Odisha news

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ୱଂୟଶାସିତ କରିବା ସହ ପ୍ରତିବର୍ଷ ୧ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରନ୍ତୁ ରାଜ୍ୟସରକାର : ପ୍ରଦୀପ ପୁରୋହିତ

0

 ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ଦାବୀ
 ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଥଇଥାନର କେନ୍ଦ୍ର ନକରି ଯେଉଁମାନେ ପଶ୍ଚିମ ଓଡିଶାର ବିକାଶ ଧାରାକୁ ଆଗକୁ ନେଇପାରିବେ ସେଭଳି ବ୍ୟକ୍ତିବିଶେଷଙ୍କୁ ଅଧ୍ୟକ୍ଷ କରାଯାଉ

 ୨୦ ବର୍ଷ ଧରି ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରୁଛି ଶାସକ ବିଜେଡି
 ସିଏଜି ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡିଶାର ବିକାଶ ଯେଭଳି ହେବା କଥା ସେପରି ନହେବା ପ୍ରସଙ୍ଗରେ ରାଜ୍ୟସରକାରଙ୍କ ଅପାରଗତା ସାମ୍ନାକୁ ଆସିଛି
 ବିଜେପୁର ଉପନିର୍ବାଚନ ବେଳେ ବିଭିନ୍ନ ସ୍ୱପ୍ନ ଦେଖାଇ ପଶ୍ଚିମ ଓଡିଶାବାସୀଙ୍କୁ ଧୋକ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ
 ପଶ୍ଚିମ ଓଡିଶା ବିକାଶରେ ବାଧକ ସାଜିଛନ୍ତି ରାଜ୍ୟସରକାର
 ୨୦୧୫-୧୮ ଭିତରେ ମାତ୍ର ୧୧.୮୦ ପ୍ରତିଶତ ଅର୍ଥ ଜଳସେଚ କ୍ଷେତ୍ରରେ ଖର୍ଚ୍ଚ ହୋଇଛି
 ୧୯୩ଟି ଘରୋଇ ଶିକ୍ଷାନୁଷ୍ଠାନକୁ ୨୦୧୪-୧୮ ମଧ୍ୟରେ ବିକାଶ ପରିଷଦ ବେନିୟମ ଭାବେ ୯.୧୧ କୋଟି ଟଙ୍କା ପ୍ରଦାନ କରିଛି
 ଏବେ ସୁଦ୍ଧା ପ୍ରାୟ ୪.୧୩ କୋଟି ଟଙ୍କା ବିନିଯୋଗରେ ସଂପୂର୍ଣ୍ଣ ହୋଇଥିବା ଅନେକ ଅନୁଷ୍ଠାନ ବ୍ୟବହୃତ ହୋଇପାରୁନାହିଁ
 ରାଉଲକେଲା ଓ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟ କ୍ଷେତ୍ରରେ ପରିଷଦର ଦାୟୀତ୍ୱହୀନତା ଯୋଗୁଁ ପଶ୍ଚିମାଚଂଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ

ଭୁବନେଶ୍ୱର, ତା.୦୮/୧୦: ଦୀର୍ଘ ୨୦ ବର୍ଷ ଧରି ଶାସକ ବିଜେଡି ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରିଆସୁଛି । ଅନ୍ୟପଟେ ଦଳୀୟ ଲୋକଙ୍କୁ ଥଇଥାନ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଉଛି । ସିଏଜି ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡିଶାର ବିକାଶ ଯେଭଳି ହେବା କଥା ସେପରି ହୋଇନାହିଁ । ପଶ୍ଚିମ ଓଡିଶାର ଅନେକ କାର୍ଯ୍ୟ ଏବେ ବି ଅଧୁରା ପଡିଛି । ବିଜେପୁର ଉପନିର୍ବାଚନ ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ଦାୟୀତ୍ୱ ନେବେ ବୋଲି କହିବା ସହ ଗଙ୍ଗାଧର ମେହେର ଜଳସେଚନର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ ନକରି ସମଗ୍ର ପଶ୍ଚିମ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧୋକ୍କା ଦେଇଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ, ସିଏଜି ରିପୋର୍ଟ ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି । ରାଜ୍ୟସରକାର ଜାଣିଶୁଣି ପଶ୍ଚିମ ଓଡିଶା ବିକାଶରେ ବାଧକ ସାଜିଛନ୍ତି । ୨୦୧୩ରେ ପଶ୍ଚିମ ଓଡିଶାରେ

