Odisha news

ରାଜ୍ୟରେ ଆର୍ଥୀକ ବିଶୃଙ୍ଖଳା ଚରମ ସୀମାରେ : ରମାରଞ୍ଜନ ବଳିୟାରସିଂହ

0

 ରାଜ୍ୟ ସରକାର ଏବଂ ସିଏଜିଙ୍କ ତଥ୍ୟକୁ ଅନୁଧ୍ୟାନ କଲେ ଓଡିଶାର ଅର୍ଥନୀତି ମହାକାଳ ଫଳ ସଦୃଶ
 ନିଜ ସମ୍ବଳରେ ବେତନ ଓ ପେନସନ ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି
 ଦାରିଦ୍ର୍ୟ ଦୃଷ୍ଟିକୋଣରୁ ରାଜ୍ୟରେ ପ୍ରତି ତିନି ଜଣରେ ଜଣେ ଗରିବ
 କ୍ରୟ ଶକ୍ତି ଦୃଷ୍ଟିରୁ ଓଡିଶା ୧୬ ନମ୍ବର ରାଜ୍ୟ
 ମାନବ ବିକାଶ ସୂଚକାଙ୍କରେ ଗତ ୨୦୦୧ ମସିହାରେ ସର୍ବଭାରତୀୟ ସ୍ତରରେ ୧୧ ନମ୍ବରରେ ଥିବା ଓଡିଶା ବର୍ତମାନ ୨୦୨୧ ମସିହାରେ ୩୨ ନମ୍ବର ସ୍ଥାନ ଅଧିକାର କରିଛି
 ରାଜ୍ୟରେ କୃଷକଙ୍କ ମାସିକ ହାରାହାରି ଆୟ ମାତ୍ର ୫,୧୧୨ ଟଙ୍କା ଏବଂ ଏହା ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ
 ରାଜ୍ୟରେ ପୁଞ୍ଜି ନିବେଶ ସମ୍ପୂର୍ଣ୍ଣ ପଥ ଭ୍ରଷ୍ଟ ଏବଂ ପୁଞ୍ଜିନିବେଶ କ୍ରମାଗତ ଭାବେ ହ୍ରାସ ପାଇବା ଅତ୍ୟନ୍ତ ଚିନ୍ତାଜନକ
 ମହିଳା, ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ସର୍ବମୋଟ ୮୮ ପ୍ରତିଶତ ହୋଇଥିବାବେଳେ ବଜେଟରେ ତାଙ୍କ ପାଇଁ ମାତ୍ର ୪.୪ ପ୍ରତିଶତ ଅର୍ଥ ବରାଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, ତା.୨୪/୦୫: ରାଜ୍ୟର ପ୍ରଗତି ସମ୍ପର୍କରେ ରାଜ୍ୟ ସରକାର ମିଛ ବାହାସ୍ପୋଟ ମାରୁଛନ୍ତି ଏବଂ ଲୋକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି । ବାସ୍ତବରେ ରାଜ୍ୟ ସରକାରଙ୍କ ଅପାରଦର୍ଶୀ କାର୍ଯ୍ୟ କାରଣରୁ ଏହାର କୁପରିଣାମ ସାଧାରଣ ଲୋକ ଭୋଗୁଛନ୍ତି । ଏଫ୍ଆରବିଏମ୍ ଆକ୍ଟ୍ର ଗାଇଡ୍ଲାଇନ୍କୁ ଅନୁପାଳନ କରିବା ସହିତ ଏକ ରାଜସ୍ୱ ବଳକା ରାଜ୍ୟ ବୋଲି ଶାସକ ବିଜେଡି ଡିଣ୍ଡିମ ପିଟୁଛନ୍ତି । ଏପରିକି ଆମର ଅର୍ଥନୀତି ସୁଦୃଢ ଅଛି ବୋଲି ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ବାସ୍ତବରେ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ତକ୍ରାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୦୧ ମସିହାରେ ଅନୁଷ୍ଠିତ ହୋଇଥିବା ‘ଓଦ୍ଭ ଗ୍ଧଷର ୠକ୍ଟକ୍ଟଗ୍ଧଗ୍ଦଗ୍ଦରଗ୍ଧକ୍ଟ୍ରଗ୍ଦ କ୍ଟଲ ଏବଦ୍ଭୟଷସହସ’ କନକ୍ଲେଭ୍ ଅବସରରେ “ଭାଇବ୍ରାଂଟ୍ ଗୁଜୁରାଟ”ର ବାର୍ତା ଦେଇଥିଲେ । ଦୀର୍ଘ ୨୦ବର୍ଷ ପରେ ଆଜି ଓଡିଶାରେ “ଭାଇବ୍ରାଂଟ୍ ଓଡିଶା”ର ବାର୍ତା ଦିଆଯାଉଛି । ଏହା ହିଁ ରାଜ୍ୟ ସରକାରଙ୍କ ଓଡିଶା ବିକାଶର ପ୍ରାଧାନ୍ୟତାକୁ ଦର୍ଶାଉଛି । ରାଜ୍ୟ ସରକାର ଏବଂ ସିଏଜିଙ୍କ ତଥ୍ୟକୁ ଅନୁଧ୍ୟାନ କଲେ ଓଡିଶାର ଅର୍ଥନୀତି ମହାକାଳ ଫଳ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ୨୦୦୦-୨୦୦୧ମସିହାରେ ଶାସକ ବିଜେଡି ଶାସନ କ୍ଷମତାକୁ ଆସିବା ସମୟରେ ଓଡିଶାର ବାର୍ଷିକ ବଜେଟ୍ ପରିମାଣ ମାତ୍ର ୯୬୪୧କୋଟି ଟଙ୍କା ଥିଲା ଏବଂ ଏହି ପରିମାଣ ବର୍ତମାନ ୧ଲକ୍ଷ କୋଟି ଟଙ୍କାର ଲେଖାନୁଦାନ (ଠକ୍ଟଗ୍ଧର କ୍ଟଦ୍ଭ ଇମମକ୍ଟଙ୍କଦ୍ଭଗ୍ଧ) ଉପସ୍ଥାପନ କରାଯାଇଛି ଏବଂ ୨ଲକ୍ଷ ୬ହଜାର କୋଟି ଟଙ୍କାର ବଜେଟ୍ ହେବ ବୋଲି ସୂଚନା ଦିଆଯାଇଛି । ଏହି ବଜେଟ ପରିମାଣରେ କେନ୍ଦ୍ରୀୟ ଅନୁଦାନ ୪୧ ପ୍ରତିଶତ ଏବଂ ଋଣ ବାବଦରେ ୨୬ ପ୍ରତିଶତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଆୟ ଅତ୍ୟନ୍ତ ନଗଣ୍ୟ । ଏପରିକି ନିଜ ସମ୍ବଳରେ ବେତନ ଓ ପେନସନ ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ସେହିପରି ୨୦୦୦ମସିହାରେ ରାଜ୍ୟ ଋଣଭାର ମାତ୍ର ୧୮ହଜାର କୋଟି ଟଙ୍କା ଥିଲା ଏବଂ ଆଜି ଏହି ଋଣ ଭାର ୧ଲକ୍ଷ ୨୦ହଜାରରୁ ଊଦ୍ଧ୍ୱର୍ କୋଟି ପହଂଚିଲାଣି । ରାଜ୍ୟର ବିକାଶ ନାମରେ ଋଣ କରୁଛନ୍ତି, କିନ୍ତୁ ଦଳିତ ଓ ଆଦିବାସୀମାନଙ୍କୁ ଋଣ ଯୋଗାଉଥିବା ସଂସ୍ଥା ଓଏସ୍ସିଏସ୍ଟିଡି ଏଫ୍ସିସି ଅଚଳ । ସେହିପରି ଚାଷୀ ଋଣ ନେବା ପାଇଁ ଭୂବନ୍ଧକ ବ୍ୟାଙ୍କ୍ ଓ ଓସ୍କାଡ୍ ବ୍ୟାଙ୍କ୍ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କ ପାଇଁ ଓଏସ୍ଏଫ୍ସି ସମ୍ପୂର୍ଣ୍ଣ ଋଗୁଣ । ପଛୁଆ ବର୍ଗଙ୍କ ପାଇଁ ଓବିସି ଫାଇନାନ୍ସ କର୍ପୋରେସନ୍ କାମ କରୁନାହିଁ । ବୁଣାକାରମାନଙ୍କ ପାଇଁ ସ୍ପିନ୍ ଫେଡ୍ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଥିବାବେଳେ ରାଜ୍ୟ ଋଣ ଭାର କାହା ସ୍ୱାର୍ଥରେ? ମୁଣ୍ଡ ପିଛା ଋଣ ଭାର ଯଦି ଦେଖିବା ୨୦୦୯-୧୦ରେ ୯,୧୮୦ଟଙ୍କା ଥିଲାବେଳେ ୨୦୨୦-୨୧ରେ ଏହା ୨୩,୫୨୪ଟଙ୍କାରେ ପହଁଚିଛି । ଦାରିଦ୍ର୍ୟ ଦୃଷ୍ଟିକୋଣରୁ ରାଜ୍ୟରେ ପ୍ରତି ତିନି ଜଣରେ ଜଣେ ଗରିବ । ରାଜ୍ୟର ୧୬ଟି ଜିଲ୍ଲାର ଦାରିଦ୍ର୍ୟତା ସ୍ଥିତି ଜାତୀୟ ହାର ଠାରୁ ଢେର୍ ଖରାପ୍ ଏବଂ ରାଜ୍ୟର ଖରାପ ଆର୍ଥିକ ସ୍ଥିତିକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ସର୍ବଭାରତୀୟ ସ୍ତରରେ ବହୁ କମ୍ । କ୍ରୟ ଶକ୍ତି ଦୃଷ୍ଟିରୁ ଓଡିଶା ୧୬ ନମ୍ବର ରାଜ୍ୟ । ମାନବ ବିକାଶ ସୂଚକାଙ୍କରେ ଗତ ୨୦୦୧ ମସିହାରେ ସର୍ବଭାରତୀୟ ସ୍ତରରେ ୧୧ ନମ୍ବରରେ ଥିବା ଓଡିଶା ବର୍ତମାନ ୨୦୨୧ ମସିହାରେ ୩୨ ନମ୍ବର ସ୍ଥାନ ଅଧିକାର କରିଛି । ଅନ୍ୟ ପଟେ ରାଜ୍ୟରେ କୃଷକଙ୍କ ମାସିକ ହାରାହାରି ଆୟ ମାତ୍ର ୫,୧୧୨ ଟଙ୍କା ଏବଂ ଏହା ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ । ସ୍ୱାସ୍ଥ୍ୟ ସୁବିଧା ଦୃଷ୍ଟିରୁ ଏମସିଆଇ ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରରେ ଡାକ୍ତର ଓ ଜନସଂଖ୍ୟା ଅନୁପାତ ୧:୧୧୧୬ ହେଲାବେଳେ ଓଡିଶାରେ ୧:୧୯୪୩ । ସେହିଭଳି ସ୍ୱାସ୍ଥ୍ୟ ଓ ଭିତିଭୂମି ଅତ୍ୟନ୍ତ ନଗଣ୍ୟ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ରାଜ୍ୟରେ ପୁଞ୍ଜି ନିବେଶ ସମ୍ପୂର୍ଣ୍ଣ ପଥ ଭ୍ରଷ୍ଟ । ପୁଞ୍ଜିନିବେଶ କ୍ରମାଗତ ଭାବେ ହ୍ରାସ ପାଇବା ଚିନ୍ତାଜନକ । ନୂତନ ସ୍ଥାୟୀ ଭିତିଭୂମି ନିର୍ମାଣ ନକରାଯାଇ ପୁରୁଣା ଯୋଜନା ଓ ପ୍ରକଳ୍ପର