ଆନେ୍ଦାଳନରତ ଶିକ୍ଷକମାନଙ୍କୁ ଭେଟି ତାଙ୍କ ଦାବି ପ୍ରତି ଜଣାଇଲେ ସମର୍ଥନ
କୋରାପୁଟ ଓ ଚିତ୍ରକୋଣ୍ଡାରେ ଅନୁଷ୍ଠିତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି
କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କଲେ ରାଜ୍ୟ ସଭାପତି
ମାଲକାନଗିରି/ଭୁବନେଶ୍ୱର, ତା.୧୫/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ସାମଲ କୋରାପୁଟଠାରେ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଏହାପରେ ଶ୍ରୀ ସାମଲ ୧୯୬୫ମସିହାରେ ପଞ୍ଜାବଠାରେ ଘଟିଥିବା ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ଲଢ଼େଇ କରି ଦେଶ ପାଇଁ ବଳିଦାନ ଦେଇଥିବା ଓଡ଼ିଶାର ପ୍ରଥମ ସିଗ୍ନାଲମ୍ୟାନ କୋରାପୁଟ ଜିଲ୍ଲାର ଯୋସୁଦାନ ଖୋସଲାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କ ଘରୁ ମାଟି ଆଣି “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ସହିଦ ସୁନୀଲ କୁମାର ରାଉଳ ଏବଂ ସହିଦ ଶିବବ୍ରତ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା କରିବା ସହ ମାଟି ସଂଗ୍ରହ କରିଥିଲେ ।
ଏହାପରେ ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରୁଥିବା ଶିକ୍ଷକମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି କୋରାପୁଟ ଜିଲ୍ଲାରେ ଭେଟି ତାଙ୍କ ଦାବୀ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆନେ୍ଦାଳନରତ ଶିକ୍ଷକମାନଙ୍କ ସମସ୍ତ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଜୟପୁର ବିଧାନସଭାର ବାରିଣୀପୁଟ ଛକଠାରୁ ସନ୍ଧ୍ୟା ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ବାଇକ ରାଲି ସହ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଥିଲେ ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ବିଧାୟକ ଆଦିତ୍ୟ ମାଢୀ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାଏକ, ରାଜ୍ୟ ସଂପାଦକ ସରୋଜ କର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ପାଲ, ପୂର୍ବତନ ଜିଲ୍ଲା ସଭାପତି ଗୁରୁଚରଣ ମହାନ୍ତି ଓ ଅଶୋକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।