ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ପ୍ରସଙ୍ଗରେ ଅନ୍ୟାନ୍ୟ ଫସଲ ପାଇଁ ଅଧିକ ପ୍ରତ୍ସୋହିତ ହେବେ ଚାଷୀ : ସମୀର ମହାନ୍ତି
ଧାନ ସମେତ ଅନ୍ୟାନ୍ୟ ୧୭ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କଲେ ରାଜ୍ୟ ସଭାପତି
ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ଚାଷୀଭାଇଙ୍କୁ ଆର୍ଥିକ ସୁଦୃଢ କରିବା ସହ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିବ
ରାଜ୍ୟର କୃଷକ ଭାଇଭଉଣୀଙ୍କ ସ୍ୱାର୍ଥ ଏବଂ ସେମାନଙ୍କୁ ଆର୍ଥିକ ସ୍ଥିତି ମଜବୁତ୍ କରିବା ପାଇଁ ଧାର୍ଯ୍ୟ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପ୍ରଦାନ କରାଇବାର ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ରାଜ୍ୟ ସରକାର
ଭୂବନେଶ୍ୱର, ତା.୦୮/୦୬ : ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । ଏହାକୁ ହୃଦୟଙ୍ଗମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶ ଶାସନର ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟୀତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କା ଥିଲା । ମୋଦି ସରକାରଙ୍କ ୮ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୦୪୦ ଟଙ୍କା କରାଯିବା ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୭ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂତୋମରଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ । ଆଜିର ଏହି ନିଷ୍ପତି ଫଳରେ ଧାନର ଏମଏସପି ୧୦୦ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୦୪୦ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୦୬୦ଟଙ୍କା ହୋଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ଯଥା – ବାଜରା ୨୨୫୦ ରୁ ୨୩୫୦, ମାଣ୍ଡିଆ ୩୩୭୭ ରୁ ୩୫୭୮, ମକା ୧୮୭୦ ରୁ ୧୯୬୨, ହରଡ ୬୩୦୦ ରୁ ୬୬୦୦, ମୁଗ ୭୨୭୫ ରୁ ୭୭୫୫, ଚିନାବାଦାମ ୫୫୫୦ ରୁ ୫୮୫୦, ସୂର୍ଯ୍ୟମୁଖି ୬୦୧୫ ରୁ ୬୪୦୦, କପା ୫୭୨୬ ରୁ ୬୦୮୦, ସୋୟାବିନ୍ ୩୯୫୦ ରୁ ୪୩୦୦ଟଙ୍କାକୁ ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରତ୍ସୋହିତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବ ଏବଂ ରାଜ୍ୟରେ କୃଷିର ତଥା ଧାନ ମଣ୍ଡିର ଭିତିଭୂମି ଅଭାବ କାରଣରୁ କୃଷିବହୁଳ ଆମ ରାଜ୍ୟରେ ଗତ ଖରିଫ ଏବଂ ବର୍ତମାନ ରବି ଫସଲର ଉତ୍ପାଦିତ ଧାନକୁ ଏବଂ ଅନ୍ୟାନ୍ୟ ଫସଲକୁ ଚାଷୀ ସଠିକ୍ ମୂଲ୍ୟରେ ବିକ୍ରି କରିନପାରି ବହୁ କ୍ଷତି ଅସୁବିଧାରେ ସମ୍ମୁଖୀନ ହୋଇଛି । କେନ୍ଦ୍ର ସରକାର ଧାନର ଏମଏସ୍ପି ବୃଦ୍ଧି କରି ଧାନ କିଣିବା ପାଇଁ ରାଜ୍ୟକୁ ବ୍ୟାପକ ଅର୍ଥ ପ୍ରଦାନ କରୁଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓ ଖାମଖିଆଲି ମନବୃତି ଯୋଗୁଁ ଏବେ ବି ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ଖତ ହେଉଛି । ଫଳ ସ୍ୱରୂପ ଓଡ଼ିଶାର ଚାଷୀକୂଳ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି । ରାଜ୍ୟରେ କୃଷକ ଭାଇ, ଭଉଣୀମାନଙ୍କ ସ୍ୱାର୍ଥ ଏବଂ ଆର୍ଥôକ ସ୍ଥିତିକୁ ମଜଭୁତ୍ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଇବାରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।
(ବିଜେପି ମିଡିଆ ସେଲ୍)
