ ସମୟରେ ଜିଲାର ୨୨ଟି ବ୍ଲକ, ୧ ବିଇଏମ୍ସି ଏବଂ ୧୬ଟି ଏନଏସିରେ ୭୦୫୦ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୫ ଜଣ ସୁପରଭାଇଭର, ୧୩୨ ଆରଆରଟିଙ୍କୁ ନିୟୋଜିତ କରାଯିବ । ଜିଲାରେ ଲକ୍ଷ୍ୟଧାର୍ଯ୍ୟ ମୋଟ ହିତାଧିକାରୀ ସଂଖ୍ୟା ୩୫,୫୨,୨୨୬ ।
ପରିଶେଷରେ ଗ୍ଲୋବାଲ ହେଲ୍ଥ ଷ୍ଟ୍ରାଟେଜିର ନିଦେ୍ର୍ଦଶକ ଅନୁଜ ଘୋଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଆମେମାନେ ରାଜ୍ୟରୁ ଲସିକା ଫାଇଲେରିଆ ମୂଳୋତ୍ପାଟନ କରିପାରିବା ବୋଲି କହିଥିଲେ ।