ଭୁବନେଶ୍ୱର, ତା.୧୯/୦୪: ମହାପ୍ରଭୁ ଶ୍ରୀଜଗନ୍ନାଥମନ୍ଦିର ପ୍ରଶାସନର ଯେଉଁ ଦୁଇଟି ଗୁରୁତ୍ୱପୁର୍ଣ୍ଣ ଫାଇଲ ବିଭାଗରୁ ହଜିଯାଇଛି ବୋଲି ଆଇନ ବିଭାଗ କହୁଛି ବାସ୍ତବରେ ସେ ଫାଇଲ ହଜିନାହିଁ ବଂର ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଆଗରୁ ଖଣି ଦୁର୍ନୀତି ବାବଦରେ ଏକ ଫାଇଲ ସଚିବାଳୟରୁ ହଜିଥିଲା । ବିଡିଏର ଏକ ଫାଇଲ ଯାହାକୁ ଆକାଉଂଟାଟ ଜେନେରାଲ ମାଗିଥିଲେ ସେହି ଫାଇଲ ନଗର ଉନ୍ନୟନ ବିଭାଗ ହଜାଇଦେଲା । ସଚିବାଳୟରେ ସମସ୍ତଙ୍କ ଆଖି ସାମନାରେ ଥରେ ଅନେକ ଗୁରତ୍ୱପୁର୍ଣ୍ଣ ଫାଇଲ ନିଆଁରେ ପୋଡିଗଲା । ଯେବେ ଯେବେ ସରକାରଙ୍କର ଦୁର୍ନୀତି ଧରା ପଡିବାର ସମ୍ଭାବନା ଆସେ ସେତେବେଳେ ସଚିବାଳୟରୁ ଫାଇଲ ହଜିଯାଏ । ରାଜ୍ୟ ସରକାର ୨୦୦୭ ମସିହାରୁ ଓସଓାସ – ଅର୍ଥାତ ଇ-ଫାଇଲିଙ୍ଗ ବ୍ୟବସ୍ଥା ଲାଗୁକଲେଣି । ହଜିଥିବା ଫାଇଲରୁ ଗୋଟିଏ ଫାଇଲ ୨୦୧୪ ମସିହାର । ଇ-ଫାଇଲିଙ୍ଗ ବ୍ୟବସ୍ଥା ରାଜ୍ୟରେ ଥିବା ବେଳେ ପୁଣି ଫାଇଲ ହଜିଲା କେମିତି ? ସରକାର ଡ୍ରାମା ନକରି ତୁରନ୍ତ ସ୍ପଷ୍ଟ କରନ୍ତୁ ସେହି ହଜିଥିବା ଫାଇଲରେ କଣ ଥିଲା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ଏକ ସରକାର ଥିବା ଭଳି ଲାଗୁନାହିଁ । ଜଗତର ନାଥ, କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଠାକୁର, ଓଡିଶାବାସୀଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥଙ୍କର ଫାଇଲବି ଏଠି ସୁରକ୍ଷିତ ନାହିଁ । ଏହି ସରକାର ବାରମ୍ବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅନ୍ୟାୟ କରୁଛନ୍ତି, ଭକ୍ତଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି । ରତ୍ନଭଣ୍ଡାର ଚାବି ୨୦୧୮ ମସିହାରୁ ହଜିଲାଣି । ଚାବି ହଜିବା ଘଟଣାକୁ ୫ ବର୍ଷ ବିତିସାରିଲାଣି । ୫ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇପାରୁ ନାହାନ୍ତି ଯେ କେବେ ରତ୍ନଭଣ୍ଡାର ଖୋଲାଯିବ, କେବେ ଧନସମ୍ପତିର ଯାଂଚ ହେବ? ରତ୍ନଭଣ୍ଡାର ଚାବି ହଜିବା ନେଇ ହୋଇଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ କୁଆଡେ ଗଲା ? କାହିଁକି ସେ ରିପୋର୍ଟକୁ ସରକାର ଡିସେମ୍ବର ୨୦୧୮ରୁ ତର୍ଜମା ଆଳରେ ଚପାଇକି ରଖିଛନ୍ତି ତାର ଉତର ରଖନ୍ତୁ । ବିଜୁ ଜନତା ଦଳର ସରକାର ରତ୍ନଭଣ୍ଡାର ଚାବି ହଜାଇଲେ, ଶ୍ରୀମନ୍ଦିରର ଫାଇଲ ହଜାଇଲେ । ୨୦୨୪ରେ ସେମାନେ ଓଡିଶା ରାଜନୀତିରୁ ହଜିଯିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