ଜଳସେଚନ କ୍ଷେତ୍ରକୁ ଅଗ୍ରାଧୀକାର ଦେବା ପାଇଁ ନିଷ୍ପତି ହୋଇଥିବାବେଳେ ୨୦୧୫-୧୮ ଭିତରେ ମାତ୍ର ୧୧.୮୦ ପ୍ରତିଶତ ଅର୍ଥ ଜଳସେଚ କ୍ଷେତ୍ରରେ ଖର୍ଚ୍ଚ ହୋଇଛି । ଏମପି ଓ ଏମଏଲଏ ଲ୍ୟାଡ ପାଣ୍ଠିରୁ ଟଙ୍କା ପାଇବାକୁ ଯୋଗ୍ୟଥିବା ୧୯୩ଟି ଘରୋଇ ଶିକ୍ଷାନୁଷ୍ଠାନକୁ ୨୦୧୪-୧୮ ମଧ୍ୟରେ ବିକାଶ ପରିଷଦ ବେନିୟମ ଭାବେ ୯.୧୧ କୋଟି ଟଙ୍କା ପ୍ରଦାନ କରିଛି । ୧୯୯୧ ମସିହା ଘଡେଇ କମିଟି ରିପୋର୍ଟ ଆନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନ୍ତର୍ଗତ ୮୯ଟି ବ୍ଲକ ମଧ୍ୟରୁ ୩୪ଟି ବ୍ଲକ ଅତ୍ୟନ୍ତ ପଛୁଆ ଏବଂ ୨୫ଟି ବ୍ଲକ ପଛୁଆ ରହିଥିଲା । ଏହି ବ୍ଲକ ଗୁଡିକର ବିକାଶ ପାଇଁ ୨୦୧୩ରେ ରାଜ୍ୟସରକାର ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏଗୁଡିକର ବିକାଶ ହୋଇ ପାରିଲା ନାହିଁ ।

୨୦୧୬-୧୮ ମସିହା ଭିତରେ ପରିଷଦ ୪୦୯.୭୨ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିବାବେଳେ ସେଥିମଧ୍ୟରୁ ୪୫ ପ୍ରତିଶତ ଅର୍ଥାତ୍ ୧୮୩.୪୧ କୋଟି ବିକାଶଶୀଳ ଓ ବିକଶିତ ବ୍ଲକଗୁଡିକୁ ପ୍ରଦାନ କରାଯାଇଥିଲା । ଏବେ ସୁଦ୍ଧା ପ୍ରାୟ ୪.୧୩ କୋଟି ଟଙ୍କା ବିନିଯୋଗରେ ସଂପୂର୍ଣ୍ଣ ହୋଇଥିବା ଅନେକ ଅନୁଷ୍ଠାନ ବ୍ୟବହୃତ ହୋଇପାରୁନାହିଁ । ଗଙ୍ଗାଧର ମେହେର ସ୍ମାରକ ପ୍ରେକ୍ଷାଳୟ ଓ ଗବେଷଣା କେନ୍ଦ୍ର, ପାଠଗାର ନିର୍ମାଣ କାର୍ଯ୍ୟ ୨୦୧୫ରୁ ଶେଷ ହୋଇଥିଲେ ବି ଆସବାପତ୍ର ଅଭାବ ଯୋଗୁଁ ଏହା ବ୍ୟବହାର ଉପଯୋଗୀ ହୋଇପାରିନାହିଁ ।

ପଶ୍ଚିମ ଓଡିଶାରେ ୧୦ଟି ଯୋଜନା ପର୍ଯ୍ୟବେକ୍ଷଣ ସଂସ୍ଥା ଓ ୪୬ଟି ନମୂନା ଯାଂଚ ସଂସ୍ଥା ପାଖରେ ୧୫୧.୬୮ କୋଟି ଟଙ୍କା ବିନିଯୋଗ ନହୋଇ ପଡିରହିଛି । ଭେଷଜ ମହାବିଦ୍ୟାଳୟ ପରିଚାଳାରେ ଅଭିଜ୍ଞତା ଅଭାବ ଯୋଗୁଁ କଳାହାଣ୍ଡି ଜାରିଙ୍ଗଠାରେ ଥିବା ଭେଷଜ ହସ୍ପିଟାଲ ଓ କଲେଜ ବନ୍ଦ ହୋଇ ରହିଛି । ରାଉଲକେଲା ଓ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟ କ୍ଷେତ୍ରରେ ପରିଷଦର ଦାୟୀତ୍ୱହୀନତା ଯୋଗୁଁ ପଶ୍ଚିମାଚଂଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ ।

ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନଥିବା ଯୋଗୁଁ ରାଜ୍ୟସରକାର ଏହାକୁ ନିଜ ନିୟନ୍ତ୍ରଣରେ ନରଖି ଦାଜିଲିଂ ଗୋରଖା ହିଲ କାଉନସିଲ ଭଳି ଏହାକୁ ସ୍ୱୟଂଶାସିତ ପଶ୍ଚିମ ଓଡିଶା ବିକାଶ ପରିଷଦର ମାନ୍ୟତା ଦେବା ସହ ଦଳମତ ନିର୍ବିଶେଷରେ ପଶ୍ଚିମ ଓଡିଶାର ଅନୁଦାନକୁ ପ୍ରତିବର୍ଷ ୧ ହଜାର କୋଟିକୁ ବୃଦ୍ଧି କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଥଇଥାନର କେନ୍ଦ୍ର ନକରି ଯେଉଁମାନେ ପଶ୍ଚିମ ଓଡିଶାର ବିକାଶ ଧାରାକୁ ଆଗକୁ ନେଇପାରିବେ ସେଭଳି ବ୍ୟକ୍ତିବିଶେଷଙ୍କୁ ଅଧ୍ୟକ୍ଷ କରିବା ପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

କେନ୍ଦୁପତ୍ର ସଂସ୍ଥାରୁ ରାଜ୍ୟସରକାର ୨୫୦ କୋଟି ପ୍ରତିବର୍ଷ ଲାଭ ପାଉଛନ୍ତି । କେନ୍ଦ୍ୁ ପତ୍ର ତୋଳାଳି ଶ୍ରମିକ ମାନଙ୍କ ପାଇଁ ରାଜ୍ୟସରକାର ଶ୍ରମିକ ମଙ୍ଗଳ ପାଣ୍ଠି ଗଠନ କରିଥିଲେ ଏବଂ ଘୋଷଣା କରିଥିଲେ କି, ୧୦ହଜାର କେନ୍ଦ୍ୁ୍ୁପତ୍ର ତୋଳୁଥିବା ଶ୍ରମିକ ମାନେ ଏହି ପାଣ୍ଠିରୁ ଛାତ୍ରବୃତି ଏବଂ ବିବାହ ଓ ମୃତୁ୍ୟ ବେଳେ ଆର୍ଥୀକ ପୋତ୍ସାହନ ଆଦି ସୁବିଧା ପାଇପାରିବେ ।

କିନ୍ତୁ ଏବେ ଗତବର୍ଷରୁ ୨୦ ହଜାର ତୋଳୁଥିବା ଲୋକଙ୍କୁ ଏହି ସୁବିଧା ମିଳିବ ବୋଲି ରାଜ୍ୟସରକାର କହିବା ଫଳରେ ୭୫ ପ୍ରତିଶତ ଶ୍ରମିକ ଏହି ଶ୍ରମିକ ମଙ୍ଗଳ ପାଣ୍ଠିର ଲାଭରୁ ବଂଚିତ ଅଛନ୍ତି । ରାଜ୍ୟସରକାର ଏହାକୁ ପ୍ରତ୍ୟାହାର କରିବା ସହ ପୂର୍ବରୁ ଯେଉଁ ନିୟମ ଥିଲା ତାକୁ ଲାଗୁ କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ ।

Nalco
Leave A Reply