Odisha news

ବଳଙ୍ଗା ଦୁଷ୍କର୍ମ ପୀଡିତାକୁ ଭେଟିଲା ମହିଳା ମୋର୍ଚ୍ଚା ପ୍ରତିନିଧୀଦଳ ଅଭିଯୁକ୍ତ ଏଏସଆଇକୁ ବହିଷ୍କୃତ କରି କଠୋର ଦଣ୍ଡ ଦିଆଯାଉ :ମହିଳାମୋର୍ଚ୍ଚା

0

ଜଣେ ମହିଳାଙ୍କୁ ନ୍ୟାୟ ଦେବାର ଲୋଭ ଦେଖାଇ ବଳଙ୍ଗା ଥାନା ଅଧିକାରୀ ଏଏସଆଇ ଚିତରଂଜନ ଦାସ ବାରମ୍ବାର ଜନୈକା ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଏଭଳି ଘଟଣା ପୂରା ସମାଜ ପାଇଁ ଲଜ୍ଜାର ବିଷୟ । ପୋଲିସ ସୁରକ୍ଷା ଦେବା ଆଳରେ ମହିଳାଙ୍କ ଇଜ୍ଜତ ଲୁଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୀଡିତାକୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ପରେ ପ୍ରତିନିଧୀ ଦଳ ପୋଲିସ ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ ।
ପୀଡିତାର କହିବାନୁଯାୟୀ ଏଏସଆଇ ତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସମୟରେ ପୋଲିସ ସରକାରୀ କ୍ୱାଟରକୁ ଡାକି ଦୁଷ୍କର୍ମ କରିଛନ୍ତି । ରାଜ୍ୟସରକାର ମୋ ସରକାର ଏବଂ ନାରୀ ସଶକ୍ତିକରଣ କଥା କହୁଥିବାବେଳେ ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଥିବା ପୋଲିସ ଆଜି ଅମାନୁଷିକ ଭାବେ ମହିଳାଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ କିଛିଦିନ ତଳେ ପୁରୀରେ ପୋଲିସ କ୍ୱାଟରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି କି, ଏବେ ପୋଲିସର ସରକାରୀ ବାସଗୃହ ଦୁଷ୍କର୍ମସ୍ଥଳୀ ପାଲଟିଛି । ଶାସକ ଦଳ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାରୁ ପୋଲିସ ବି ଏବେ ଦୁଷ୍କର୍ମ କରିବାକୁ ପଛଘୁଂଚା ଦେଉନାହିଁ । ଏହା ଶାସକ ଦଳ ଏବଂ ପୋଲିସ ପ୍ରଶାସନର କୁତ୍ସିତ ମାନସିକତା ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି ।
ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି । ଏହି ଘଟଣାରେ ରାଜ୍ୟସରକାର ତୁରନ୍ତ ପୋଲିସ ଏଏସଆଇକୁ ବହିଷ୍କାର କରାଯିବା ସହ ଅଭିଯୁକ୍ତ ଚିତରଂଜନ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ପୀଡିତା ଅଭିଯୋଗ କରିବା ସମୟରେ ଭାରପ୍ରାପ୍ତ ଅଧିକାରୀ (ଓଆଇସି) ତୁରନ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନେଲେ ନାହିଁ ତାହା ତଦନ୍ତ ପରିସରଭୃକ୍ତ ହେବା ଦରକାର । ଅନ୍ୟପଟେ ଘଟଣାକୁ ରଫଦଫା କରିବା ପାଇଁ ଲାଗିଥିବା ଭଦ୍ରଲୋକମାନଙ୍କୁ ବି ତଦନ୍ତ ପରିସରଭୃକ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ, ବିଝାଂରପୁର ବିଧାୟିକା ପ୍ରାର୍ଥିନୀ ବବିତା ମଲ୍ଲିକ, ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ ।

(ବିଜେପି ମିଡିଆ ସେଲ୍)

Leave A Reply