Odisha news

ନାଗରିକତା ସଂଶୋଧନ ଅଧିନିୟମ ଜିଲ୍ଲାସ୍ତରୀୟ କର୍ମଶାଳା “ଭ୍ରମଦୂର ପାଇଁ ବିଜେପି ଘରକୁ ଘର ଯାଇ ଜନସଚେତନତା ସୃଷ୍ଟି କରିବ’

0

ଭଦ୍ରକ:କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଧେୟକ ସଂସଦରେ ପାରିତ କରିବା ପରେ ଦେଶବାସୀଙ୍କ ମଧ୍ୟରେ ବିରୋଧୀଦଳମାନେ ଯେଉଁ ଭ୍ରମ ସୃଷ୍ଟି କରୁଛନ୍ତି, ତାହାର ବାସ୍ତବ ରୂପରେଖ ଜନସାଧାରଣଙ୍କୁ ଜଣାଇବା ପାଇଁ ବିଜେପି ଘରଘରକୁ ଯାଇ ଜନସଚେତନତା ସୃଷ୍ଟି କରିବ । ଏହି ଜନସଚେତନତା ଯାତ୍ରାର ସଫଳ ରୂପାୟନ ନିମନ୍ତେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ କର୍ମଶାଳା ବିଜେପି ଜିଲ୍ଲା ଜନସମ୍ପର୍କ ସଂଯୋଜକ ବଦ୍ରିନାରାୟଣ ଧଳଙ୍କ ପୌରୋହିତ୍ୟରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଉଦ୍‍ଘାଟନ କରି ପାକିସ୍ତାନ, ବାଂଲାଦେଶ, ଆଫ୍‍ଗାନିସ୍ଥାନରେ ଧାର୍ମିକ ଉପିୀଡ଼ନର ଶିକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ଅଳ୍ପ ସଂଖ୍ୟକମାନଙ୍କୁ ନାଗରିକତାର ଅଧିକାର ଦେବା ଆଇନ ପ୍ରଣୟନ କରି ବିଜେପି ତାହାର ନିର୍ବାଚନୀ ସଂକଳ୍ପକୁ ପୂରଣ କରିଛି ବୋଲି କହିଥିଲେ । ଏଥିରେ ନବ ନିଯୁକ୍ତ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ତାଙ୍କ ସମାରୋପ ଅଭିଭାଷଣରେ ଯଦି ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇ ନ ଥାଆନ୍ତା ତାହେଲେ ନାଗରିକତା ସଂଶୋଧନ ଆଇନର ଆବଶ୍ୟକତା ପଡ଼ି ନଥାନ୍ତା ବୋଲି କହିଥିଲେ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଳା ପ୍ରଭାରୀ ପବିତ୍ର ମୋହନ ଦାସ, ଭଦ୍ରକ ଲୋକସେବା ନିର୍ବାଚନ ମଣ୍ଡଳୀ ନେତା ଅଭିମନୁ୍ୟ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ବାସୁଦେବପୁର ବିଧାନସଭା ନେତା ମାଧବାନନ୍ଦ ମଲ୍ଲିକ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ନାଗରିକତା ସଂଶୋଧନ ଆଇନର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ଜିଲ୍ଲା ଜନସମ୍ପର୍କ ସହସଂଯୋଜକ ଭାବେ ମନୋଜ ମଲ୍ଲିକ, ଅନୂପ ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀ ସ୍ତରରେ ସଂଯୋଜକ ଓ ସହସଂଯୋଜକଙ୍କ ନାମ ଘୋଷଣା କରାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ପଦାଧିକାରୀ, ବିଦାୟୀ ଓ ନୂତନ ମଣ୍ଡଳ ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନେତୃମଣ୍ଡଳୀ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଏହି ଆଇନର ସୁଫଳ ଓ ଆବଶ୍ୟକତା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିବେଦନ କରିଥିଲେ । ଏହି କର୍ମଶାଳାକୁ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢିଆରୀ, ସୁରେଶ ସାହୁ, ଉପସଭାପତି ତପନ ମହାନ୍ତି, ତପନ ବାରିକ, ଭାଗିରଥୀ ମହାକୁଡ, ସୁରେଶ ସାମଲ, ସରୋଜ ରାଉତ, ଭଗବାନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.