୨୦୧୯ରେ ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ମନ୍ଦିର ପ୍ରଶାସକ ଭାବରେ ଜଣେ ପୁର୍ଣ୍ଣକାଳିନ ଅଧୀକାରି ନିଯୁକ୍ତ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ସରକାର ତାହା କଲେ ନାହିଁ । ଏବେ ପୁଣି ମାର୍ଚ୍ଚ ୨୦୨୩ରେ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ଅସନ୍ତୋଷ ହୋଇ କହିଛନ୍ତି ଯେ ପରବର୍ତୀ ଶୁଣାଣୀ ସମୟକୁ ଯଦି ରାଜ୍ୟ ସରକାର ପୁର୍ଣ୍ଣକାଳିନ ମନ୍ଦିର ପ୍ରଶାସକ ନିଯୁକ୍ତି ନକରନ୍ତି ତାହେଲେ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ୭ ଜଣ ଆଇଏଏସ ଆଇପିଇଏସ, ୮ ଜଣ ଓଏଏସ କାମ କରୁଛନ୍ତି । ହେଲେ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା ପାଇଁ ଜଣେ ଅଧିକାରିଙ୍କୁ ପୁର୍ଣ୍ଣକାଳିନ ରଖିବା ପାଇଁ ସରକାରଙ୍କ କୁଂଠାବୋଧ କାହିଁକି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭସ୍ତ୍ରନା, ଏକ ଘରୋଇ ଅନୁଷ୍ଠାନ ପ୍ରତି ସରକାରଙ୍କ ଅତ୍ୟଧିକ ଅନୁକମ୍ପା ଓ ବେଆଇନ ଜମି ଅଧିଗ୍ରହଣ ବିରୋଧରେ ରାୟ ଦେବାର ଆଜକୁ ୮ ଦିନ ବିତିଗଲାଣି । ସରକାର କିନ୍ତୁ ସେହି ଅମୃତ ମଣୋହି ଜମି କିଭଳି ଜଗନ୍ନାଥଙ୍କ ଖାତାକୁ ଫେରିବ ସେନେଇ କୌଣସି ପ୍ରୟାସ କରୁନାହାନ୍ତି କାହିଁକି ବୋଲି ଅନିଲ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧୀ ସରକାର । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଯେ ସେହି ହଜିଯାଇଥିବା ଦୁଇଟି ଫାଇଲ କେଉଁ ସଂକ୍ରାନ୍ତରେ ଥିଲା ? ରତ୍ନଭଣ୍ଡାର କେବେ ଖୋଲାଯିବ ? କେବେ ବେଦାନ୍ତକୁ ଦିଆଯାଇଥିବା ଅମୃତ ମଣୋହୀ ଜମି ପୁଣି ମହାପ୍ରଭୁଙ୍କ ଖାତାକୁ ଫେରିବ ? କେବେ ଶ୍ରୀମନ୍ଦିର ପରିଚାଳନା ପାଇଁ ପୁର୍ଣ୍ଣକାଳୀନ ମନ୍ଦିର ପ୍ରଶାସକ ନିଯୁକ୍ତି ପାଇବେ ? କେବେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜାନୀନ କରାଯିବ ? ଏ ସମସ୍ତ ପ୍ରଶ୍ନର ଉତର ରାଜ୍ୟବାସୀ ଆଜି ଖୋଜୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।