Odisha news

କୋଭିଡ ମାର୍ଗଦର୍ଶିକାର ଉଲ୍ଲଙ୍ଘନ କରୁଛନ୍ତି ବିଜେପି ମୁଖପାତ୍ର : ବିଜେଡି

0

ଭୁବନେଶ୍ୱର,୧୪ ଜୁଲାଇ – କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି ।
ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାପାଇଁ ଅନୁରୋଧ ସତ୍ୱେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ । ଓଡିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତେ ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗିଛନ୍ତି । ଆମେ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଆଚରଣ ପାଇଁ ଆହ୍ୱାନ ଦେବା ସହିତ ତାହା ଆଶା କରୁଛୁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ସତ୍ୱେ ବିଜେପି ନେତାମାନେ ଜାଣିଶୁଣି କରୋନା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।
ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବାବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଂଚିଛି । ଓଡିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି । କରୋନାକୁ ନେଇ ଆମେ ରାଜନୀତି କରିବା ଉଚିତ ନୁହେଁ । ତେଣୁ ଏଭଳି ରାଜନୀତିରୁ ବିରତ ରହିବାପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି ।

Leave A Reply