Odisha news

ଦିନକୁ ଦିନ ରାଜ୍ୟରେ ପିଆଜର ଦର ବୃଦ୍ଧି ପାଇବା , କୁଆଡେ ଗଲା ପିଆଜ ମିଶନ? : ସୁଦୀପ୍ତ ରାୟ

0

 ପିଆଜ ଚାଷୀଙ୍କ ଫସଲକୁ ବିକ୍ରି କରିବା ପାଇଁ ଯୋଗାଣମନ୍ତ୍ରୀ କ’ଣ ପଦକ୍ଷେପ ନେଇଛନ୍ତି ସ୍ପଷ୍ଟ କରନ୍ତୁ ?
 ପିଆଜ ଉତ୍ପାଦନ ଜିଲ୍ଲା ଗୁଡିକରେ ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ ହୋଇନି କାହିଁକି?
 ରାଜ୍ୟସରକାର ପ୍ରାଇସ ଷ୍ଟାବିଲେସନ ଫଣ୍ଡକୁ ବ୍ୟବହାର କାହିଁକି କରୁନାହାଁନ୍ତି ?
 ପିଆଜ ଦର ଆହୁରି ୨ ମାସ ବଢିବ ବୋଲି କହି ଖାଉଟିଙ୍କ ମନରେ ଆତଙ୍କ ସୃଷ୍ଟି କରିଛନ୍ତି ଯୋଗାଣମନ୍ତ୍ରୀ
 ଖାଉଟିମାନଙ୍କୁ ସୁଲଭ ଦରରେ ଜିନିଷ ପହଂଚାଇବା ବଦଳରେ କିନ୍ତୁ ମନ୍ତ୍ରୀ ବାଲେଶ୍ୱର ଉପନିର୍ବାଚନ ପ୍ରଚାର ମଇଦାନରେ ନିର୍ବାଚନୀ ଭାଷଣ ମାରୁଛନ୍ତି
 ଯୋଗାଣ ବିଭାଗ ଅଧୀନରେ ଥିବା ମାର୍କେଟ ଇଟେଂଲିଜେନ୍ସ ଏବଂ ସିଭିଲ ସପ୍ଲାଇ ଫିଲ୍ଡ ଅଫିସରମାନେ ବି ନିୟମିତ ଭାବେ ତାଙ୍କ କାର୍ଯ୍ୟ କରୁନାହଁନ୍ତି
 ରାଜ୍ୟରେ ଏବେ ୧୨୮ ରୁ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡିଛି
 ପିଆଜ ଚାଷୀଙ୍କୁ ଋଣ ଦେବା ତ ଦୂରର କଥା ଜମିକୁ ପାଣି ଓ ବିହନର ବ୍ୟବସ୍ଥା କରିପାରିନଥିବାରୁ ପିଆଜ ଚାଷୀ ଆଜି ଚାଷ କରିବାକୁ ପଛଘୁଂଚା ଦେଉଛି
 କେନ୍ଦ୍ରସରକାର ଗତ ସେପ୍ଟେମ୍ବର ୧୪ ତାରିଖରେ ପିଆଜ ରପ୍ତାନୀକୁ ନିଷିଦ୍ଧ କରିଛନ୍ତି
 ଯୋଗାଣ ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ନଲଦି ପିଆଜ ମହଜୁଦ ପରିମାଣକୁ ନିୟନ୍ତ୍ରିତ କରିବା, ପିଆଜ ଫସଲ ପାଇଁ ପିଆଜ ଚାଷୀଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ଏବଂ ପିଆଜ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଗୋଦାମ ଘର କରିି ପିଆଜର ଅଭାବକୁ ଦୂର କରିବା ଦିଗରେ ପଦକ୍ଷେପ ନିଅନ୍ତୁ

ଭୁବନେଶ୍ୱର,ତା.୨୫/୧୦: ଦିନକୁ ଦିନ ରାଜ୍ୟରେ ପିଆଜର ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ରାଜ୍ୟସରକାର କୌଣସି ଲଗାମ ନଲଗାଇ କେବଳ ପିଆଜ ଆମଦାନୀର ସ୍ଥାନ ନାସିକ ଓ କେନ୍ଦ୍ରସରକାରଙ୍କୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଖୋଦ୍ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପିଆଜ ଦର କମ୍ କରାଇବା ପାଇଁ କୌଣସି ପଦକ୍ଷେପ ନନେଇ ପିଆଜ ଦର ଆହୁରି ୨ ମାସ ବଢିବ ବୋଲି କହି ଖାଉଟିଙ୍କ ମନରେ ଆତଙ୍କ ସୃଷ୍ଟି କରିଛନ୍ତି । ଏହାଦ୍ୱାରା ଆସାଧୁ ବେପାରୀଙ୍କୁ ଆଗାମୀ ୨ ମାସ ଯାଏଁ ଚଢା ଦରରେ ବେପାର କରିବାକୁ ଯୋଗାଣମନ୍ତ୍ରୀ ଏକ ପ୍ରକାର ଆହ୍ୱାନ ଦେଇଛନ୍ତି ବୋଲି ରାଜ୍ୟ ଯୋଗାଣ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଅଭିଯୋଗ କରିଛନ୍ତି ।
ଯୋଗାଣ ମନ୍ତ୍ରୀଙ୍କ ଦାୟୀତ୍ୱ ହେଉଛି ରାଜ୍ୟର ଖାଉଟିମାନଙ୍କୁ ସୁଲଭ ଦରରେ ଜିନିଷ ପହଂଚାଇବା । କିନ୍ତୁ ମନ୍ତ୍ରୀ ତାହା ନକରି ବାଲେଶ୍ୱର ଉପନିର୍ବାଚନ ପ୍ରଚାର ମଇଦାନରେ ନିର୍ବାଚନୀ ଭାଷଣ ମାରୁଛନ୍ତି ।

କେତେବେଳେ ମନ୍ତ୍ରୀ ବାଲେଶ୍ୱର ବିଧାୟକଙ୍କ ମୃତୁ୍ୟକୁ ବିଜେଡି ନିର୍ବାଚନ ଜିତିବାର ସୁଯୋଗ ବୋଲି କହୁଛନ୍ତି ତ ଆଉ କେବେ ପିଆଜ ବଢିବା ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ପିଆଜ ଦର ନିୟନ୍ତ୍ରଣ କରିବାରେ ରାଜ୍ୟସରକାରଙ୍କ ଯୋଗାଣ ବିଭାଗ ସଂପୂର୍ଣ୍ଣଭାବେ ଫେଲ୍ ମାରିଛି । ଯୋଗାଣ ବିଭାଗ ଅଧୀନରେ ଥିବା ମାର୍କେଟ ଇଟେଂଲିଜେନ୍ସ ଏବଂ ସିଭିଲ ସପ୍ଲାଇ ଫିଲ୍ଡ ଅଫିସରମାନେ ବି ନିୟମିତ ଭାବେ ତାଙ୍କ କାର୍ଯ୍ୟ କରୁନାହଁନ୍ତି । ବାଲେଶ୍ୱର ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଲୋକଙ୍କ ଧାନ ହଟାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନ୍ୟ ଉପରେ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ରାୟ କହିଛନ୍ତି ।

୨୦୧୫ରେ ରାଜ୍ୟସରକାର ଆଳୁ ମିଶନ ପରି ପିଆଜ ମିଶନ ଆରମ୍ଭ କରିଥିଲେ । ରାଜ୍ୟରେ ପିଆଜ ଉତ୍ପାଦନ କରି ଖାଉଟିଙ୍କ ଚାହିଦା ପୂରଣ କରିବା ପାଇଁ ଏହି ମିଶନ ଆରମ୍ଭ ହୋଇଥିଲା । ପିଆଜ ଚାଷୀଙ୍କୁ ଋଣ ଓ ବିହନ ଯୋଗାଇଦେବାର ବ୍ୟବସ୍ଥା ସହ ପିଆଜ ସଂରକ୍ଷଣ ଲାଗି ରାଜ୍ୟରେ ୩୦୦ଟି ଶୀତଳ ଭଣ୍ଡାର କରିବା ପାଇଁ ତକ୍ରାଳୀନ କୃଷିମନ୍ତ୍ରୀ ଘୋଷଣା କରିଥିଲେ । ୫ ବର୍ଷ ବିତିଲାଣି ସେ ମିଶନ ଗଲା କୁଆଡେ? ୨୦୧୮-୧୯ରେ ରାଜ୍ୟରେ ୩.୭୩ ଲକ୍ଷ ଟନ୍ ପିଆଜ ଅମଳ ହୋଇଥିଲା । କିନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଓ ଅମଳ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ କମ୍ ମୂଲ୍ୟରେ ପିଆଜ ବିକ୍ରି କରିଥିଲା ।

ନିର୍ବାଚନ ପ୍ରଚାରରେ ଶାସକ ଦଳର ମନ୍ତ୍ରୀମାନେ ବଡ ବଡ ଭାଷଣବାଜି କରୁଥିବାବେଳେ ରାଜ୍ୟର ପିଆଜ ଉତ୍ପାଦନ ଜିଲ୍ଲା ଗୁଡିକରେ ପିଆଜ ସଂରକ୍ଷିତ ରଖିବା ନେଇ ସ୍ୱତନ୍ତ୍ର ଗୋଦାମ ଘର ନିର୍ମାଣ କରିପାରୁ ନାହାଁନ୍ତି କାହିଁକି? ରାଜ୍ୟରେ ଏବେ ୧୨୮ ରୁ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡିଛି । ପିଆଜ ଚାଷୀଙ୍କୁ ଋଣ ଦେବା ତ ଦୂରର କଥା ଜମିକୁ ପାଣି ଓ ବିହନର ବ୍ୟବସ୍ଥା କରିପାରିନଥିବାରୁ ପିଆଜ ଚାଷୀ ଆଜି ଚାଷ କରିବାକୁ ପଛଘୁଂଚା ଦେଉଛି । ପିଆଜ ଚାଷୀଙ୍କ ଫସଲକୁ ବିକ୍ରି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରିବାକୁ ଶ୍ରୀ ରାୟ ଆହ୍ୱାନ ଦେଇଛନ୍ତି ।

ରାଜ୍ୟରେ ଆଳୁ, ପିଆଜ ଏବଂ ଡାଲିଜାତୀୟ ଫସଲର ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ୨୦୧୫ରେ କେନ୍ଦ୍ର ସରକାର ପ୍ରାଇସ ଷ୍ଟାବିଲେସନ ଫଣ୍ଡ ଗଠନ କରିଥିଲେ । ଏହାଦ୍ୱାରା ସରକାର ସିଧାସଳଖ ଚାଷୀଙ୍କ ଠାରୁ କୃଷିଜାତ ଦ୍ରବ୍ୟ କିଣି ଖାଉଟିଙ୍କୁ ପାଖରେ ସୁଲଭ ମୂଲ୍ୟରେ ପହଂଚାଇବାର ବ୍ୟବସ୍ଥା ରହିଛି । ଏକ ବଫର ଷ୍ଟକ କରି ଅସାଧୁ ହୋଡିଂ ଉପରେ ଲଗାମ ଲଗାଇବା ଏବଂ ବଜାରର ଦରକୁ ନିୟନ୍ତ୍ରଣ କରିବାରେ ରାଜ୍ୟସରକାର ନିୟନ୍ତ୍ରଣ ରହିଛି । କିନ୍ତୁ ରାଜ୍ୟସରକାର ଏହି ଫଣ୍ଡକୁ ବ୍ୟବହାର କାହିଁକି କରୁନାହାଁନ୍ତି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି ।

ପିଆଜର ଦରବୃଦ୍ଧି ନେଇ କେନ୍ଦ୍ରସରକାର ପିଆଜ ମହଜୁଦ ପରିମାଣ ଧାର୍ଯ୍ୟ କରିଛନ୍ତି । ପାଇକାରୀ ବେପାରି ସର୍ବାଧିକ ୨୫ ମେଟ୍ରିକ ଟନ ଓ ଖୁଚୁରା ବିକ୍ରେତା ସର୍ବାଧିକ ୨ ମେଟ୍ରିକ ଟନ ପିଆଜ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରଖିପାରିବା ନେଇ ନିଦେ୍ର୍ଦଶ ଦିଆଯାଇଛି । ମୂଲ୍ୟବୃଦ୍ଧିକୁ କମାଇବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ।

କେନ୍ଦ୍ରସରକାର ଗତ ସେପ୍ଟେମ୍ବର ୧୪ ତାରିଖରେ ପିଆଜ ରପ୍ତାନୀକୁ ନିଷିଦ୍ଧ କରିଛନ୍ତି । ଏହାଫଳରେ ପିଆଜର ଦର ଅନେକ ପରିମାଣରେ ନିୟନ୍ତ୍ରଣରେ ରହିବ । ଯୋଗାଣ ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ନଲଦି ପିଆଜ ମହଜୁଦ ପରିମାଣକୁ ନିୟନ୍ତ୍ରିତ କରିବା, ପିଆଜ ଫସଲ ପାଇଁ ପିଆଜ ଚାଷୀଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ଏବଂ ପିଆଜ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଗୋଦାମ ଘର କରିି ପିଆଜର ଅଭାବକୁ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି ।

Nalco
Leave A Reply