ବାଲିପାଟଣା,୧୭/୦୯ : ଏପଟେ ଲଗାଣ ବର୍ଷା।ସେପଟେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ କାରଣରୁ ବାଲିପାଟଣା ବ୍ଲକର ୧୫ଟି ପମ୍ପ ହାଉସରୁ ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ । ରାଜ୍ୟ ସରକାର ବସୁଧା ଯୋଜନାରେ ଘର ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ବାହା ବାହା ନେଉଥିବା ବେଳେ ଏପଟେ ରାଜ୍ୟ ସରକାର ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇ ବିଦ୍ୟୁତ୍ ବିଭାଗ କମ୍ପାନୀ ସହ ହାତ ମିଳାଇ ପ୍ରତି ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସ୍ମାର୍ଟ ମିଟର ଲଗାଇ ସ୍ମାର୍ଟ କାରନାମା ଦେଖାଉଛନ୍ତି। ଯାହାଫଳରେ ବାଲିପାଟଣା ବ୍ଲକ ରେ ଥିବା ୪୫ ଟି ପ୍ରକଳ୍ପ ଧୀରେ ଧୀରେ ଗୋଟିକ ପରେ ଗୋଟିଏ ବନ୍ଦ ହୋଇଯିବ।ସୂଚନା ଅନୁସାରେ ଗତକାଲି ଅପରାହ୍ନ ଠାରୁ ବାଲିପାଟଣା ବ୍ଲକର ପନ୍ଦରଟି ପାନୀୟ ଜଳ ଯୋଗାଣ ପମ୍ପ ହାଉସର ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି।ଯାହା ଫଳରେ ଏଇ କିଛି ଦିନ ହେଲା ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବର୍ଷା ଦିନ ହେଇଥିବାରୁ ଲୋକମାନେ ଟୋପେ ସ୍ୱଚ୍ଛ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଆଖ ପାଖ ଅଞ୍ଚଳରେ ଯେଉଁଠି ପାଣି ଯୋଗାଣ ଚାଲୁ ରହିଛି, ସେଠାରେ ଲୋକେ ବ୍ୟାଗ୍ ଭର୍ତ୍ତି ବୋତଲ ଧରି ପିଇବା ପାଣି ଘରକୁ ଆଣୁ ଥିବାର ଦେଖାଯାଉଛି।ଏ ସମ୍ପର୍କରେ ବାଲିପାଟଣା ଆର ଡବ୍ଲୁ ଏସ୍ ଏସ୍ ଜେଇ ୧ , ରଞ୍ଜନ କୁମାର ଘଡେ଼ଇଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ଉତ୍ତର ରେ ସ୍ମାର୍ଟ ମିଟର କାରଣରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଧେଶ ଥିଲା ଖରା ଦିନେ କୌଣସି ପରିସ୍ଥିତିରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବନ୍ଦ ନ କରିବାକୁ,କିନ୍ତୁ ଏହା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ କଥାକୁ ଭୂକ୍ଷେପ ନକରି ଜଳ ଯୋଗାଣ ବନ୍ଦ କରିଦେଇଛନ୍ତି।ବାଲିପାଟଣା ବ୍ଲକର ଅଠାନ୍ତର, ବାରିଲୋ,କୂଳନ୍ତିରାଗ୍ରାମ, ମଝିହରା,କୁରୁଞ୍ଜିପୁର, ପୁବାଗଡ଼, ବଦଳା ଶାସନ, ଶ୍ରୀରାମପୁର, ପଦ୍ମପୁର, ମୁଣ୍ଡାହଣାପାଟଣା, ତୁରୀନ୍ତିରା,ଆଇତଳଙ୍ଗ ପମ୍ପହାଉସର ବିଦ୍ୟୁତ ଯୋଗାଣ ବ୍ୟାହତ ହେବା କାରଣରୁ ତିରିଶରୁ ଉର୍ଦ୍ଧ ଗ୍ରାମର ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବାଲିପାଟଣା ବିଡିଓ ଆଦିକନ୍ଦ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ତାଙ୍କ ଉତ୍ତରରେ ଟାଟା ପାୱାର ପକ୍ଷରୁ ପମ୍ପ ହାଉସ ମାନଙ୍କରେ ସ୍ମାର୍ଟ ମିଟର ଲଗାଯାଇଥିଲା ଯାହା ଏକ ପ୍ରିପେଡ ମିଟର ଗତକାଲି ଠାରୁ ଏହି ମିଟରରୁ ବିଦ୍ୟୁତ ଯୋଗାଣ ବନ୍ଦ କାରଣରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।ତୁରନ୍ତ ପମ୍ପ ହାଉସ ମାନଙ୍କୁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ସେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ଲେଖିଛନ୍ତି।
ଏ ସମ୍ପର୍କରେ ଅଠାନ୍ତର ପଞ୍ଚାୟତର ସରପଞ୍ଚ ଅଜିତ ମହାନ୍ତିଙ୍କୁ ଓ ପମ୍ପାଲୋ ପଞ୍ଚାୟତର ସରପଞ୍ଚ ବାହାନ ଭୋଇଙ୍କୁ ପଚାରିବାରୁ ସେମାନେ ତାଙ୍କ ଉତ୍ତରରେ ଟାଟା ପାୱାର ସେମାନଙ୍କୁ କୌଣସି ଆଗୁଆ ସୂଚନା ନଦେଇ ମନୋମୁଖୀ ପମ୍ପ ହାଉସ ମାନଙ୍କରେ ସ୍ମାର୍ଟ ମିଟର ଲଗାଇଛନ୍ତି।ଆଗୁଆ ବିଦ୍ୟୁତ ବିଲ ଦେବାପାଇଁ ପଞ୍ଚାୟତ ପାଖରେ ଅର୍ଥ ରାଶି ନାହିଁ। ଏଥି ସହିତ ସ୍ମାର୍ଟ ମିଟର ପରିଚାଳନା ସମ୍ପର୍କିତ କୌଣସି ଜ୍ଞାନ ମଧ୍ୟ ସେମାନଙ୍କ ପାଖରେ ନାହିଁ। ହଠାତ ବିଦ୍ୟୁତ ଯୋଗାଣ ବ୍ୟାହତ ହେବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଆଜି ରାତି ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ନହେଲେ ଆସନ୍ତା କାଲି ସମସ୍ତ ସରପଞ୍ଚ ଓ ସାଧାରଣ ଲୋକ ବିଦ୍ୟୁତ ଅଫିସ ଘେରାଉ କରିବେ। ତେବେ ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ଜୈନକ ଯନ୍ତ୍ରିଙ୍କୁ ଯୋଗାଯୋଗ କରିବାରୁ ସେ ଦେଇଥିବା ଉତ୍ତର ଅନୁସାରେ ଯାହା ହୋଇଛି ଉପର ସ୍ତରରୁ ହୋଇଛି ଏଥିରେ ସ୍ଥାନୀୟ ଯନ୍ତ୍ରି ଙ୍କର କୌଣସି ଭୂମିକା ନାହିଁ।ତଥାପି ସେମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଖୁଵ ଶୀଘ୍ର କିଛି ବ୍ୟବସ୍ଥା ହେବ। ଯନ୍ତ୍ରୀ ୨, ସୁଚିତ୍ର ସେନ ଓ ନିମାପଡ଼ା ସହକାରୀ ଯନ୍ତ୍ରୀ ରଶ୍ମିତା ଦାଶ କୁହନ୍ତି, ଏ ସମସ୍ୟା ଏବେ ଜିଲ୍ଲପାଳଙ୍କ ଦପ୍ତର ପର୍ୟ୍ୟନ୍ତ ପହଞ୍ଚି ଗଲାଣି। ଆଜି ଏ ସଂମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଡକାଯାଇଛି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।ହେଲେ ପ୍ରଶାସନର ପଶାକାଠି ଭିତରେ ଏବେ ସାଧାରଣ ଲୋକେ ହନ୍ତସନ୍ତ। ରାଜ୍ଯ ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି।ଦେଖାଯାଉ ଆସନ୍ତା କାଲି କଣ ହେଉଛି ?