କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ପ୍ରଦାନ କରାଯାଇଛି
ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରିବା ସତ୍ତ୍ୱେ ବି କେନ୍ଦ୍ର ସରକାର ପିଏମ ପୋଷଣର ଦ୍ୱିତୀୟ କିସ୍ତି ପାଇଁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦିଅନ୍ତୁ
ପିଏମ ପୋଷଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରି କେନ୍ଦ୍ର ଉପରେ ଦୋଷ ଲୋଦିବା କେତେଦୂର ଯୁକ୍ତିଯୁକ୍ତ ?
ଚିରାଚରିତ ଢଙ୍ଗରେ ନିଜର ଦୋଷ ଦୁର୍ବଳତା ଓ ଅପାରଗତାକୁ କେନ୍ଦ୍ର ଉପରେ ଲଦିବାର ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର
ନାଚଗୀତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା କରିନପାରିବା ଦୁର୍ଭାଗ୍ୟଜନକ
ସ୍କୁଲ ପିଲାମାନଙ୍କ ପାଇଁ ସ୍କୁଲ ଗୁଡିକରେ ସବୁଜ ରଙ୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମାରିବା ଅପେକ୍ଷା ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରିବା ପ୍ରାଥମିକତାରେ ରହୁ
ଓଡ଼ିଶା ସରକାର ରାଜ୍ୟ ବଜେଟରେ ୯୦୬.୯ କୋଟି ବଦଳରେ ୮୮୯.୯ କୋଟି ଅନୁଦାନ ଅର୍ଥାତ ୧୬.୯ କୋଟି ଟଙ୍କା କମ ବଜେଟ୍ ଦେଇଥିଲେ
କେନ୍ଦ୍ର ସରକାର ଅକ୍ଟୋବର, ୨୦୨୨ରେ ଏହି ଯୋଜନାରେ ସାମଗ୍ରୀ ଓ ପରିବହନ ଖର୍ଚ୍ଚ ଆଦିର ଅନୁଦାନ ରାଶି ୯.୬ ପ୍ରତିଶତ ବୃଦ୍ଧି କରିଥିଲେ
ଏହି ଅନୁସାରେ ଓଡ଼ିଶା ସରକାର ନିଜ ତରଫରୁ ଏ ନେଇ କୌଣସି ଅତିରିକ୍ତ ବଜେଟ୍ ଆବଣ୍ଟନ କଲେ ନାହିଁ, ଫଳରେ ମୂଳ ନିଅଣ୍ଟ ୧୬.୯ କୋଟିରୁ ବଢ଼ି ୫୦.୯ କୋଟିରେ ପହଞ୍ଚିଲା
ଭୁବନେଶ୍ୱର, ମାର୍ଚ୍ଚ ୨୨ – ଓଡ଼ିଶା ସରକାର ନିଜର ଅବହେଳା କାରଣରୁ ପିଏମ ପୋଷଣ ଓ ଅନ୍ୟାନ୍ୟ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ହରାଇବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ସେ କହିଛନ୍ତି ଯେ ପିଏମ ପୋଷଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରି କେନ୍ଦ୍ର ଉପରେ ଦୋଷ ଲୋଦିବା କେତେଦୂର ଯୁକ୍ତିଯୁକ୍ତ ? ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୧୬ ମାର୍ଚ୍ଚ ୨୦୨୩ ଦିନ ପତ୍ର ଲେଖି ପିଏମ ପୋଷଣ ଯୋଜନାରେ ଦ୍ୱିତୀୟ କିସ୍ତି ମିଳିନଥିବା କଥା କହିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିସ୍ତୁତ ଭାବେ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ମୂଳ ବଜେଟରେ ସ୍ୱଳ୍ପ ଅର୍ଥ ଏବଂ ଅତିରିକ୍ତ ବଜେଟରେ କୌଣସି ଅର୍ଥ ଆବଣ୍ଟନ ନ କରିବା ପରେ ବି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପ ପରେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତିତ ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆହୁରି ୨୫ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରିବା ସତ୍ତ୍ୱେ ବି କେନ୍ଦ୍ର ସରକାର ପିଏମ ପୋଷଣର ଦ୍ୱିତୀୟ କିସ୍ତି ପାଇଁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେବା ପାଇଁ ସେ କହିଛନ୍ତି ।
