ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ୍ ହିତାଧିକାରୀ ଚୟନ ନହେଲେ ବ୍ଲକ ଅଫିସରେ ତାଲା ପକାଇବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ
ହକି ଖେଳର ପ୍ରଚାର ଜରିଆରେ ରାଜ୍ୟ ସରକାର ନିଜର ଭ୍ରଷ୍ଟାଚାରୀ ଓ ମଳିନ ପଡିଯାଇଥିବା ଭାବମୁର୍ତିକୁ ସଜାଡିବାରେ ଲାଗିପଡିଛନ୍ତି
ସ୍ଥାନୀୟ ଅଂଚଳର ବିକାଶ ପାଇଁ ପଂଚାୟତରେ ଟଙ୍କାର ଅଭାବ ହେଉଛି ବୋଲି ରାଜ୍ୟ ସରକାର କହୁଥିବାବେଳେ ଅନ୍ୟ ପଟେ ପଂଚାୟତର ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହକି ଖେଳର ପ୍ରଚାର ଓ ପ୍ରସାର ଆଳରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ
ହକି ଖେଳ ଆଳରେ ଗ୍ରାମସଭା ଡାକି ଦେଇ ଅତି ଚତୁରତାର ସହ ହିତାଧିକାରୀ ଚୟନରେ କରିଥିବା ଟାଳଟୁଳ ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି
ଗ୍ରାମସଭାରେ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋଚନା ହେବ ନାହିଁ, ତେବେ ରାଜ୍ୟ ସରକାର ଏହି ଗ୍ରାମସଭାକୁ ଅସିଦ୍ଧ ଘୋଷଣା କରନ୍ତୁ
ଭୁବନେଶ୍ୱର, ତା.୧୧/୦୧: ରାଜ୍ୟରେ ଆନ୍ତର୍ଜାତୀକ ସ୍ତରର ଖେଳ ହେବା ଏକ ଗୌରବର କଥା । କିନ୍ତୁ ହକି ଖେଳର ପ୍ରଚାର ଜରିଆରେ ରାଜ୍ୟ ସରକାର ନିଜର ଭ୍ରଷ୍ଟାଚାରୀ ଓ ମଳିନ ପଡିଯାଇଥିବା ଭାବମୁର୍ତିକୁ ସଜାଡିବାରେ ଲାଗିପଡିଛନ୍ତି । ୨୦୧୯ ନିର୍ବାଚନ ବେଳକୁ ରାଜ୍ୟ ସରକାର ମିଶନଶକ୍ତି ମାଧ୍ୟମରେ “ପିଠା” କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିଥିଲେ ଏବଂ ବର୍ତମାନ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ହକିର ସାହାରା ନେଉଛନ୍ତି । ବିଶ୍ୱ ହକି ପ୍ରଚାର ପାଇଁ ବିଜ୍ଞାପନ ମାଧ୍ୟମରେ ହକିର ଫଟୋକୁ ଛୋଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଫଟୋକୁ ବଡ଼ କରି ବ୍ଲକ ଓ ଗାଁରେ ଏଲିଇଡି ଚଳାଇ ଓଡ଼ିଶାବାସୀଙ୍କ ଆଗରେ ପ୍ରଚାର ପ୍ରସାର କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ବ ନୋଟିସ ନଦେଇ ବା ଅନିୟମତି ଭାବେ ଗ୍ରାମସଭା ଡାକିବା ସଂପୂର୍ଣ୍ଣ ଅସିଦ୍ଧ ଓ ବେନିୟମ ଅଟେ । ଆଜି ପ୍ରତି ପଂଚାୟତରେ ହକି ଖେଳ ପ୍ରଦର୍ଶନ କରିବା ପାଇଁ ଗ୍ରାମ ସଭାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପଂଚାୟତର ଉନ୍ନତିକରଣ ଥିବା ଅର୍ଥରୁ ୩୦ହଜାର ଟଙ୍କାକୁ ଏସଏଚଜି ମାଧ୍ୟମରେ ଲୋକଙ୍କୁ ଖାଇବାକୁ ଦେବା ଓ ସ୍ଥାନୀୟ ଅଂଚଳରେ ଛୋଟ ଛୋଟ ଖେଳ କରାଇ ନିଜସ୍ୱ ପ୍ରଚାର କରିବା ଲାଗି ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଗୋଟିଏ ପଟେ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପଂଚାୟତରେ ଟଙ୍କାର ଅଭାବ ହେଉଛି ବୋଲି ରାଜ୍ୟ ସରକାର କହୁଥିବାବେଳେ ଅନ୍ୟ ପଟେ ପଂଚାୟତର ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହକି ଖେଳର ପ୍ରଚାର ଓ ପ୍ରସାର ଆଳରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ହକି ଉଦ୍ଘାଟନ କାର୍ଯ୍ୟକ୍ରମକୁ ଗ୍ରାମସଭାର ନାଁ ଦେଇ ରାଜ୍ୟ ସରକାର