ବିଧାନସଭା ସମ୍ମୁଖରେ ଆନେ୍ଦାଳନକାରୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଭେଟିଲା ବିଜେପି ପ୍ରତିନିଧର ଦଳ କୋଭିଡ୍-୧୯ ମହାମାରୀ ସମୟରେ ନିଯୁକ୍ତିପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ ସାମନ୍ତସିଂହାର
ଭୂବନେଶ୍ୱର :କୋଭିଡ-୧୯ ମହାମାରୀରେ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ ପଂଚାୟତ ସ୍ତରରେ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ (ଏଏନଏମ) ନିଯୁକ୍ତି ଦେଲେ । ଏହି ମହାମରୀ ସମୟରେ ସମସ୍ତେ ଘରେ ରହିଥିବାବେଳେ ଏଏନଏମ ମାନଙ୍କୁ କରୋନା ମୁକାବିଲା ନିମନ୍ତେ କରୋନା ଯୋଦ୍ଧା ଭାବେ ନିୟୋଜିତ କରାଇ ତାଙ୍କ ଜୀବନକୁ ବାଜି ଲଗାଇଥିଲେ ।
ରାଜ୍ୟ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରି ଘର ଘର ବୁଲି ଲୋକଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ବର୍ତମାନ କରୋନା କମି ଯିବାର ଆଳ ଦେଖାଇ ରାଜ୍ୟ ସରକାର ସମସ୍ତ କୋଭିଡ କେୟାର ହସପିଟାଲ (ସିସିଏଚ୍)ରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଛଟେଇ କରି ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ପାରିଶ୍ରାମିକ ତଥା ଦରମା ନପାଇ ଗତ ୯ ଦିନ ଧରି ଭୂବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣାରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଜେପି ପ୍ରତିନିଧି ଦଳ ଭେଟି ତାଙ୍କ ସମସ୍ୟା ଏବଂ ଦାବୀ ପ୍ରସଙ୍ଗରେ ଅବଗତ ହୋଇଥିଲେ ।ଧାରଣାକାରୀଙ୍କ ଦାବୀ ଯୁକ୍ତିଯୁକ୍ତ ଓ ଯଥାର୍ଥ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଆଲୋଚନା କରି ସେମାନଙ୍କ ଦାବୀ ଓ ସମସ୍ୟା ସମାଧାନ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ କହିଛନ୍ତି ।
ଭାରତୀୟ ଜନତା ପାର୍ଟୀ ଆନେ୍ଦାଳନରତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଯଥାର୍ଥ ଦାବୀ ସହ ଠିଆ ହୋଇଛି । ରାଜ୍ୟ ସରକାର ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭା ଭିତରେ ଓ ବାହାରେ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ମିଶି ବିଜେପି ଲଢେଇରେ ସାମିଲ ହେବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।ଏହି ପ୍ରତିନିଧି ଦଳରେ ଦିଲୀପ ମଲ୍ଲିକ ଏବଂ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ ।