ବୋରିଗୁମ୍ମା ବ୍ଲକରେ ବାହ୍ୟ ମଳ ମୁକ୍ତ ଗ୍ରାମ ଏକ ପ୍ରହସନ : ସ୍ୱଚ୍ଛ ଭାରତ ମିଶନ ରେ ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ଅଭିଯୋଗ
ବୋରିଗୁମ୍ମା (କେ.ସାକିଲି ଦୋରା।)—–କେନ୍ଦ୍ର ସରକାର ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଆରମ୍ଭ କରିଥିଲେ।ଦେଶର ପ୍ରତି କୋଣ ଅନୁକୋଣରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା ରଖିବା ସହ ପ୍ରତିଟି ଘରେ ପାଇଖାନା ନିର୍ମାଣ କରିବା ସ୍ୱଚ୍ଛ ଭାରତ ମିଶନ ର ଲକ୍ଷ୍ୟ ଥିଲା। ବାସ୍ତବ ରେ କହିବାକୁ ଗଲେ ସ୍ୱଚ୍ଛ ଭାରତ ମିଶନ କିଛି ଟା ସଫଳତା ହାସଲ କରିଥିଲେ ହେଁ ଘରେ ଘରେ ପାଇଖାନା ନିର୍ମାଣ କରିବା ଦିଗରେ ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ।
ପାଇଖାନା ନିର୍ମାଣ ନାଁ ରେ କୋଟି କୋଟି ଟଙ୍କାର ସବୁ ସ୍ଥାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ନିର୍ମାଣ ରେ ଘୋର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେବଳ ନାମ ଫଳକରେ ସ୍ୱଚ୍ଛ ଭାରତ ମିଶନ ରେ ବାହ୍ୟ ମଳ ମୁକ୍ତ ଗ୍ରାମ ଲେଖି ଦାୟିତ୍ୱ ସାରୁଛନ୍ତି ବିଭାଗୀୟ ଅଧିକାରୀ। କିନ୍ତୁ ବାସ୍ତବ ଚିତ୍ର ଠିକ ଓଲଟା। ଲୋକେ ସକାଳେ ଓ ସନ୍ଧ୍ୟାରେ ହେଲେ ଢାଳ ଧରି ବାହାର କୁ ଶୌଚ କରିବାକୁ ଯାଉଥିବା ଦେଖାଦେଇଛି। ବୋରିଗୁମ୍ମା ବ୍ଲକର ୩୧ ଗୋଟି ପଞ୍ଚାୟତ ରେ ୩୫ ହଜାର ରୁ ପାଇଖାନା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିଲା। ଏପର୍ଯ୍ୟନ୍ତ ୨୦ ହଜାର ରୁ ଉର୍ଦ୍ଧ୍ବ ପାଇଖାନା ନିର୍ମାଣ ହୋଇସାରିଥିବା କାଗଜପତ୍ର ରେ ଦର୍ଶାଯାଇଛି।
ପ୍ରତିଟି ପାଇଖାନା ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ମିଶନ ରେ ହିତାଧିକାରୀ ଙ୍କୁ ୧୨ ହଜାର ଟଙ୍କା ଦିଆଯିବ ନିୟମ ରହିଛି।କିନ୍ତୁ ବାସ୍ତବ ରେ ଦେଖାଦେଇଛି ଯେ କିଛି ହିତାଧିକାରୀ ପାଇଖାନା ନିର୍ମାଣ ସାରିବା ପରେ ବି ଲୋକ ମାନଙ୍କୁ ଟଙ୍କା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଟଙ୍କା ପାଇଁ ବ୍ଲକ କୁ ଦୌଡ଼ି ଦୌଡ଼ି ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି।ସେହିଭଳି କିଛି ଠିକାଦାର ବିଭାଗୀୟ ଅଧିକାରୀ ଙ୍କୁ ସଲାସୁତୁରା କରି ପାଇଖାନା ନିର୍ମାଣ କରିଥିଲେ। କିନ୍ତୁ ଠିକାଦାର ନିର୍ମାଣ କରିଥିବା ପାଇଖାନା ଅଧାପନ୍ତରିଆ ରହିଛି। ଯାହାଫଳରେ ବୋରିଗୁମ୍ମା ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଛି।ପାଇଖାନା ନିର୍ମାଣ କରିଥିବା ଠିକାଦାର ପାଇଖାନା ସମ୍ପୂର୍ଣ୍ଣ ନିର୍ମାଣ ନ କରି ଲକ୍ଷ ଲକ୍ଷ ଟଙ୍କା ଵିଲ କରି ଚଳୁ କରିଥିବା ଅଭିଯୋଗ ହୋଇଛି।ପାନୀୟ ଜଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ମାନେ ପାଇଖାନା ନିର୍ମାଣ ଦୁର୍ନୀତି ରେ ଜଡିତ ଥିବା କୁହାଯାଇଛି। ଯେଉଁମାନେ ପାଇଖାନା ନିର୍ମାଣ କରିଛନ୍ତି ସେମାନେ ସେହି ପାଇଖାନା ପାଣି ଅଭାବରୁ ବ୍ୟବହାର କରିପାରୁ ନାହାନ୍ତି। ପାଇଖାନା ରେ କାଠ ଅଙ୍ଗାର ଓ ଅନ୍ୟାନ୍ୟ ସାମଗ୍ରୀ ରଖୁଥିବା ଦେଖାଦେଇଛି।
ଗତ କିଛି ମାସ ତଳେ କଣାଗାଁ ରେ ପାଇଖାନା ନିର୍ମାଣ ରେ ଘୋର ଦୁର୍ନୀତି ହୋଇଥିବା ବିଡିଓ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା ଯୋଗୁଁ ତଦନ୍ତ ଠିକ ଭାବେ ହୋଇପାରିଲା ନାହିଁ।ଖଜୁରୀ ଗଛ ର କି ଗୁଣ ଗାଇବି ,ମୂଳ ରୁ ପାହାଚ ପାହାଚ ଭଳି ଦୃଶ୍ୟମାନ ହେଉଛି। ସ୍ୱଚ୍ଛ ଭାରତ ମିଶନ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୧୯ ରେ ମୋଦୀ ସରକାର ପୁଣି ଥରେ ସ୍ୱଚ୍ଛ ଭାରତ ମିଶନ ଲାଗି କୋଟି କୋଟି ଟଙ୍କା ବଜେଟ ରେ ରଖିଛନ୍ତି।ଯେଉଁଠି ପାଇଖାନା ନିର୍ମାଣ ରେ ମୂଳ ରୁ ଚୂଳ ପର୍ଯ୍ୟନ୍ତ ଦୁର୍ନୀତି ହେଉଛି, ସେଠି ଜିଲ୍ଲା ସ୍ତରୀୟ ତଦନ୍ତ କୁ କିପରି ଭରସା କରିହେବ। ପାଇଖାନା ନିର୍ମାଣ ରେ ଦୁର୍ନୀତି ଯୋଗୁଁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସଫଳ ହେବା ରେ ବାଧକ ସୃଷ୍ଟି ହୋଇଛି। ଏଣୁ ରାଜ୍ୟ ସ୍ତରୀୟ ଅଧିକାରୀ ବୋରିଗୁମ୍ମା ବ୍ଲକରେ ହୋଇଥିବା ପାଇଖାନା ଦୁର୍ନୀତି ର ତଦନ୍ତ କଲେ ସୁଫଳ ମିଳିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।