ଅର୍ଥକୁ ହଡପ କରୁଛନ୍ତି । ଗାଁ ମାନଙ୍କରେ ବର୍ଷକୁ ୩ଥର ଯଥା-ଜାନୁୟାରୀ ୨୬, ଅଗଷ୍ଟ ୧୫ ଓ ଅକ୍ଟୋବର ୨ରେ ଗ୍ରାମସଭା ହେବାର ଯୋଜନା ରହିଛି । କିନ୍ତୁ ଜାନୁୟାରୀ ୨୬କୁ ମାତ୍ର ୧୬ଦିନ ଥିବାବେଳେ ରାଜ୍ୟ ସରକାର ତରବରିଆଭାବେ କାହିଁକି ଗ୍ରାମସଭା ଡାକିଛନ୍ତି । ମନରେଗା ଟଙ୍କା, ଭତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଗ୍ରାମସଭାରେ ଆଲୋଚନା ହେବା ନିହାତି ଆବଶ୍ୟକ । ତରବରିଆ ଭାବେ ଗ୍ରାମ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟେଂଟାଟିଭ୍ ତାଲିକା ପ୍ରସ୍ତୁତ କରାଯାଇ ଗତ ଡିସେମ୍ବର ୨୧ ତାରିଖ ସୁଦ୍ଧା ପ୍ରତ୍ୟେକ ପଂଚାୟତ କାନ୍ଥରେ ଲାଗିବା କଥା । ବିଭିନ୍ନ ଅଭିଯୋଗର ସତ୍ୟାସତ୍ୟକୁ ତର୍ଜମା କରି ଏକ ପୂର୍ଣ୍ଣାଙ୍ଗ ତାଲିକାକୁ ସାର୍ବଜନୀନ କରାଯିବାର ନିୟମ ରହିଛି । ଆବାସ ଯୋଜନା ହିତାଧିକାରୀ ତାଲିକାରେ ରାଜ୍ୟ ସରକାର ୨୦୧୯ରେ ଯେଉଁ ଚଂଚକତା କରିଥିଲେ, ତାକୁ ବିଜେପି ତରଫରୁ ବିରୋଧ କରାଯାଇଥିଲା । ୨୦୧୮-୧୯ର ସର୍ଭେ ସମୟରେ ବିଜୁ ଜନତା ଦଳର ସମର୍ଥକ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମିଥ୍ୟା ତାଲିକା ପ୍ରସ୍ତୁତ କରିଥିଲେ । ଠିକ୍ ସେମିତି ଏବେବି ବିଜୁ ଜନତା ଦଳ ଦଳୀୟ ଆଧାରରେ ତାଲିକା ପ୍ରସ୍ତୁତ କରୁଛି । ଚଳିତ ଥର ମଧ୍ୟ ପାଖାପାଖି ୯୦% ପଂଚାୟତରେ ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରିସାରିଥିଲେ ସୁଦ୍ଧା ତାଙ୍କୁ ଲୁଚାଇ ରଖିବା ସହ ଲୋକଙ୍କ ଆଢ଼ୁଆଳରେ ରଖିବା ପାଇଁ ଅପଚେଷ୍ଟା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଟାଳଟୁଳନୀତି ଅବଲମ୍ବନ କର ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖୁଛନ୍ତି । ଏହି କାରଣରୁ ତାଲିକାକୁ ସାର୍ବଜନୀନ କରାଯାଉନାହିଁ ଏବଂ ସାଧାରଣ ଲୋକ ହିତାଧିକାରୀ ସଂପର୍କରେ ଜାଣିପାରିବେ ନାହିଁ । ହକି ଖେଳ ଆଳରେ ଗ୍ରାମସଭା ଡାକି ଦେଇ ଅତି ଚତୁରତାର ସହ ହିତାଧିକାରୀ ଚୟନରେ କରିଥିବା ଟାଳଟୁଳ ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପଂଚାୟତ କାନ୍ଥରେ ହିତାଧିକାରୀ ତାଲିକା ନମାରି ଗ୍ରାମସଭାରେ ନାଁ ଉଲ୍ଲେଖ କରିବାର ରାଜ୍ୟ ସରକାର ହୀନ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାର ଗରିବ ଲୋକଙ୍କ ଅଧିକାରକୁ ଖନନ ଓ ଚୋରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ କ୍ଷେତ୍ରରେ ଏକଥାକୁ ବରଦାସ୍ତ କରାଯିବ ନାହିଁ । ଗ୍ରାମସଭାରେ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋଚନା ହେବ ନାହିଁ, ତେବେ ରାଜ୍ୟ ସରକାର ଏହି ଗ୍ରାମସଭାକୁ ଅସିଦ୍ଧ ଘୋଷଣା କରନ୍ତୁ । ରାଜ୍ୟ ସରକାର ତରବରିଆଭାବେ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସକୁ ଚଂଚକତା କରନ୍ତି ତାହାଲେ ବିଜେପି ବରଦାସ୍ତ କରିବ ନାହିଁ । ୨୪ଘଂଟା ମଧ୍ୟରେ ହିତାଧିକାରୀଙ୍କ ତାଲିକା କାନ୍ଥ ମାରନ୍ତୁ ରାଜ୍ୟ ସରକାର । ଯଦି ରାଜ୍ୟ ସରକାର ଏଥିରୁ ବିଚୁତି ହୁଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
