ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ବିଶିଷ୍ଟ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଓଡିଶା ଚଳଚ୍ଚିତ୍ର ପାଇଁ ତାଙ୍କର ଅବଦାନ ସବୁଦିନେ ମନେରହିବ l ତାଙ୍କର ପରଲୋକ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି । ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରତିଷ୍ଠିତ କରିବାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା ।
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରେ ପଢିବା ବେଳେ ବିଶିଷ୍ଟ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଓ ଓମ ପୁରୀ ତାଙ୍କର ସହପାଠୀ ଥିଲେ ।
ଶ୍ରୀ ପଣ୍ଡା ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l