ନବୀକକରଣ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ବ୍ୟାପକ ଟଙ୍କା ଖର୍ଚ୍ଚ କରାଯାଉଛି । ରାଜ୍ୟରେ ମହିଳା ସଂଖ୍ୟା ୫୦ ପ୍ରତିଶତ, ଅନୁସୁଚିତ ଜାତି ୧୬ ପ୍ରତିଶତ ଏବଂ ଅନୁସୁଚିତ ଜନଜାତି ସଂଖ୍ୟା ୨୨ ପ୍ରତିଶତ । ଏହିପରି ମହିଳା, ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ସର୍ବମୋଟ ୮୮ ପ୍ରତିଶତ ହୋଇଥିବାବେଳେ ବଜେଟରେ ତାଙ୍କ ପାଇଁ ମାତ୍ର ୪.୪ ପ୍ରତିଶତ ଅର୍ଥ ବରାଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ପ୍ରତିବର୍ଷ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ତାହା ଅର୍ଥବିଭାଗର ସମନ୍ୱୟରେ ବିଧାନସଭାରେ ପାରିତ ହେବା ପରରେ ଚୁଡାନ୍ତ ବ୍ୟୟବରାଦ ହୋଇଥାଏ । ମାତ୍ର ସମସ୍ତ ନୀତିକୁ ଜଳାଞ୍ଜଳୀ ଦେଇ ରାଜ୍ୟ ସରକାର ମନଇଚ୍ଛା ଖର୍ଚ୍ଚ କରିବାରେ ବ୍ୟସ୍ତ । କୃଷି କ୍ଷେତ୍ରରେ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦନକୁ କୃଷି କ୍ଷେତ୍ରରେ ଯୋଗଦାନ ନିରୁସାହଜନକ ଅଟେ । ସିଏଜିଙ୍କ ବାରମ୍ବାର ତାଗିଦ୍ ସତ୍ୱେ କୌଣସି ସୁଫଳ ନାହିଁ । ୨୦୨୦ ଆର୍ଥୀକ ବର୍ଷରେ ଖର୍ଚ୍ଚ କରିନପାରି ରାଜ୍ୟ ସରକାର ୨୧,୨୦୦କୋଟି ଟଙ୍କା ଫେରାଇ ଦେଇଛନ୍ତି । କୃଷି କ୍ଷେତ୍ରରେ ୮୪୩କୋଟି, ଜଳ କ୍ଷେତ୍ରରେ ୧ହଜାର ୩୬କୋଟି ନଲ୍ ପେ ଜଲ୍ କ୍ଷେତ୍ରରେ ୮୩୧କୋଟି ଟଙ୍କା ସମର୍ପଣ କରାଯାଇଛି । ୨୦୧୩-୧୪ ରୁ ୨୦୧୮-୧୯ ପର୍ଯ୍ୟନ୍ତ ସମସ୍ତ ଅନିୟମିତ ଖର୍ଚ୍ଚ ନିୟମିତ ହୋଇନାହିଁ । ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ୪୩ହଜାର ୪୧୨କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇନାହିଁ । ରାଜ୍ୟରେ ଆର୍ଥୀକ ବିଶୃଙ୍ଖଳା ଚରମ ସୀମାରେ ପହଂଚିଛି । ବିକାଶର ଗତି ସମ୍ପୂର୍ଣ୍ଣ ମନ୍ଥର, ନିରୁତ୍ସାହଜନକ ଓ ରାଜ୍ୟ ପ୍ରଗତିର ପରିପନ୍ଥୀ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply