Odisha news

ଅଘୋଷିତ ବିଜୁଳି କାଟ ପ୍ରତିବାଦରେ ବିଜେପିର ଧାରଣା

0

ବେତନଟୀ :  ପ୍ରବଳ ଗ୍ରୀଷ୍ମପ୍ରବାହ ସହିତ ଅସହ୍ୟ ଗୁଳୁଗୁଳି  ତା ସାଙ୍ଗକୁ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ ପାଠ୍ୟକ୍ରମ ଗୁଡ଼ିକରେ ନାମଲେଖା ପାଇଁ ଆୟୋଜିତ ହେଉଥିବା ପ୍ରବେଶିକା ପରୀକ୍ଷା ପାଇଁଁ ରାତିଦିନ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଦ୍ୟାର୍ଥୀ ଙ୍କ ନିମନ୍ତେ କାଳ ସାଜିଛି ଅଘୋଷିତ ବିଦ୍ୟୁତ୍ କାଟ। ଝଡ଼ ବର୍ଷା , ବାତ୍ୟା, ଘଡ଼ଘଡ଼ି ଆଦି କିଛି ବି ନଥିବା ସମୟରେ ପାଗ ସମ୍ପୂର୍ଣ୍ଣ ନିର୍ମଳ ଥିବା ବେଳେ ମଧ୍ୟ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଥିବା ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି ଜନସାଧାରଣ। ଏମିତିକି ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ତାଙ୍କୁ ୯ ମିନିଟ ଅନ୍ଧାରରେ ରଖିଦିଆଗଲା। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଫାଇଦା ନେବାରେ ଆଦୌ ଢ଼ିଲା କରିନାହିଁ ଭାଜପା। ସମସ୍ତ ପ୍ରମୁଖ ଅଞ୍ଚଳରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଯୋଜନାରେ ଆଜି ବୈଶିଙ୍ଗା ବିଦ୍ୟୁତ୍ ସେକସନ୍ ଅଫିସ୍ ସମ୍ମୁଖରେ ସ୍ଥାନୀୟ ଭାଜପା ବିଧାୟକ ସନାତନ ବିଜୁଳି ଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସମାବେଶରେ ବିଧାୟକ ଙ୍କ ସମେତ ରଘୁନାଥ ପ୍ରଧାନ , ସୁବାସ ଚନ୍ଦ୍ର ପଣ୍ଡା , ସବ୍ୟସାଚୀ ପଣ୍ଡା , ଲକ୍ଷ୍ମୀଧର ଦଣ୍ଡପାଟ , ବ୍ରଜମୋହନ ବେହେରା , ରତିକାନ୍ତ ମହାନ୍ତ, ପ୍ରଶାନ୍ତ ସାମଲ , ଉମାକାନ୍ତ ରାଉତ , ତପନ ମହାନ୍ତ , କେନ୍ଦୁଆ ପଞ୍ଚାୟତର ସରପଞ୍ଚ ମନମୋହନ ମାଝୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଓ ଟାଟା ପାୱାର କମ୍ପାନୀ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରୀକା ଯୋଗୁଁ ହଜାରେ କୋଟି ଟଙ୍କାର ଘୋଟାଲା ହୋଇଥିବା କାରଣରୁ ସାରା ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ପ୍ରକାଶ କରିଥିଲେ। ତେବେ ସେକସନ୍ ଅଫିସର ପ୍ରଶାନ୍ତ କୁମାର ନାୟକ ବିକ୍ଷୋଭ ସ୍ଥଳକୁ ଆସିଥିଲେ ଏବଂ ବିଜୁଳି ସରବରାହ ବ୍ୟବସ୍ଥା ରେ ଥିବା ତୃଟି ବିଚ୍ୟୁତି ସୁଧାରିବା ସହିତ ନିରନ୍ତର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଯୋଗାଇଦେବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ।ଏହି ଧାରଣାକୁ ଜନସାଧାରଣ ମଧ୍ୟ ସମର୍ଥନ କରିଥିବାର ଦେଖାଯାଇଥିଲା।

Nalco
Leave A Reply