ପିଏମ୍ ପୋଷଣ ପାଇଁ ଯୋଜନା ମଞ୍ଜୁରୀ ବୋର୍ଡ ଦ୍ୱାରା (ଚକ୍ସକ୍ଟହରମଗ୍ଧ ଇକ୍ଟ୍ରକ୍ଟ୍ରକ୍ସକ୍ଟଙ୍ଖବକ୍ଷ ଈକ୍ଟବକ୍ସୟ) ଗୃହୀତ ବାର୍ଷିକ କାର୍ୟକ୍ରମ ପାଇଁ ରାଜ୍ୟ ବଜେଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ଭାଗର ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ଥାଏ । ବାସ୍ତବିକ ଖର୍ଚ୍ଚ ଓ ସମ୍ବଳିତ ୟୁସି ଆଦି ଦେଲା ପରେ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ କିସ୍ତି ଆକାରରେ କେନ୍ଦ୍ର ଅନୁଦାନ ପାଇଥାନ୍ତି । ତ୍ରିପୁରା, ତାମିଲନାଡୁ, ଗୁଜୁରାଟ ଭଳି ସବୁ ରାଜ୍ୟ ଏହି ଯୋଜନାକୁ ସୂଚାରୁ ରୂପେ ତୁଲାଉଛନ୍ତି । ଓଡ଼ିଶା ମଧ୍ୟ ଆଜି ଯାଏ ଏହି ପ୍ରକ୍ରିୟାରେ ଯୋଜନାକୁ କାର୍ୟ୍ୟକାରୀ କରିଆସୁଥିଲା। ୨୦୨୨-୨୩ ମସିହାରେ ଓଡ଼ିଶାର ମଧ୍ୟାହ୍ନ ଭୋଜନ ଯୋଜନାରେ ମୋଟ ଖର୍ଚ୍ଚ ଅନୁମାନ ୯୦୬.୯ କୋଟି ଥିଲା ବେଳେ ଏହାପାଇଁ ୫୭୫.୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଓ ବାଧ୍ୟତାମୂଳକ ରାଜ୍ୟ ଭାଗ ୩୩୦.୯ କୋଟି ଥିଲା। ଓଡ଼ିଶା ସରକାର କିନ୍ତୁ ଏହି ଯୋଜନା ପାଇଁ ରାଜ୍ୟ ବଜେଟରେ ୯୦୬.୯ କୋଟି ବଦଳରେ ୮୮୯.୯ କୋଟି ଅନୁଦାନ ଅର୍ଥାତ ରାଜ୍ୟ ସରକାର ବଜେଟରେ ୧୬.୯ କୋଟି ଟଙ୍କା କମ ବଜେଟ୍ ଦେଇଥିଲେ । ଯୋଜନାରେ ପିଲାମାନଙ୍କୁ ସୁଷମ ଖାଦ୍ୟର ମାନ ବଢାଇବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର, ୨୦୨୨ରେ ଏହି ଯୋଜନାରେ ଯୋଗାଉଥିବା ସାମଗ୍ରୀ ଚାଉଳ, ଡାଲି ରୋଷେଇ ସାମଗ୍ରୀ ଓ ପରିବହନ ଖର୍ଚ୍ଚ ଆଦିର ଅନୁଦାନ ରାଶି ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ଅନୁସାରେ ଓଡ଼ିଶା ସରକାର ନିଜ ତରଫରୁ ଏ ନେଇ କୌଣସି ଅତିରିକ୍ତ ବଜେଟ୍ ଆବଣ୍ଟନ କଲେ ନାହିଁ । ଫଳସ୍ୱରୂପ ମୂଳ ନିଅଣ୍ଟ ୧୬.୯ କୋଟିରୁ ବଢ଼ି ୫୦.୯ କୋଟିରେ ପହଞ୍ଚିଲା । ବର୍ତ୍ତମାନ ଓଡ଼ିଶା ସରକାର ଲେଖି କରି ଜଣାଇଛନ୍ତି ଯେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରିପାରିବେ ନାହିଁ ।
ନିଜ ବିଭାଗ ଓ ନିଜ ସରକାରର ଅବହେଳାକୁ ଅଣଦେଖା କରି କେନ୍ଦ୍ର ଉପରେ ଦୋଷ ଦେବା ପାଇଁ ଅପଚେଷ୍ଟା କରିଛନ୍ତି । ଏହା ସତ୍ତ୍ୱେ ବି ଭାରତ ସରକାର ନିଜ ତରଫରୁ ଦ୍ୱିତୀୟ କିସ୍ତି ପାଇଁ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ବଜେଟରେ କମ ପଇସା ଦେଲେ । ଗତବର୍ଷ ନଭେମ୍ବରରେ ରାଜ୍ୟର ଅତିରିକ୍ତ ବଜେଟରେ ଖେଳକୁଦ, ନାଚଗୀତ, ଯାନି ଯାତ୍ରା ଓ ହକି ଷ୍ଟାଡିୟମ ପାଇଁ ବଜେଟ୍ ଦେଲେ କିନ୍ତୁ ସ୍କୁଲରେ ପିଲା ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ପଇସା ଦେବାକୁ ଭୁଲିଗଲେ । ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରିବା ଉଚିତ୍ କି ନୁହେଁ ? ଯେଉଁ ସରକାର ନାଚଗୀତ ପାଇଁ କୋଟି କୋଟି ଖର୍ଚ୍ଚ କରିପାରୁଛି, ସେହି ସରକାର ସ୍କୁଲରେ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା କରିନପାରିବା ଦୁର୍ଭାଗ୍ୟଜନକ । ଏହା ଓଡ଼ିଶା ସରକାରଙ୍କ ଶିକ୍ଷା ଓ ପୋଷଣ ପ୍ରତି ଥିବା ଘୋର ଉଦାସୀନତା ଓ ସରକାରଙ୍କ ପ୍ରାଥମିକତାରେ ନାହିଁ ବୋଲି ଜଣାପଡ଼ୁଛି । ଚିରାଚରିତ ଢଙ୍ଗରେ ନିଜର ଦୋଷ ଦୁର୍ବଳତା ଓ ଅପାରଗତାକୁ କେନ୍ଦ୍ର ଉପରେ ଲଦିବାର ଅପଚେଷ୍ଟା ଓଡ଼ିଶା ସରକାର କରିଆସୁଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନାରେ କେନ୍ଦ୍ରୀୟ ଅବହେଳା ନେଇ ମନ୍ତ୍ରୀ ସମୀର ଦାସ ସୃଷ୍ଟି କରିଥିବା ଅପପ୍ରଚାର ଏହାର ସଦ୍ୟ ଉଦାହରଣ । ଆଜି ଓଡ଼ିଶାରେ ଅଧିକାଂଶ ଶିଶୁ ଅପପୃଷ୍ଟି ଓ ରକ୍ତହୀନତାରେ ଜର୍ଜରିତ । ଓଡ଼ିଶାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ସ୍କୁଲ ଗୁଡିକରେ ସବୁଜ ରଙ୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମାରିବା ଅପେକ୍ଷା ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରିବା ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।
