ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାବାସୀଙ୍କୁ ନିଜ ଅର୍ଥରେ ଟୀକା ଯୋଗାଇବା ପାଇଁ ରାଜ୍ୟସରକାର ଏମଓୟୁ କରିଥିବା କଥା କହିବା ପ୍ରସଙ୍ଗ , ଟୀକା ଯୋଗାଣକାରୀ ସଂସ୍ଥା ସହ ହୋଇଥିବା ଏମଓୟୁର ନକଲକୁ ରାଜ୍ୟବାସୀଙ୍କ ଆଗରେ ସାର୍ବଜନୀନ କରନ୍ତୁ ଯୋଗାଣମନ୍ତ୍ରୀ :ବିଷ୍ଣୁ ସେଠୀ
ସାରାଦେଶବାସୀଙ୍କୁ କୋଭିଡ ଟୀକା ଯୋଗାଇବା ନେଇ ମୋଦି ସରକାର ଯୋଜନାବଦ୍ଧଭାବେ ପ୍ରସ୍ତୁତି ଚଲାଇଛନ୍ତି
ନିଜ ନିନ୍ଦନୀୟ ବକ୍ତବ୍ୟରୁ ଦୃଷ୍ଟି ହଟାଇବା ପାଇଁ ସବୁ ଜାଣିଶୁଣି ମିଛରେ ବୟାନବାଜି କରି ବିଳିବିଳଉଛନ୍ତି ରାଜାସ୍ୱାଇଁ
ବାଲେଶ୍ୱର ଜିଲ୍ଲା ପାଇଁ ୯୨୨.୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି ସରକାର
ବିଧାୟକଙ୍କ ମୃତୁ୍ୟକୁ ବିଜେଡି ନିର୍ବାଚନ ଜିତିବା ପାଇଁ ଏକ ସୁଯୋଗ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟିର ସହାୟତା ଦେଇଥିବାବେଳେ ରାଜ୍ୟରେ ପ୍ରତିଦିନ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି
ଭୁବନେଶ୍ୱର,ତା.୨୫/୧୦: ବିଶ୍ୱ ମହାମାରୀ କୋଭିଡ-୧୯ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ହାତଖୋଲି ଓଡିଶାକୁ ସହଯୋଗ କରିଛନ୍ତି । କୋଭିଡ ମୁକାବିଲା କରିବା ପାଇଁ ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟିର ସହାୟତା ଦେଇଥିବାବେଳେ କେବଳ ବାଲେଶ୍ୱର ଜିଲ୍ଲା ପାଇଁ ୯୨୨.୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟକୁ ଏତେ ପରିମାଣରେ ଅର୍ଥ ଆସିବା ପରେ ପ୍ରତିଦିନ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି ବୋଲି ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି ।
ସାରା ଦେଶବାସୀଙ୍କ କୋଭିଡ ଟୀକାକରଣ ପାଇଁ ମୋଦି ସରକାର ବଡ ଯୋଜନା କରିଛନ୍ତି । ସେଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ଚାଲୁ ରହିଛି । ଟୀକା ବଂଟନ ଆରମ୍ଭ ହେଲେ ଓଡିଶାବାସୀଙ୍କ ପାଖରେ ନିଶ୍ଚିତ ଭାବେ କୋଭିଡ ଟୀକା ଉପଲବ୍ଧ କରାଯିବ । ମାତ୍ର ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କର “ବିଧାୟକଙ୍କ ମୃତୁ୍ୟ ବିଜେଡି ପାଇଁ ସୁଯୋଗ” ବିବାଦୀୟ ବୟାନ ଦ୍ୱାରା ଲୋକଲୋଚନରେ ନିନ୍ଦିତ ହୋଇଛନ୍ତି । ନିଜର ଏଭଳି ନିନ୍ଦନୀୟ ବକ୍ତବ୍ୟରୁ ଦୃଷ୍ଟି ହଟାଇବା ପାଇଁ ସବୁ ଜାଣିଶୁଣି ମିଛରେ ବୟାନବାଜି କରି ବିଳିବିଳଉଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି ।
ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାବାସୀଙ୍କୁ ନିଜ ଅର୍ଥରେ ଟୀକା ଯୋଗାଇବା ପାଇଁ ରାଜ୍ୟସରକାର ଏମଓୟୁ କରିଥିବା କଥା କହିଛନ୍ତି । ଏହା ଯଦି ସତ୍ୟ ତେବେ ରାଜ୍ୟ ସରକାରଙ୍କ ସହ ଟୀକା ଯୋଗାଣକାରୀ ସଂସ୍ଥା ସହ ହୋଇଥିବା ଏମଓୟୁ ବା ବୁଝାମଣାର ନକଲକୁ ରାଜ୍ୟବାସୀଙ୍କ ଆଗରେ ସାର୍ବଜନୀନ କରିବାକୁ ଶ୍ରୀ ସେଠୀ ଦାବି କରିଛନ୍ତି । ଏହା ପ୍ରକାଶ ହେଲେ ରାଜ୍ୟ ସମେତ ବାଲେଶ୍ୱରବାସୀ ଖୁସି ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି ।